ଯୁଯୁମୁରା ବ୍ଲକ୍‌ରେ ୨୬ ଗାଁକୁ ଛୁଇଁନି କରୋନା

ଯୁଯୁମୁରା : କରୋନା ମହାମାରୀରେ ସମଗ୍ର ଦେଶ ଆତଙ୍କିତ ଓ ଥରହରା। ରାଜ୍ୟର ଅନେକ ଅଗମ୍ୟ ଅଞ୍ଚଳକୁ ମଧ୍ୟ ଏହି ଅଦୃଶ୍ୟ ଭୂତାଣୁ ପ୍ରବେଶ ହୋଇ ସାରିଛି। ତେବେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ରେ ୨୬ଟି ଗାଁକୁ କରୋନାର ଦ୍ବିତୀୟ ଲହର ଛୁଇଁ ପାରିନି। ଗ୍ରାମର ସମସ୍ତ ଲୋକ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଯୁଯୁମୁରା ବ୍ଲକରେ ରହିଛି ୧୮ ପଞ୍ଚାୟତରେ ୧୨୦ ରାଜସ୍ୱ ଗ୍ରାମ। ସେହି ଗ୍ରାମଗୁଡ଼ିକ ମଧ୍ୟରୁ ୯୪ଟି ରାଜସ୍ବ ଗ୍ରାମରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୨୬ଟି ଗ୍ରାମରୁ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହିସବୁ ଗାଁରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲେ ମଧ୍ୟ ଅଦ୍ୟାବଧି କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଏହି ଗାଁଗୁଡ଼ିକ ହେଲା ବାହାମ ପଞ୍ଚାୟତର ଖସୁପାଲି ଓ ପୁଡାପଡ଼ା, ବୀରସିଂଗଡ଼ ପଞ୍ଚାୟତର ବାରଲୋଇ, ଛାମୁଣ୍ଡା ପଞ୍ଚାୟତର ନୂଆଅଢ଼ାପଡ଼ା, ଡଙ୍ଗରପଡ଼ା ପଞ୍ଚାୟତର ହିରୋ, ଘେନୁପାଲି ପଞ୍ଚାୟତର ଝାଙ୍କରପାଲି, କଂସର ପଞ୍ଚାୟତର ଦାନ୍ତରି ଓ ମୁଷାକାନି, କୟାକୁଦ ପଞ୍ଚାୟତର ତାଳଝରଣ, ସାଡ଼ିହି ଓ ଲାଙ୍ଗବାହାଲ, କେଶାପାଲି ପଞ୍ଚାୟତର ବଘିହାଝରଣ ଓ ସାହାଜଖୁଲିଆ, ଲିପିଣ୍ଡା ପଞ୍ଚାୟତର ମରମଜୁରି, ପାଣ୍ଡରି ଓ ଫଲସାଖୁଳିଆ, ନୁଆବରଙ୍ଗାମାଲ ପଞ୍ଚାୟତର ଗୋବର୍ଦ୍ଧନବଡ଼ମାଲ, ଟାମ୍ପରଗଡ଼ ପଞ୍ଚାୟତର ଲଇଡ଼ା, ଝାଙ୍କରପାଲି ପଞ୍ଚାୟତର ବାବୁପାଲି ଓ ଡୁଡକାକୁଦ, ଜୟନ୍ତପୁର ପଞ୍ଚାୟତର ହୁପ୍ରିଆବାହାଲ, କବରାପାଲି ପଞ୍ଚାୟତର କୁଟୁରାଜୁରି ଓ ବାରିବନ୍ଧ, ଗଡ଼ଲୋଇସିଂ ପଞ୍ଚାୟତର ଜୁନାପାଣି, ବଡ଼ପାଳ ଓ ଆଲିଘାଟି।

ଏହିସବୁ ଗାଁର ଲୋକମାନେ ସତର୍କ ଓ ସଚେତନ ରହୁଥିବାରୁ ଅଦ୍ୟାବଧି କରୋନାରେ କେହି ସଂକ୍ରମିତ ହୋଇ ନଥିବା କୁହାଯାଉଛି। ଗତ ୨୪ ତାରିଖରୁ ଆଶା ଓ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଲୋକମାନଙ୍କୁ ସଚେତନ କରାଉଛନ୍ତି। ଗ୍ରାମବାସୀ ମଧ୍ୟ ସେମାନଙ୍କ ଗାଁରେ କରୋନା ଭୂତାଣୁକୁ ପୂରାଇ ନ ଦେବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର