କରୋନାରେ ମହାସୁଆର ନିଯୋଗ ସଭାପତିଙ୍କ ଦେହାନ୍ତ

ପୁରୀ: କରୋନା ଆକ୍ରାନ୍ତ ମହାସୁଆର ନିଯୋଗର ସଭାପତି ଜନାର୍ଦ୍ଦନ ମହାସୁଆରଙ୍କ ଭୁବନେଶ୍ବରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହା ଶ୍ରୀମନ୍ଦିର ସେବାୟତ ସମ୍ପ୍ରଦାୟର କରୋନାରେ ପ୍ରଥମ ମୃତ୍ୟୁ। ଖବର ନେବାରେ ଜଣାପଡ଼ିଛି, ଲୋକନାଥ ରୋଡ୍‌ ନିବାସୀ ଜନାର୍ଦ୍ଦନ ଦୀର୍ଘ ବର୍ଷ ଧରି ମହାସୁଆର ନିଯୋଗର ସଭାପତି ପଦବିରେ ଥିଲେ। ତାଙ୍କ ପରିବାର ସଦସ୍ୟମାନେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇଥିଲା। ଗତ ୨୩ ତାରିଖ ଦିନ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ମହାସୁଆର ନିଯୋଗ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଥିଲା।

ଏହି ବୈଠକରେ ନିଯୋଗର ନୂଆ କମିଟି ଗଠନ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ସ୍ବର୍ଗତ ମହାସୁଆରଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ତାଙ୍କ ଦେହାନ୍ତ ଖବର ଆସିବା ପରେ ବୈଠକ ଆୟୋଜିତ ହୋଇପାରିନାହିଁ।ଜନାର୍ଦ୍ଦନ କରୋନାରେ ମୃତ୍ୟୁବରଣ କରିଥିବାରୁ ତାଙ୍କର ଅନ୍ତିମ ସଂସ୍କାର ଭୁବନେଶ୍ବରରେ ହୋଇଥିବା ଜଣାପଡ଼ିଛି। ସ୍ବର୍ଗତ ମହାସୁଆରଙ୍କର ପତ୍ନୀ କରୋନା ଆକ୍ରାନ୍ତ ହୋଇ କଲେରା ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ପୁଅ ମଧ୍ୟ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର