୮୩୯୯ ପଜିଟିଭ୍, ପଜିଟିଭ୍ ହାର ଏବେ ବି ୧୨%
ଗ୍ରିନ୍ ଜୋନ୍‌କୁ ଖସିଲା ନୂଆପଡ଼ା, ଦେବଗଡ଼

Advertisment

ଭୁବନେଶ୍ବର : ରାଜ୍ୟରେ ଗତ କିଛି ଦିନ ହେବ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ମାତ୍ର ଏହି ମୃତ୍ୟୁ ସବୁ ଅତିକମ୍‌ରେ ୨ସପ୍ତାହ ପଛର ହେବ ବୋଲି ଅନୁମାନ କରାଯାଉଛି। ଗତ ମେ’ ମାସର ପ୍ରଥମ ସପ୍ତାହରେ ଦୈନିକ ମୃତ୍ୟୁ ସଂଖ୍ୟା ୨୦ ତଳେ ଦର୍ଶାଯାଉଥିଲା। ଦ୍ବିତୀୟ ସପ୍ତାହରେ ଏହା ୨୦ ପାର କରିବା ସହିତ ତୃତୀୟ ସପ୍ତାହରେ ହାରାହାରି ଦୈନିକ ୨୫ ଛୁଇଁଥିଲା। ତୃତୀୟ ସପ୍ତାହରେ ୩୫ ସଂଖ୍ୟାକୁ ଛୁଇଁଥିବା ବେଳେ ଚଳିତମାସ ଆରମ୍ଭରୁ ଏହା ୪୦ ଛୁଇଁଛି। ଯାହାକି ଏ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ଦୈନିକ କରୋନା ମୃତ୍ୟୁ।

ସ୍ବାସ୍ଥ୍ୟ ବିଭାଗ ମତରେ ପଜିଟିଭ୍‌ ସଂଖ୍ୟା ବଢ଼ିବାର ୨ରୁ୪ ସପ୍ତାହ ପରେ ମୃତ୍ୟୁ ସଂଖ୍ୟା ବଢ଼ିଥାଏ। ଏହା ସହ ରାଜ୍ୟରେ ହେଉଥିବା କରୋନା ମୃତ୍ୟୁର ଡେଥ୍ ଅଡିଟ୍‌ କରାଯାଉଛି। ଏ ଦୃଷ୍ଟିରୁ ବିଳମ୍ବରେ ଜିଲ୍ଲାସ୍ତରରୁ ମୃତ୍ୟୁ ସଂଖ୍ୟା ସ୍ବାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚୁଛି। ଏପ୍ରିଲ ମାସର ମଧ୍ୟଭାଗରେ ରାଜ୍ୟରେ ପ୍ରଥମଥର ଲାଗି ଦୈନିକ ସଂକ୍ରମଣ ୩ ହଜାର ଟପିଥିଲା। ପରବର୍ତୀ ସମୟରେ ଏହା ବଢ଼ି ଚାଲିଥିଲା। ଗତମାସ ୨୩ତାରିଖରେ ଏହା ସର୍ବାଧିକ ୧୨,୮୫୨‌ରେ ପହଞ୍ଚିଥିଲା। ଯଦି ସ୍ବାସ୍ଥ୍ୟ ବିଭାଗର କଥାକୁ ବିଚାରକୁ ନିଆଯାଏ, ତାହେଲେ ଆଜିର ସମୟରେ ‌ଘୋଷଣା ହେଉଥିବା ମୃତ୍ୟୁ ସଂଖ୍ୟା ହୁଏତ ଗତମାସ ମଧ୍ୟଭାଗର ହୋଇଥାଇପାରେ। ତେଣୁ ଆଜିର ସମୟରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଦୈନିକ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି କିମ୍ବା ହ୍ରାସରେ ଏବେ ଘୋଷଣା ହେଉଥିବା ମୃତ୍ୟୁ ସଂଖ୍ୟାର କୌଣସି ସଂପର୍କ ନାହିଁ।

ବିଭାଗ ପକ୍ଷରୁ ବୁଧବାର ଘୋଷଣା ହୋଇଥିବା ୪୦ ମୃତକଙ୍କ ମଧ୍ୟରେ ଅନୁଗୁଳ, କଟକ, କଳାହାଣ୍ଡି ଓ ଖୋର୍ଧାରୁ ୫ ଲେଖାଏଁ, ଝାରସୁଗୁଡ଼ା ୪, ବୌଦ୍ଧ, ରାୟଗଡ଼ାରେ ୩ ଲେଖାଏଁ, ସମ୍ବଲପୁର, ନବରଙ୍ଗପୁର, ଦେବଗଡ଼ରେ ୨ ଲେଖାଏ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ମାଲକାନଗିରିରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି। ଖୋର୍ଧାରେ ସର୍ବାଧିକ ୪୭୬ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟ ସରକାର ଲକ୍‌ଡାଉନ୍‌ ଲାଗୁ କରିବାର ୪ସପ୍ତାହ ହୋଇଗଲାଣି। ଯଦିଓ ଏହି ସମୟରେ ରାଜ୍ୟରେ ପଜିଟିଭ୍ ହାର ୨୬ ପ୍ରତିଶତରୁ ହ୍ରାସ ପାଇଛି, ତଥାପି ଏବେ ବି ଏହା ୧୦ ପ୍ରତିଶତ ଉପରେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୬,୬୮୩ କୋଭିଡ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଥିରେ ୮୩୯୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ହାର ୧୨.୫ ପ୍ରତିଶତ ରେକର୍ଡ କରାଯାଇଛି। ପଜିଟିଭ୍ ହାର କୃତ୍ରିମ ଭାବେ ହ୍ରାସ ପଛରେ ଆରଟି-ପିସିଆର ନମୁନା ସଂଖ୍ୟାରେ ହ୍ରାସ ଏକ ପ୍ରମୁଖ କାରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି।

ଖୋର୍ଧା ଜିଲ୍ଲା ସଂକ୍ରମଣ ଏବେ ବି ସମ୍ବେଦନଶୀଳ ସ୍ଥିତିରେ ରହିଛି। ଜିଲ୍ଲାରୁ ପୁଣିଥରେ ୧୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୭୬୬, ଯାଜପୁର ୫୧୪, ସୁନ୍ଦରଗଡ଼ ୪୭୭, ମୟୂରଭଞ୍ଜ ୪୮୫, ଅନୁଗୁଳ ୪୬୮, ଢେଙ୍କାନାଳ ୪୫୧, ଜଗତସିଂହପୁର ୨୬୯, ବାଲେଶ୍ବର ୨୪୦, ନୟାଗଡ଼ ୨୨୩, ରାୟଗଡ଼ା ୨୯୨, କେନ୍ଦ୍ରାପଡ଼ା ୨୧୦, ନବରଙ୍ଗପୁର ୨୦୦ ଓ ଷ୍ଟେଟ୍‌ ପୁଲରୁ ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୮୨ହଜାର ୧୩୧କୁ ବୃଦ୍ଧି ପାଇଛି।

ରାଜ୍ୟରେ ବୁଧବାର ୧୦,୫୯୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ଲକ୍ଷ ପାର୍ କରିଛି। ରାଜ୍ୟରେ ଏବେ ୭୬,୬୨୬ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ନୂଆପଡ଼ା, ଦେବଗଡ଼ ଜିଲ୍ଲା ଗ୍ରିନ୍ ଜୋନ୍‌କୁ ଖସି ଆସିଛି। ଜିଲ୍ଲାରେ ଏବେ ୫ଶହରୁ କମ୍ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଏହାସହ ୭ଟି ଜିଲ୍ଲା ୟୋଲୋ ଜୋନ୍‌ରେ ରହିଛି।