କରୋନା ମୃତ୍ୟୁ; ଚାଲିଛି ସତ-ମିଛର ଖେଳ !

ପ୍ରକୃତ ତଥ୍ୟ ଲୋକଙ୍କୁ ସଚେତନ କରିବ

ସୁନ୍ଦରଗଡ଼ : ମହାମାରୀ କରୋନା ସଂକ୍ରମଣରେ ସୁନ୍ଦରଗଡ଼ର ସ୍ଥିତି ଏକ ପ୍ରକାର ସଂଗୀନ ହୋଇପଡ଼ିଛି। ମହାମାରୀର ଦ୍ବିତୀୟ ଲହର ଆରମ୍ଭରୁ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଖୋର୍ଦ୍ଧା ପରେ ସୁନ୍ଦରଗଡ଼ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ହୋଇ ରହିଛି। ଏହା ମଧ୍ୟରେ ଗତ ୩ ଦିନ ତଳେ ସଂକ୍ରମଣରେ ଖୋର୍ଦ୍ଧାକୁ ପଛରେ ପକାଇ ଆଗକୁ ମାଡ଼ି ଯାଇଥିଲା। ଅବଶ୍ୟ ତା’ ପର ଦୁଇ ଦିନରେ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଛି। ଏସ୍ଥିତିରେ ଏଠାରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ନୁହେଁ। କେବଳ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରରୁ ପ୍ରତିଦିନ ଦାହ ସଂସ୍କାର ପାଇଁ ରାଣୀବଗିଚାସ୍ଥିତ ମଶାଣିକୁ ଆସୁଥିବା ଶବ ସଂଖ୍ୟା ଛାତିରେ ଛନକା ସୃଷ୍ଟି କରିଛି।

ଗତ ଅପ୍ରେଲ ୧୪ରୁ ମେ’ ୧୦ ତାରିଖ ମଧ୍ୟାହ୍ନ ଯାଏ ୧୩୧ଟି ମୃତଦେହର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରିଥିବା ମଶାଣିବନ୍ଧୁ ପ୍ରକାଶ କରିଛନ୍ତି। ଅବଶ୍ୟ ସେଥିମଧ୍ୟରୁ ଗୋଟିଏ ରାଉରକେଲା ଜୟପ୍ରକାଶ ହସ୍ପିଟାଲ ଓ ଗୋଟିଏ ଗୃହ ସଂଗରୋଧରୁ ଆସିଥିବା ସୂଚନା ରହିଛି। ଅନ୍ୟପଟେ ରାଉରକେଲା ବେଦବ୍ୟାସରେ କେତେ କରୋନା ସଂକ୍ରମିତ ମୃତଦେହ ଦାହ ସଂସ୍କାର କରାଯାଇଛି, ସେ ସମ୍ପର୍କିତ କୌଣସି ସୂଚନା ନାହିଁ। କିନ୍ତୁ ସରକାରୀ ରିପୋର୍ଟରେ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା କେବଳ ସୁନ୍ଦରଗଡ଼ ରାଣୀବଗିଚା ମଶାଣିରେ ସତ୍କାର କରାଯାଇଥିବା ସଂଖ୍ୟା ଠାରୁ ମଧ୍ୟ ବହୁତ କମ୍ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଯାହାକୁ ନେଇ ସାଧାରଣଲୋକଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି।

Wiktionary

ଯଦି ସରକାରୀ ରିପୋର୍ଟ ଠିକ୍ ଓ କରୋନାରେ କମ୍ ଲୋକଙ୍କ ମୃତ୍ୟୁ ହୋଇଛି, ତେବେ ମଶାଣିରେ ଦାହ ସଂସ୍କାର ହୋଇଥିବା ଶବଗୁଡ଼ିକ କାହାର। ଏନଟିପିସି କୋଭିଡ୍ କେନ୍ଦ୍ରରୁ ମହାପ୍ରୟାଣ ଗାଡ଼ିରେ ପଲିଥିନ୍ ପ୍ୟାକେଟରେ ଆସିଥିବା ଶବଗୁଡ଼ିକୁ ଶ୍ମଶାନ ବନ୍ଧୁମାନେ ପିପିଇ କିଟ୍ ପିନ୍ଧି ସତ୍କାର କରିଥିବା ବେଳେ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ, ସମ୍ପର୍କୀୟମାନଙ୍କୁ ଶବ ସଂସ୍ପର୍ଶରେ ଆସିବାକୁ ଦିଆ ନାହିଁ। ଯାହା କରୋନା ସଂକ୍ରମଣରେ ମୃତ୍ୟୁକୁ ସୂଚୀତ କରୁ ନାହିଁ କି ବୋଲି ପ୍ରଶ୍ନ ଉଠିଛି। ଏସ୍ଥିତିରେ ସରକାର କୌଣସି କାରଣରୁ କରୋନା ମୃତ୍ୟୁ ସଂଖ୍ୟାକୁ ଲୁଚାଇବାକୁ ଚାହୁଥିବା ଅଭିଯୋଗ ହୋଇଛି। କିନ୍ତୁ ଏ ଲୁଚାଇବାର ସମୟ ନୁହେଁ, ସଂକ୍ରମଣ ରୋକିବାକୁ ସରକାର ମୃତ୍ୟୁର ପ୍ରକୃତ ତଥ୍ୟ ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ଓ ସାମାଜିକକର୍ମୀମାନେ ମତପ୍ରକାଶ କରିଛନ୍ତି। ମୃତ୍ୟୁର ସଠିକ ତଥ୍ୟ ଆସିଲେ, ଲୋକେ ସଚେତନ ଓ ସତର୍କ ହେବେ। ଏପରିକି ଅମାନିଆ ମଧ୍ୟ ବେପରୱା ଭାବେ ପଦାକୁ ବାହାରିବାକୁ ଭୟ କରିବ ବୋଲି କୁହାଯାଇଛି।

ପ୍ରକାଶଯୋଗ୍ୟ, କରୋନାର ଦ୍ବିତୀୟ ଲହରରେ ଅପ୍ରେଲ ୧୪ରୁ ଏନଟିପିସି କୋଭିଡ୍ କେନ୍ଦ୍ରରେ ମୃତ୍ୟୁର ଧାର ଆରମ୍ଭ ହୋଇଥିଲା। ଅପ୍ରେଲ ୧୪ରୁ ମେ’ ୧୦ ମଧ୍ୟରେ କେବଳ ସୁନ୍ଦରଗଡ଼ ମଶାଣିରେ ୧୩୧ ମୃତଦେହ ଦାହ ସଂସ୍କାର କରାଯାଇଥିବା କହିଛନ୍ତି ମଶାଣି ବନ୍ଧୁ। ଅପ୍ରେଲ ୧୪ରେ ୧, ୧୫, ୧୬, ୧୭ ଓ ୧୮ ତାରିଖରେ ୨ଟି ଲେଖାଏଁ ଶବ ସତ୍କାର ପାଇଁ ପହଞ୍ଚିଥିଲା। ଅର୍ଥାତ ଏହି ୪ ଦିନରେ ୮ଟି ମୃତଦେହର ଦାହସଂସ୍କାର କରାଯାଇଥିଲା। ସେହିପରି ୧୯ରେ ଗୋଟିଏ, ୨୦ ଓ ୨୧ରେ ପୁଣି ଗୋଟିଏ ଲେଖାଏଁ ମୃତଦେହ ଆସିଥିବା ବେଳେ ୨୨ରେ ତାହା ୩କୁ ଛୁଇଁଥିଲା। ୨୩ରେ ୫, ୨୪ରେ ପୁଣି ୩, ୨୫ରେ ୬, ୨୬ରେ ୩ ଓ ୨୭ରେ ୪ଟି, ୨୮ରେ ୭, ୨୯ରେ ୬, ୩୦ରେ ୮ଟି ମୃତଦେହ ପୋଡ଼ା ଯାଇଥିଲା। ସେହିପରି ମେ’ ୧ରେ ୫ ଓ ୨ ଓ ୩ ତାରିଖରେ ୧୨ଟି ଲେଖାଏଁ ଓ ୪ ତାରିଖରେ ୧୦ଟି ମୃତଦେହ ଦାହ ସଂସ୍କାର କରାଯାଇଥିବା ମଶାଣି ବନ୍ଧୁ ସିଦ୍ଧାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ୫ ଓ ୬ ତାରିଖରେ ୭ଟି ଲେଖାଏଁ, ୭ରେ ୫ଟି, ୮ରେ ପୁଣି ୭ଟି, ୯ରେ ୪ଟି ଓ ୧୦ ତାରିଖରେ ମଧ୍ୟାହ୍ନ ସୁଦ୍ଧା ୫ ଟି ମୃତ ଦେହ ସତ୍କାର କରାଯାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର