ମହାପ୍ରଭୁଙ୍କ ନୀତିରେ ‘କରୋନା’ ପ୍ରଭାବ : ସନ୍ଧ୍ୟାରେ ପଡ଼ିଲା ପହୁଡ଼, ୧୦ ବର୍ଷ ଇତିହାସରେ ଏମିତି ହୋଇନଥିଲ‌ା

ପୁରୀ : କରୋନା କଟକଣାର ପ୍ରଭାବ ଶେଷରେ ମହାପ୍ରଭୁଙ୍କ ଉପରେ ପଡିଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଡ଼ା କଟକଣା ଲାଗିଥିବାରୁ ଗତକାଲି ଠାରୁ ପୁରୀକୁ ଭକ୍ତଙ୍କ ଆଗମନ କମିଛି। ଭକ୍ତ ବିନା ଶ୍ରୀମନ୍ଦିର ଖାଁ ଖାଁ ହୋଇପଡ଼ିଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ନଥିବାରୁ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ପହୁଡ଼ ନୀତି ସଅଳ( ସନ୍ଧ୍ୟା)ରେ କରି ଦିଆଯାଇଛି।

ଆଜି ସନ୍ଧ୍ୟା ୭.୪୫ ରେ ମହାପ୍ରଭୁଙ୍କ ପହୁଡ଼ ନୀତି ଅନୁଷ୍ଠିତ ହୋଇଛି। ତେବେ ବିପର୍ଯ୍ୟୟ ବେଳେ ଏଭଳି ସଅଳ ପହୁଡ଼କୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ନୀତିକାନ୍ତି କିମ୍ବା ଗ୍ରହଣ ନ ଥିଲେ ପ୍ରାୟତଃ ଏତେ ଶୀଘ୍ର ( ସଅଳ) ପହୁଡ଼ ହୋଇନଥାଏ। ଏପରିକି ଫନି ସମୟରେ ମଧ୍ୟ ଏତେ ସଅଳ ପହୁଡ଼ ହୋଇନଥିଲା। ଗତ ୧୦ ବର୍ଷ ଭିତରେ ଏଭଳି ସଅଳ ପହୁଡ଼ ହୋଇନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଶ୍ରୀମନ୍ଦିରରେ କଟକ‌ଣା ଯୋଗୁଁ ମନ୍ଦିର ଏବେ ଭକ୍ତ ଶୂନ୍ୟ ‌ରହିଛି। ଗତ ଦୁଇ ଦିନ ଭିତରେ ମହାପ୍ରଭୁଙ୍କ ହୁଣ୍ଡି ଆୟ ମଧ୍ୟ ଶତକଡା ୮୦ ପ୍ରତିଶତ ହ୍ରାସ ପାଇଛି। ଆନନ୍ଦବଜାରରେ ମଧ୍ୟ ମହାପ୍ରସାଦ ମିଳୁନାହିଁ। ଆଜି ସଅଳ ପହୁଡ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଶହ ଶହ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର