ପୁଣି କରୋନା ନେଲା ୯ ଜୀବନ, ରାଜ୍ୟରେ ମୃତ୍ୟୁସଂଖ୍ୟା ୭୧୦

ଭୁବନେଶ୍ବର:  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଥିବା ବେଳେ ଜଣେ  ମହିଳା ଥିବା ଜଣାପଡ଼ିଛି। ଏହାସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୭୧୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ଦୁଇ ଜଣ ଥିବା ବେ‌ଳେ ବାଲେଶ୍ବର, ଜଗତସିଂହପୁର, କନ୍ଧମାଳରୁ , ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଅଛନ୍ତି।

କେନ୍ଦୁଝର ଜିଲ୍ଲାରୁ ଜଣେ ୩୮ ବର୍ଷିୟ ଓ ଜଣେ ୫୯ ବର୍ଷିୟ ପୁରୁଷ ମୃତ୍ୟୁମୁଖରେ ପଡ଼ିଥିବା ସମୟରେ ବାଲେଶ୍ବରରେ ଜ‌ଣେ ୪୮ ବର୍ଷିୟ ପୁରୁଷ ଓ ଜଗତସିଂହପୁରରେ ଜଣେ ୩୦ ବର୍ଷିୟା ମହିଳା କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଜଣେ ୯୦ ବର୍ଷିୟ ଓ ମୟୂରଭଞ୍ଜରେ ଜଣେ ୭୪ ବର୍ଷିୟ ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରେ ଜଣେ ୨୯ବର୍ଷିୟ ଯୁବକ ଓ ନୟାଗଡ଼ରେ ଜଣେ ୫୧ ବର୍ଷିୟ ପୁରୁଷ ମୃତ୍ୟୁମୁଖରେ ପଡ଼ିଥିବା କଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ଆଜି ରାଜ୍ୟରେ ୪୨୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୦୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୧୨୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର