ଭୁବନେଶ୍ବର: ଆଜି କରୋନାରେ ଆଉ ୧୧ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ବରରୁ ୨ ଜଣ, ବଲାଙ୍କୀରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, କେନ୍ଦୁଝରରୁ ଜଣେ ଓ ପୁରୀରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Advertisment

ଅନ୍ୟ ସମସ୍ତ ମୃତ ସଂକ୍ରମିତ ପୁରୁଷ ହୋଇଥିବା ବେଳେ ଭୁବନେଶ୍ବର, ବଲାଙ୍ଗୀର, ଓ ଖୋର୍ଦ୍ଧ‌ାରୁ ୩ ମହିଳା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକମାନଙ୍କ ବୟସ ୪୬,୪୬, ୭୫, ୫୦, ୬୫, ୫୫, ୬୦, ୬୨, ୬୫, ୭୦ ଓ ୭୨ ବର୍ଷ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ୧୧ଜଣ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି |

ଆଜି ରାଜ୍ୟରେ ପୁଣି ନୂଆ ୩୭୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୦ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ରାଜ୍ୟରେ ମୋଟ୍ ୧୦୨୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨,୩୧୨ରେ ପହଞ୍ଚିିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୭୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।