ରାଜ୍ୟରେ କରୋନା ମୃତ୍ୟୁ ହଜାରେ ନିକଟତର

ଦିନକରେ ୨୬୯୭ ପଜିଟିଭ୍, ୧୭ ମୃତ୍ୟୁ, ସୁସ୍ଥ ହେଲେ ୩୪୦୪ ରୋଗୀ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ୧ ହଜାର ନିକଟତର ହୋଇଛି। ଆଜି ୧୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସରକାରୀ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୯୧ରେ ପହଞ୍ଚିଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ୩ହଜାର ଉପର/ତଳ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ି ବଢ଼ି ଚାଲିଛି। ଆଜି ଘୋଷଣା ହୋଇଥିବା ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୪, ବାଲେଶ୍ବର ୩, ମୟୂରଭଞ୍ଜ ଓ ପୁରୀରୁ ୨ଜଣ ଲେଖାଏଁ, ସୋନପୁର, ନୟାଗଡ଼, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ବରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ତେବେ କରୋନା ଜନିତ ମୃତ୍ୟୁ କେଉଁ ଦିନ ହୋଇଛି, ତାହା ଜାଣିବା କଷ୍ଟକର।

ଅପରପକ୍ଷରେ ରାଜ୍ୟରେ ଆଜି ସଂକ୍ରମଣ ପୁଣି ୩ ହଜାର ତଳକୁ ଖସି ଆସିଛି। ସଂକ୍ରମଣ ଖସିବା ପଛରେ ଦୈନିକ କୋଭିଡ୍‌ ନମୁନା ପରୀକ୍ଷାର ସିଧାସଳଖ ସଂପର୍କ ରହିଛି। ଗତ ୭ ତାରିଖରେ ୪୯ ହଜାର ନମୁନା ପରୀକ୍ଷା ହୋଇଥିବା ବେଳେ ଗତକାଲି ୪୫,୧୬୯ ନମୁନା ପରୀକ୍ଷା ହୋଇଛି। ତେଣୁ ରାଜ୍ୟରେ ଯେ କରୋନା ସଂକ୍ରମଣ କମି ଆସିଛି, ତାହା କହିହେବ ନାହିଁ। ଏହା ପୂର୍ବରୁ ରାଜ୍ୟରେ ଗୋଟିଏ ଦିନ ସର୍ବାଧିକ ୬୩ ହଜାର ନମୁନା ହୋଇଥିଲା ଓ ତହିଁରୁ ୪୩୫୬ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସର୍ବାଧିକ ପରୀକ୍ଷାରୁ ଏବେ ପ୍ରାୟ ୧୮ ହଜାର ନମୁନା କମି ଆସିଛି। ଫଳରେ ଦୈନିକ ସଂକ୍ରମଣ ସେହି ଅନୁପାତରେ ଖସି ଆସିଛି। ସେହିପରି ରାଜ୍ୟରେ ଆର୍‌ଟି-ପିସିଆର୍‌ ବଦଳରେ ଅଧିକରୁ ଅଧିକ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା ହେଉଛି। ଚିହ୍ନଟ ୨୬୯୭ରୁ ୧୫୭୬ ସଙ୍ଗରୋଧରୁ ଓ ୧୧୨୧ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୪୬ହଜାର ୮୩୯ରେ ପହଞ୍ଚିଛି। ଖୋର୍ଧାରେ ସର୍ବାଧିକ ୪୨,୭୬୨ରୋଗୀ ଥିବା ବେଳେ କଟକରେ ୨୨,୭୬୬, ଗଞ୍ଜାମ ୨୦,୫୫୦ ଓ ପୁରୀରେ ୧୧,୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷେ ଆଜି ୩୪୦୪ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮କୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୫,୪୦୭କୁ ଖସି ଆସିଛି। ଖୋର୍ଧାରୁ ଆଜି ସଂକ୍ରମଣ ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଜିଲ୍ଲାରୁ ସର୍ବାଧିକ ୬୦୨ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୭୪, ପୁରୀ ୨୮୯, ବାଲେଶ୍ବରରୁ ୧୪୮ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ମୟୂରଭଞ୍ଜ ଓ ସମ୍ବଲପୁରରୁ ୧୩୦ ଲେଖାଏଁ, କେନ୍ଦୁଝର ୧୧୬, ଯାଜପୁର ୧୦୬, କେନ୍ଦ୍ରାପଡ଼ା ୯୮, ଭଦ୍ରକ ୯୨, ଜଗତ୍‌ସିଂହପୁର ୯୦, ଝାରସୁଗୁଡ଼ା ୮୬, ଅନୁଗୁଳ ୮୩, ନୂଆପଡ଼ା ୭୭, ନୟାଗଡ଼ ୭୪, କଳାହାଣ୍ଡି ୭୨, କନ୍ଧମାଳ ୭୧, ବଲାଙ୍ଗୀର ଓ ଢେଙ୍କାନାଳରୁ ୭୦ ଲେଖାଏଁ, ସୁନ୍ଦରଗଡ଼ ୬୬, କୋରାପୁଟ ୫୨, ନବରଙ୍ଗପୁର ୫୦, ଗଞ୍ଜାମ ଓ ସୋନପୁରରୁ ୪୮ ଲେଖାଏଁ, ମାଲକାନଗିରି ୩୮, ବୌଦ୍ଧ ୨୨, ଗଜପତି ୧୮, ଦେବଗଡ଼ ୧୧, ରାୟଗଡ଼ା ୨ ଓ ଷ୍ଟେଟ୍‌ ପୁଲ୍‌ରୁ ୧୬୪ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର