କରୋନା ଛଡ଼ାଇ ନେବ କି ବେପାର; କମୁଛି ଯାତ୍ରୀ, ବଢ଼ୁଛି ମାଲିକଙ୍କ ଚିନ୍ତା

ରାଉରକେଲା : କରୋନା ଏବଂ ଓମିକ୍ରୋନ ଭୟ ଏବେ ସମସ୍ତଙ୍କୁ ଘାରିଛି। ଦିନକୁ ଦିନ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ଭୟରେ ଉଭୟ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଖାଁ ଖାଲଁ। ପୂର୍ବଭଳି ଯାତ୍ରୀ ଦେଖିବାକୁ ମିଳୁନି ବସରେ। ଚିନ୍ତାରେ ପଡ଼ିଲେଣି ବସ୍ ମାଲିକ ଓ କର୍ମଚାରୀ। କରୋନା ଛଡାଇ ନେବକି ବେପାର। ଏମିତି ଭୟକୁ ନେଇ ଆଶା ଓ ଆଶଙ୍କାରେ ଉଭୟ ମାଲିକ ଓ କର୍ମଚାରୀ। ଆଗାମୀ ସ୍ଥିତି ଅସମ୍ଭାଳ ହେଲେ ବେପାର ପୁରା ବନ୍ଦ ହୋଇଯିବନି ତ ଏମିତି ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ବସ୍‌ରେ କାମ କରୁଥିବା ଶହ ଶହ କର୍ମଚାରୀ।

ରାଉରକେଲା ସହରରେ ସମୁଦାୟ ୧୯୫ଟି ବସ୍ ଚଳପ୍ରଚଳ କରୁଛି। ରାଜ୍ୟ ଭିତରେ କଟକ, ଭୁବନେଶ୍ବର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ପାରାଦ୍ୱୀପ, ଜଗତସିଂହପୁର, କେଉଁଝର, ବାରିପଦା, ବାଲେଶ୍ବର, ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଆଦି ସ୍ଥାନକୁ ୪୫ଟି ବସ୍ ପ୍ରତିଦିନ ଯିବା ଆସିବା କରିଥାଏ। ରାଜ୍ୟ ବାହାରକୁ କଲିକତା, ଝାଡ଼ଖଣ୍ଡ, ରାଞ୍ଚି, ରାୟପୁର, ବିହାର, ଗୟା ଆଦି ସ୍ଥାନକୁ ୧୫୦ଟି ବସ୍ ଯାଇଥାଏ। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଲୋକ ଯିବା ଆସିବା କରିଥାନ୍ତି। ସଂକ୍ରମଣ ବଢୁଥିବା ହେତୁ ଯାତ୍ରୀ ସଂଖ୍ୟା ଢ଼େର ହ୍ରାସ ପାଇଛି। ଫଳରେ ବସ୍ ମାଲିକମାନେ ଯାତ୍ରୀ ନହେବାରୁ ବସ୍ ବନ୍ଦ କରିବାକୁ ବସିଲେଣି। ଏହାର ପ୍ରଭାବ ପଡ଼ିଛି ବସ୍ ଟିକେଟ୍ ବିକି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଉପରେ।

ଟିକେଟ୍ କାଉଣ୍ଟର ସଂଘର ନେତା ମୀନକେତନ ରାଉତ କହିଛନ୍ତି, କରୋନା ଦ୍ବିତୀୟ ଲହର ପରେ ଅବସ୍ଥା ଠିକ୍ ହୋଇଥିଲା। ଆଶା କରିଥିଲୁ ପୂର୍ବ ଭଳି ବସ୍ ଚାଲିବ। ଯାତ୍ରୀମାନେ ପ୍ରତିଦିନ ଯିବା ଆସିବା କରିବେ। କିନ୍ତୁ ଜାନୁଆରୀ ପ୍ରଥମ ସପ୍ତାହରୁ ଯାତ୍ରୀ ହେଉ ନାହାନ୍ତି। ଖାଲି ବସ୍ ଆଉ କେତେଦିନ ଚାଲିବ। ରାଉରକେଲାରୁ ଭୁବନେଶ୍ବର ଥରେ ବସ୍ ଯିବା ଆସିବା କରିଲେ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ବସରେ ୫୦ ସିଟ୍ ଅଛି କିନ୍ତୁ ଲୋକ ୫ ଜଣ ଯାଉଛନ୍ତି ଭୁବନେଶ୍ୱର। ତେଲ ଖର୍ଚ୍ଚ ଉଠୁନି। ମାଲିକମାନେ ହାତରୁ ଟଙ୍କା ଖର୍ଚ୍ଚ କରି ବସ୍ ଚଳାଉଛନ୍ତି। ପୂର୍ବରୁ ରାଜ୍ୟ ଭିତରକୁ ୪୫ଟି ବସ୍ ଚାଲୁଥିଲା ବର୍ତ୍ତମାନ ୨୯ଟି ବସ୍ ଚାଲୁଛି। ସେମିତି ରାଜ୍ୟ ବାହାରକୁ ୧୫୦ଟି ବସ୍ ଚାଲୁଥିଲା ଏବେ ୮୦ଟି ବସ୍ ଚାଲୁଛି। ଆଉ କେତେ ଦିନ ଏମିତି କ୍ଷତିରେ ଚାଲିବେ। ଏଥିପାଇଁ କିଛି ବସ୍ ମାଲିକ ଦୂରସ୍ଥାନକୁ ଚଳାଚଳ କରୁଥିବା ବସ୍ ବନ୍ଦ କରିବାକୁ ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଲେଣି।

ସମ୍ବନ୍ଧିତ ଖବର