ରାଜ୍ୟରେ କରୋନା ମୃତ୍ୟୁ ସାମାନ୍ୟ ବଢ଼ିଲା

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସାମାନ୍ୟ ବଢ଼ିଛି। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଛିଦିନ ଧରି ୫ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଉଥିଲା। ତେବେ ୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଏଥିରେ କଟକରୁ ୩, ବାଲେଶ୍ବର, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୭୭୮କୁ ବୃଦ୍ଧି ପାଇଛି। ରାଜ୍ୟରେ କେସ୍ ଫାଟାଲିଟି ରେଟ୍ (ସିଏଫ୍‌ଆର) ୦.୫୫ ପ୍ରତିଶତ ରହିଛି। ଖୋର୍ଧାରେ ସର୍ବାଧିକ ୩୦୩ଜଣ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୩୬୮ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ୪ଟି ଜିଲ୍ଲାରେ କୌଣସି ନୂତନ ରୋଗୀ ଚିହ୍ନଟ ହୋଇ ନ ଥିବା ବେଳେ ୧୪ଟି ଜିଲ୍ଲାରେ ୧୦ରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୪୯, ସୁନ୍ଦରଗଡ଼ ୪୫, ଅନୁଗୁଳ ୩୦, କଟକ ୨୬, ମୟୂରଭଞ୍ଜ ୨୪, କେନ୍ଦୁଝର ୨୨ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୧ହଜାର ୫୬୪କୁ ବୃଦ୍ଧି ପାଇଛି। ତେବେ ଲଗାତାର ରାଜ୍ୟରେ ସକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟୁଥିବା ‌କାରଣରୁ ସାମଗ୍ରିକ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୫.୨ ପ୍ରତିଶତକୁ ଖସି ଆସିଛି। ରାଜ୍ୟରେ ଆଜି ୬୦୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୧୬ହଜାର ୬୪୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୨୮୬କୁ ଖସି ଆସିଛି।

ସମ୍ବନ୍ଧିତ ଖବର