ରାଜ୍ୟରେ କରୋନା ମୃତ୍ୟୁ ଶହେ ଟପିଲା, ୨୧ଦିନରେ ୧୧ ହଜାରରୁ ଅଧିକ ଆକ୍ରାନ୍ତ

୬୦ ବର୍ଷରୁ ଅଧିକଙ୍କ ସଂଖ୍ୟା ହଜାରେ, ଦିନକରେ ୬୪୭ ଚିହ୍ନଟ, ୪୦୦ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସହିତ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୮ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଏଥିରେ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ‌ବେଳେ ଅନ୍ୟ ୨ଜଣଙ୍କ ଅଣ କୋଭିଡ୍‌ ମୃତ୍ୟୁ କଥା ଦର୍ଶାଯାଇଛି। ଉଲ୍ଲେଖନୀୟ ବିଷୟ ହେଉଛି ଯେ ଏହି ୮ଟି ମୃତ୍ୟୁ ୮ଟି ଜିଲ୍ଲାରୁ ହୋଇଛି। ଏହାସହିତ କରୋନା ମୃତ୍ୟୁ ସଂଖ୍ୟା ଆଜି ୧୦୩ରେ ପହଞ୍ଚିଛି। ତେବେ କେବଳ ଜୁଲାଇ ମାସରେ ଏ ପର୍ଯ୍ୟନ୍ତ ୭୭ଜଣ କରୋନା‌ରେ ପ୍ରାଣ ହରାଇଛନ୍ତି। କରୋନାରେ ପ୍ରାଣ ହରାଇଥିବା ୬ମୃତକଙ୍କ ମଧ୍ୟରୁ ୪ଜଣଙ୍କ ମଧୁମେହ ଓ ଉଚ୍ଚ ରକ୍ତଚାପ ଥିବା ବେଳେ ଅନ୍ୟ ଜଣେ ଫୁସଫୁସ୍ କର୍କଟ ଓ ବ୍ରୋଙ୍କାଇଟିସ୍ ରହିଥିଲା। ଏଥିରେ ମୃତକଙ୍କ ସର୍ବାଧିକ ବୟସ ୭୫ ବର୍ଷ ଥିବା ବେଳେ ସର୍ବନିମ୍ନ ୨୬ବର୍ଷ ରହିଛି। ଏଥିରେ ୫ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି। ଖୋର୍ଧା ଜିଲ୍ଲାର ୭୫ବର୍ଷର ଜଣେ ପୁରୁଷ ବ୍ରୋଙ୍କାଇଟିସ୍‌ରେ ପୀଡ଼ିତ ଥିବା ବେଳେ ରାୟଗଡ଼ାର ୭୪ବର୍ଷର ପୁରୁଷ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବାଦ୍ କେନ୍ଦ୍ରାପଡ଼ାର ୬୩ବର୍ଷ ପୁରୁଷଙ୍କ ମଧୁମେହ, ଉଚ୍ଚ ରକ୍ତଚାପ ଥିବା ବେଳେ କଟକ ଜିଲ୍ଲାର ୨୬ବର୍ଷର ଯୁବତୀ ମଧ୍ୟ ମଧୁମେହ ଓ ଉଚ୍ଚ ରକ୍ତଚାପ ଓ ଜଗତ୍‌ସିଂହପୁରର ୫୮ ବର୍ଷର ପୁରୁଷ ଫୁସଫୁସ୍‌ କର୍କଟରେ ପୀଡ଼ିତ ଥାଇ ପ୍ରାଣ ହରାଇଛନ୍ତି।

ଏହାବାଦ୍ ସୁନ୍ଦରଗଡ଼ ଜିଲ୍ଲାର ୪୦ ବର୍ଷର ମହିଳା ଜରାୟୁ କର୍କଟ ଓ କିଡ୍‌ନି ରୋଗର ଶିକାର ଥିବା ବେଳେ ପୁରୀର ୪୬ବର୍ଷର ଜଣେ ଫୁସଫୁସ୍‌ କର୍କଟରେ ପୀଡ଼ିତ ଥାଇ ପ୍ରାଣ ହରାଇଛନ୍ତି। ତେବେ ଏହି ଦୁଇ ଜଣଙ୍କ ପ୍ରାଥମିକ ମୃତ୍ୟୁର କାରଣ କରୋନା ନ ଥିବାରୁ ସେମାନଙ୍କୁ ଅଣ କୋଭିଡ୍‌ ମୃତ୍ୟୁରେ ସାମିଲ କରାଯାଇଛି। ଆଜିର ୨ ମୃତ୍ୟୁ ସହ ରାଜ୍ୟ‌ରେ ଅଣକୋଭିଡ୍‌ ସଂଖ୍ୟା ୩୦ ଛୁଇଁଛି। ଅପରପକ୍ଷରେ ପଜିଟିଭ୍‌ ସଂଖ୍ୟାରେ ଗଞ୍ଜାମ ସ୍ଥିତି ଆଜି ମଧ୍ୟ ଉଦ୍‌ବେଗଜନକ ରହିଛି। ଜୁଲାଇ ଆରମ୍ଭରୁ ଜିଲ୍ଲାରୁ ପ୍ରତ୍ୟେକ ଦିନ ହାରାହାରି ୨ ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ହଜାର ସଂଖ୍ୟା ଅତିକ୍ରମ କରିଥିବା ଗଞ୍ଜମାରେ ଏବେ ୬ହଜାର ସଂଖ୍ୟାର ନିକଟତର ହୋଇଛି। ରାଜ୍ୟର ପ୍ରାୟ ୩୨ ପ୍ରତିଶତ ରୋଗୀ କେବଳ ଏହି ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ଖୋର୍ଧା ଜିଲ୍ଲାରେ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବା‌ରେ ଲାଗିଛି। ଦ୍ବିତୀୟ ଜିଲ୍ଲା ଭାବେ ଏହା ୨୦୦ ସଂଖ୍ୟା ଅତିକ୍ରମ କରିଛି। ତେବେ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି ରାଜ୍ୟରେ ୬୦ ବର୍ଷରୁ ଅଧିକ ରୋଗୀଙ୍କ ସଂଖ୍ୟା ୧ ହଜାର ପାର୍ କରିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନାଜନିତ ମୃତ୍ୟୁ ପରିସଂଖ୍ୟାନରେ ମୃତକଙ୍କ ହାରାହାରି ବୟସ ୬୦ ରହିଛି। ଏଭଳି ପରିସ୍ଥିତିରେ ୬୦ବର୍ଷ ବୟସର ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହେବା ରାଜ୍ୟ ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ।।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୭ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ସର୍ବାଧିକ ୨୨୫ ଥିବା ବେଳେ ଏଥିରେ ୨୮ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି। କଟକ ୮୪, ଖୋର୍ଧା ୬୮, ରାୟଗଡ଼ା ୪୭, ବାଲେଶ୍ବର ୪୦, ଅନୁଗୁଳ ୩୭, କୋରାପୁଟ ୨୮, ସୁନ୍ଦରଗଡ଼ ୨୨, କେନ୍ଦ୍ରାପଡ଼ା ୧୩, ଭଦ୍ରକ ୧୨, ସମ୍ବଲପୁର ଓ ମାଲକାନଗିରି ୧୦ଜଣ ଲେଖାଏଁ, କେନ୍ଦୁଝର ୮, ଜଗତ୍‌ସିଂହପୁର ୭, ବଲାଙ୍ଗୀର ଓ କନ୍ଧମାଳରୁ ୫ଜଣ ଲେଖାଏଁ, ବରଗଡ଼ ଓ ନୟାଗଡ଼ରୁ ୪ଜଣ ଲେଖାଏଁ, ମୟୂରଭଞ୍ଜ ୩, ନବରଙ୍ଗପୁର ଓ ଯାଜପୁରରୁ ୨ଜଣ ଲେଖାଏଁ ଓ ସୋନପୁରରୁ ଜଣେ ରହିଛନ୍ତି। ୬୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୧ ସଙ୍ଗରୋଧରୁ ଓ ୨୧୬ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୭୫୭ରେ ପହଞ୍ଚିଛି। ଜୁଲାଇରେ ଏ ପର୍ଯ୍ୟନ୍ତ ୧୧ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ଆଜି ୪୦୦ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଞ୍ଜାମ ୧୩୭, କଟକ ୫୮, ଖୋର୍ଧା ୪୬, କୋରାପୁଟ ୪୧, ଯାଜପୁର ୩୭, କେନ୍ଦୁଝର ୧୪, କେନ୍ଦ୍ରାପଡ଼ା ୧୦, ମୟୂରଭଞ୍ଜ ୯, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ଜଣ ଲେଖାଏଁ, ବରଗଡ଼, ଜଗତ୍‌ସିଂହପୁର ଓ ସୋନପୁରରୁ ୫ଜଣ ଲେଖାଏଁ, ଅନୁଗୁଳ, କଳାହାଣ୍ଡି ଓ ପୁରୀରୁ ୪ଜଣ ଲେଖାଏଁ, ବୌଦ୍ଧ ୩, ଭଦ୍ରକ ୨ ଓ ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୩୩୦୯‌ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର