ବଢ଼ୁଛି କରୋନା ମୃତ୍ୟୁ: ଭିମ୍‌ସାର କୋଭିଡ୍‌ ହସ୍ପିଟାଲରେ ୮ ମୃତ

ଗତ ୩ ଦିନରେ ୧୫

ସମ୍ବଲପୁର: ଭିମ୍‌ସାର କୋଭିଡ୍ ହସ୍ପିଟାଲରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ବିଗତ ୩ ଦିନର ରିପୋର୍ଟକୁ ଦେଖିଲେ ଭିମ୍‌ସାର କୋଭିଡ୍‌ ହସ୍ପିଟାଲରେ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଲାଣି। କେବଳ ଶୁକ୍ରବାର କୋଭିଡ୍‌ ହସ୍ପିଟାଲରୁ ୮ ଜଣ ମୃତକଙ୍କ ଶବ ବାହାରି ରାଜଘାଟରେ ଦାହ କରାଯାଇଥିବା ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଏତେ ସଂଖ୍ୟକ କୋଭିଡ୍‌ ଶବ ରାଜଘାଟରେ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ପୁଣିଥରେ ଆତଙ୍କ ଦେଖାଦେଲାଣି।

ଶୁକ୍ରବାରର ମୃତକଙ୍କ ମଧ୍ୟରେ ସମ୍ବଲପୁରର ୪୫ ବର୍ଷୀୟା ମହିଳା, ବରଗଡ଼ର ୨୧ ବର୍ଷୀୟ ଯୁବକ, ବଲାଙ୍ଗୀରର ୪ ବର୍ଷୀୟ ୨ ଯୁବକ, ଝାଡ଼ଖଣ୍ଡର ୨୧ ବର୍ଷୀୟା ଯୁବତୀ, ବୌଦ୍ଧର ୨୯ ବର୍ଷୀୟ ଯୁବକ, ଫୁଲବାଣୀର ୨୨ ବର୍ଷୀୟ ଯୁବକ ରହିଛନ୍ତି। ଏହାବାଦ୍‌ କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଜ‌ଣେ ଅଜଣା ରୋଗୀଙ୍କର ମୃତଦେହ ମଧ୍ୟ ଶୁକ୍ରବାର ରାଜଘାଟରେ ଦାହ କରାଯାଇଛି।
ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ଭିମ୍‌ସାର ଉପରେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ସାଙ୍ଗକୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ରୋଗୀ ମଧ୍ୟ ନିର୍ଭର କରୁଛନ୍ତି। ଏଭଳି ସ୍ଥିତିରେ ନିତିଦିନ ଭିମ୍‌ସାରକୁ ୨ ହଜାରରୁ ଊର୍ଦ୍ଧ୍ବ ରୋଗୀ ଆସୁଛନ୍ତି। ଯେଉଁମାନଙ୍କ ମଧ୍ୟରୁ କରୋନା ରୋଗୀ ଚିହ୍ନଟ ହେବା ପରେ ସେମାନଙ୍କୁ ଭିମ୍‌ସାର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ମାତ୍ର ବର୍ତ୍ତମାନ ସ୍ଥିତିରେ କରୋନା ମୃତ୍ୟୁ ବଢ଼ି ଚାଲିଥିବା ସମୟରେ ଭିମ୍‌ସାର କୋଭିଡ୍‌ ହସ୍ପିଟାଲ ବନ୍ଦ କରିବାକୁ ଯୋଜନା ଚାଲିଥିବାରୁ ଏହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ସେପଟେ, ଭିମ୍‌ସାର କୋଭିଡ୍‌ ଲ୍ୟାବ୍‌ରେ ମଧ୍ୟ ଏବେ ଦିନକୁ ପ୍ରାୟ ୪ଶହରୁ ଅଧିକ ନମୁନା ଆସୁଥିବାରୁ ଲ୍ୟାବ୍‌ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର