ବଳକା କରୋନା ମୃତ୍ୟୁ ଘୋଷଣା ଜାରି, ଜୁଲାଇରେ ବଢ଼ିଗଲା କେସ୍ ଫାଟାଲିଟି ରେଟ୍

ମାସକରେ ୬୫,୮୧୮ ପଜିଟିଭ୍, ସିଏଫ୍ଆର୍‌ ୨.୮୯%, ହଟ୍‌ସ୍ପଟ୍‌ ଜିଲ୍ଲାରେ ସଂକ୍ରମଣ ହ୍ରାସ

ଭୁବନେଶ୍ବର: ଗତ ଜୁଲାଇରେ ରାଜ୍ୟରେ କେସ୍ ଫାଟାଲିଟି ରେଟ୍ ବା ସିଏଫ୍ଆର୍‌(ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାଣ ହରାଉଥିବା ବ୍ୟକ୍ତି) ବୃଦ୍ଧି ପାଇଛି। ମାସକରେ ରାଜ୍ୟରେ ସିଏଫ୍ଆର ୨.୮୯ ପ୍ରତିଶତରେ ପହଞ୍ଚି ଯାଇଛି। ରାଜ୍ୟ ସରକାର ଲଗାତାର ଭାବେ ବଳକା କୋଭିଡ୍‌ ମୃତ୍ୟୁ ଘୋଷଣା ଜାରି ରଖିଥିବାରୁ ସିଏଫ୍ଆର୍‌ରେ ବୃଦ୍ଧି ଦେଖିବାକୁ ମିଳିଛି। ତେବେ ରାଜ୍ୟର ସାମଗ୍ରିକ ସିଏଫ୍ଆର୍‌ ୦.୬୨ ପ୍ରତିଶତ ରହିଛି, ଯାହାକି ଦେଶର ବଡ଼ ରାଜ୍ୟମାନଙ୍କ ତୁଳନାରେ କମ୍।

ଗତ ମାସରେ ରାଜ୍ୟ ସରକାର ବଳକା ଥିବା କୋଭିଡ୍‌ ମୃତ୍ୟୁର ଘୋଷଣା ଆରମ୍ଭ କରିଥିଲେ। ଫଳରେ ଲଗାତାର ଭାବେ ଦୈନିକ ମୃତ୍ୟୁ ସଂଖ୍ୟା ୬୦ ପାର୍ କରିଥିଲା। ଏ ପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ୬୯ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଜୁଲାଇ ମାସରେ ଦୈନିକ ସଂକ୍ରମଣ କମି ଆସିଥିବା ସତ୍ତ୍ବେ ୬୫,୮୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୧୯୦୩ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଫଳରେ ଗୋଟିଏ ମାସରେ ସିଏଫ୍ଆର୍‌ରେ ହଠାତ୍ ବୃଦ୍ଧି ହୋଇଛି।
ଅପରପକ୍ଷେ ଚଳିତ ମାସ ପହିଲାରେ ହଜାରେକୁ ଖସି ଆସିଥିବା ଦୈନିକ ସଂକ୍ରମଣରେ ଆଜି ସାମାନ୍ୟ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୧.୯ ପ୍ରତିଶତ ରହିଛି। ତେବେ ନମୁନା ପରୀକ୍ଷା ୫୯,୩୭୮କୁ ଖସି ଆସିବା ଫଳରେ ସଂକ୍ରମଣ ହାରରେ ବୃଦ୍ଧି ଦେଖିବାକୁ ମିଳିଛି। ରାଜ୍ୟ ସରକାର ଚଳିତ ମାସ ଶେଷ ପର୍ଯ୍ୟନ୍ତ ଦୈନକ ୭୦ହଜାର ନମୁନା ପରୀକ୍ଷା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ହଠାତ୍ ନମୁନା ପରୀକ୍ଷାରେ ହ୍ରାସ ପଛର କାରଣ କ’ଣ, ତାହା ସ୍ପଷ୍ଟ ହୋଇପାରିନାହିଁ।

ରାଜ୍ୟରେ ଏବେ କରୋନା ସଂକ୍ରମଣ କମିକମି ଚାଲିଛି। ବିଶେଷକରି ଉପକୂଳ ଓଡ଼ିଶାର ହଟ୍‌ସ୍ପଟ୍ ପାଲଟିଥିବା ଜିଲ୍ଲାଗୁଡ଼ିକରେ ମଧ୍ୟ ସଂକ୍ରମଣରେ ହ୍ରାସ ପାଇଛି। ତେବେ କିଛି ଜିଲ୍ଲାରେ ସଂକ୍ରମଣ କମ୍‌-ବେଶି ହେଉଥିବାରୁ ରାଜ୍ୟ ସରକାର କେତେକ କଟକଣା ଜାରି ରଖିଛନ୍ତି। ଗତ ୨୪ ଘଣ୍ଟା ଭିତରେ କେବଳ ଖୋର୍ଧା(୩୮୮) ଓ କଟକ (୧୩୫) ଜିଲ୍ଲାରେ ଶହେ ଉପରେ ସଂକ୍ରମଣ ଦେଖିବାକୁ ମିଳିଛି। ବାଲେଶ୍ବର ୭୨, ଭଦ୍ରକ ୬୦, ଅନୁଗୁଳ ୫୫, ଜଗତସିଂହପୁର ୬୩, କେନ୍ଦ୍ରାପଡ଼ା ୬୬, ଯାଜପୁର ଓ ପୁରୀ‌‌‌‌‌‌ରୁ ୪୮ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୭୬ଜଣ ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କ ତଳେ ରହିଛି। ଗଜପତିରୁ ଜଣେ ହେଲେ ବି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୦ହଜାର ୮୬୬କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୬୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଧା ୨୩, କଟକ ୯, ପୁରୀ ୭, କେନ୍ଦ୍ରାପଡ଼ା ୬, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ ମୟୂରଭଞ୍ଜରେ ୩ ଲେଖାଏଁ, କଳାହାଣ୍ଡି, ଯାଜପୁର, ଗଞ୍ଜାମ, ଢେଙ୍କାନାଳ ଓ ଅନୁଗୁଳରେ ୨ ଲେଖାଏଁ, ବଲାଙ୍ଗୀର ଓ ନୟାଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୬୧୦୨ରେ ପହଞ୍ଚିଛି। ସେହିପରି ରାଜ୍ୟରେ ଆଜି ୧୭୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୬୨ହଜାର ୮୮କୁ ବୃଦ୍ଧି ପାଇଛି। ଏବେ ୧୨,୬୨୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର