କରୋନା ଛଡାଇନେଇଛି ରୋଜଗାର: ଦୁର୍ଦ୍ଦିନରେ ପମ୍ପଚର, ସାଇକେଲ ଦୋକାନୀଙ୍କ ପରିବାର

ରାଉରକେଲା: କରୋନା ଛଡାଇ ନେଇଛି ଅନେକଙ୍କ ରୋଜଗାର। ପରିବାର ପ୍ରତିପୋଷଣ ପାଇଁ ଅନେକ ନିଜର ବେପାର ବଦଳାଇ ଦେଇଛନ୍ତି। କିଏ ପନି ପରିବା ବିକୁଛି ତ ପୁଣି କିଏ ରାସ୍ତା କଡରେ ଆଳୁ ପିଆଜ ବିକୁଛି। ତଥାପି ଛୋଟମୋଟ ଦୋକାନ କରି ପରିବାର ଚଳାଉଥିବା ଆଉ କିଛି ଦୋକାନୀ ଦିନକୁ ଦୁଇ ଓଳା ଠିକ୍‌ ଭାବେ ଖାଇବାକୁ ପାଉ ନାହାନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପମ୍ପଚର ଓ ସାଇକେଲ ଦୋକାନୀ। ରାଉରକେଲା ସହର ଓ ଏହାର ଆଖପାଖରେ ଦୋକାନ କରି ଉଭୟ ଦୋକାନୀଙ୍କ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସ୍ମାର୍ଟ ସିଟି ରାଉରକେଲା, ବେଦବ୍ୟାସ, ଫର୍ଟିଲାଇଜ, ବନ୍ଧମୁଣ୍ଡା ଆଦି ଅଞ୍ଚଳରେ ରହିଛି ପ୍ରାୟ ୪୦୦ରୁ ଅଧିକ ‌ପମ୍ପଚର ଓ ସାଇକେଲ ଦୋକାନ। ଟ୍ରକ, ବସ୍‌, କାର୍‌ , ଅଟୋ ଅବା ବାଇକ୍‌ ଚକାର ପମ୍ପଚର ମାରି ଦିନକୁ ୩ଶହରୁ ୪ ଶହ ଟଙ୍କା ରୋଜଗାର କରନ୍ତି। ସ୍ବଳ୍ପ ରୋଜଗାରେ ପରିବାର ଦୁଃଖକଷ୍ଟରେ ଚଳିଯାଏ। ଗତ ମାର୍ଚ୍ଚ ୨୨ରୁ ସାରା ଦେଶ୍‌ ଲକ୍‌ଡାଉନ୍‌ ହେବା ପରେ ବଢ଼ିଯାଇଛି ଏମାନଙ୍କ ଦୁର୍ଦ୍ଦଶା। କୋଠାବାଡି ନିର୍ମାଣଶ୍ରମିକ, ଉଠାଦୋକାନୀଙ୍କ ପାଇଁ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କିନ୍ତୁ ଏଭଳି ଦୁର୍ଦ୍ଦିନ ସମୟରେ ଏମାନଙ୍କ ପାଇଁ ସରକାରଙ୍କ ସହାୟତା ଯେମିତି ସାତସପନ ହୋଇଛି। ଦୋକାନ ବନ୍ଦ ହେବାକୁ ଇତି ମଧ୍ୟରେ ମାସେ ହେଲାଣି।

ଲକ୍‌ଡାଉନ୍‌ ଅବଧି ମେ ୩ ଅର୍ଥାତ୍‌ ଆହୁରି ୧୨ ଦିନ ବାକି ଅଛି। ମେ ୩ ପରେ ଦୋକାନ ବଜାର ଖୋଲିବ କି ନାହିଁ ତାହା ବି ଅନିଶ୍ଚିତତା। ଏତେ ଦିନ ପର୍ଯ୍ୟନ୍ତ ପରିବାର କେମିତି ଚଳିବ ତାକୁ ସେମାନେ ଚିନ୍ତାରେ ପଡିଛି। କିଛି ପମ୍ପଚର ଦୋକାନୀ ପିଲାଛୁଆଙ୍କ ଭୋକ ସହି ନ ପାରି ଲୁଚିଛପି ପମ୍ପଚର କାମ କରିବାକୁ ବାଧ୍ୟ ହେଉଛନ୍ତି। ପୁଲିସ ମାଡ ଭୟରେ ଅନେକ ଦୋକାନୀ ନିଜ ଦୋକାନ ଆଗରେ ପମ୍ପଚର ମାରିବାକୁ ଏହି ନମ୍ବର ଯୋଗାଯୋଗ କରନ୍ତୁ ବୋଲି ଲେଖିଛନ୍ତି। ସେହି ନମ୍ବର କଲ୍‌ ଆସିବା ମାତ୍ରେ ଦୋକାନୀ ଜଣକ ଗାଡି ମାଲିକଙ୍କ ଘରେ ପହଞ୍ଚି ପମ୍ପଚର ମାରୁଛନ୍ତି। ଦିନକୁ ଯେଉଁ ୫୦ ରୁ ୧୦୦ ଟଙ୍କା ରୋଜଗାର ହେଉଛି ସେଥିରେ ପରିବାର ପ୍ରତିପୋଷଣ କରୁଛନ୍ତି। ବିଶ୍ରା ରୋଡର ଟାୟାର ଦୋକାନୀ ପପୁ କହନ୍ତି କରୋନା ଭୟ ଯେତିକି ରହୁଛି, ତା’ଠାରୁ ଢ଼େର ଦୁଃଖ ଦେଉଛି ପରିବାର ଲୋକଙ୍କ ପେଟର ଭୋକ। ଦୋକାନ ବନ୍ଦ ହେବା ଦିନରୁ ହାତ ବାନ୍ଧି ବସିଛି। ଟଙ୍କାଟିଏ ରୋଜଗାର ନାହିଁ। ଯାହା କିଛି ସାଇତି ରଖିଥିଲି ଓଳିଏ ଖାଇ ରହୁଛୁ। କେବେ ଲକ୍‌ଡାଉନ୍‌ ଉଠିବ, ଆମେ ‌ଦୋକାନ ଖୋଲିବକୁ ଏହି କଥା ଭାବି ଭାବି ଦିନ ଯାଉଛି। ନୂଆ ବସଷ୍ଟାଣ୍ଡର ଅଶୋକ ପ୍ରସାଦ ସିଂହ କହିଛନ୍ତି ବସ୍‌ଷ୍ଟାଣ୍ଡରେ ପମ୍ପଚର ଦୋକାନ ଥିବାରୁ ବେଶ୍‌ ଦି ପଇସା ରୋଜଗାର ହୁଏ। ୩/୪ ଜଣ କର୍ମଚାରୀ ଏହି ରୋଜଗାରୁ ସେମାନଙ୍କ ପରିବାର ପ୍ରତିପୋଷଣ କରନ୍ତି। ଲକ୍‌ଡାଉନ୍‌ ପରେ ସେ କେମିତି ଚଳିବେ, କର୍ମଚାରୀଙ୍କୁ ଦରମା ଦେବେ ଚିନ୍ତାରେ ପଡିଛନ୍ତି। ସରକାର ଉଠାଦୋକାନୀ , ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଦେଲେ। ସେମାନଙ୍କ ପାଇଁ ଆମକୁ କିଛି ସହାୟତା କଲେ ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ପରିବାର ଚଳିଯାଆନ୍ତା ବୋଲି କହିଛନ୍ତି। ଅନୁରୂପ ଭାବେ ପାୱାର ହାଉସ୍‌ ରୋଡର ଚୁନୁ, ବେଦବ୍ୟାସ ମନ୍ଦିର ରୋଡର ହାମିସ୍‌, ଗାନ୍ଧିରୋଡର ବିନୟ, ଟ୍ରାଫିକ୍‌ ଗେଟ୍‌ର ପମ୍ପଚର ଦୋକାନୀ ମସ୍ତାନଙ୍କ ସେହି ସମାନ ଦୁଃଖ ବଖାଣିଛନ୍ତି। କହିଛନ୍ତି, ଦୋକାନ ଖୋଲିଲେ ଘରେ ଚୁଲି ଜଳୁଥିଲା। ଏବେ ଆମ ପରିବାର ପ୍ରତିପୋଷଣ ଚିନ୍ତା ବଢ଼ିଯାଇଛି। ଏଭଳି କଠିନ ସମୟରେ ପରିବାର ଦୁଃଖ ବୁଝିବାକୁ ସେମାନେ ସରକାରଙ୍କୁ ଗୁହାରି କରିଛନ୍ତି। ସେହି ସମାନ ଅବସ୍ଥା ସାଇକେଲ ମରାମତି ଦୋକାନୀଙ୍କର। ରାଉରକେଲା ମୁଖ୍ୟ ମାର୍କେଟ, ମଧୁସୂଦନ ଛକ, ଉଦିତନଗର କଚେରୀ ରୋଡ, ପାନପୋଷ ଏନ୍‌ଏସି ମାର୍କେଟ, ଇସ୍ପାତ ମାର୍କେଟ ସମେତ ଫର୍ଟିଲାଇଜର, ବନ୍ଧମୁଣ୍ଡା ଓ ବେଦବ୍ୟାସ ଥିବା ସାଇକେଲ ଦୋକାନରେ କିଛି ମିସ୍ତ୍ରୀ କାମ କରନ୍ତି। ଏଥିସହ ପ୍ରାୟ ଦେଢ଼ଶହରୁ ଅଧିକ ସାଇକେଲ ମରାମତି ଦୋକାନୀ ସହରର ପ୍ରମୁଖ ଛକ ଓ ବିଭିନ୍ନ ସ୍ଥାନରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ପମ୍ପଚର ଦୋକାନୀଙ୍କ ପରି କରୋନା ପରେ ଏମାନଙ୍କ ପରିବାର ମଧ୍ୟ ଭୋକ ଉପାସରେ ଦିନ କାଟୁଛନ୍ତି।

ସମ୍ବନ୍ଧିତ ଖବର