କରୋନା ସାଜିଲା କାଳ: ଲକ୍ଷେ ପିଲାଙ୍କ ପାଠରେ ଡୋରି

ଉପାନ୍ତ ଓ ଆଦିବାସୀ ଅଞ୍ଚଳରେ ଭୟଙ୍କର ଚିତ୍ର
ଭୁବନେଶ୍ବରରେ ପାଠପଢ଼ା ଛାଡ଼ିଛନ୍ତି ୫୦୪

ଭୁବନେଶ୍ବର : ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ୧୮ ମାସ ହେଲା ସ୍କୁଲ ବନ୍ଦ। ଦିନେ ବି ହେଲେ କ୍ଲାସରୁମ୍‌ ଶିକ୍ଷା ହୋଇପାରି ନାହିଁ। କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଏହି ଲହ‌ରରେ ଶିଶୁ ଅଧିକ ଆକ୍ରାନ୍ତ ହେବା ନେଇ ବିଶେଷଜ୍ଞମାନେ ମତପୋଷଣ କରିବା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ପୁଣିଥରେ ଆଶଙ୍କା ସୃଷ୍ଟି ହୋଇଛି। ଏମିତିକି ଅକ୍ଟୋବର ମାସ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ରାଜ୍ୟ ସରକାର ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ସମୟରେ ଡ୍ରପ୍‌ଆଉଟ୍‌ ତଥା ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କରୋନା କାଳରେ ଅର୍ଥାତ୍‌ ଗତ ୧୮ ମାସ ମଧ୍ୟରେ ପାଖାପାଖି ଏକ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ଲାଗିଛି। କିଏ ଅଧାରୁ ଶିକ୍ଷା ଗ୍ରହଣ ଛାଡ଼ିଛନ୍ତି ତ ଆଉ କିଏ ଉଚ୍ଚ ଶ୍ରେଣୀରେ ନାମ ଲେଖାଇ ପାରିନାହିଁ।

ଉପାନ୍ତ ତଥା ଆଦିବାସୀ ଅଧୁଷିତ ଅଞ୍ଚଳରେ ଡ୍ରପ୍ ଆଉଟ୍‌ ରେଟ୍‌କୁ ନେଇ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଏବେ ସୁଦ୍ଧା ପାଖାପଖି ୯୭ ହଜାର ପିଲା ଡ୍ରପ୍‌ ଆଉଟ୍‌ ହୋଇଥିବା ବେଳେ ସେଥିମଧ୍ୟରୁ ୬୦% କେବଳ ଉପାନ୍ତ ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍‌ଲାଇନ୍‌ ଶିକ୍ଷା ସେମାନଙ୍କ ପାଇଁ ହାତ ସପନ ପାଲଟିଛି। ଗଣଶିକ୍ଷା ବିଭାଗ ତଥ୍ୟ କହୁଛି ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୪ ହଜାର ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଲକ୍ଷ ପିଲାଙ୍କ ନିକଟରେ ଅନ୍‌ଲାଇନ୍‌ ଶିକ୍ଷା ପହଞ୍ଚୁଛି। କେତେକ ଜିଲ୍ଲାସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ ଗାଁକୁ ଗାଁ ବୁଲି ପିଲାଙ୍କୁ ପଢ଼ାଉଛନ୍ତି। ତା’ପରେ ବି ଉପାନ୍ତ ଓ ଦୂରଦୂରାନ୍ତ ସ୍ଥାନକୁ ଯାଇ ଶିକ୍ଷକମାନେ ପଢ଼ାଇବାରେ ଅସୁବିଧା ହେଉଛି। ଯେଉଁଥିପାଇଁ ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ କିମ୍ବା ଉଭୟ ବ୍ୟବସ୍ଥା ପରେ ବି ପାଖାପାଖି ୬୦% ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। କରୋନା କାଳରେ ପରିବାରର ମୁଖ୍ୟ ରୋଜଗାର ହରାଇଥିବାରୁ ପିଲାମାନେ ଆଗକୁ ପଢ଼ି ନ ପାରିବା ଆଉ ଏକ କାରଣ ପାଲଟିଛି। ଆର୍ଥିକ ଅଭାବ ପାଇଁ ବାପା, ମା’ମାନେ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବାରୁ ‌ପିଲାଙ୍କ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି।

ଚିନ୍ତାର ବିଷୟ ହେଉଛି ଯେ କରୋନା କାଳରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ୫୦୪ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଭୁବନେଶ୍ବର ବ୍ଲକ ଅଞ୍ଚଳରୁ ୨୬୨ ଜଣ ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୨୪୨ ଜଣ ପିଲାଙ୍କ ପାଠପଢ଼ାରେ ଡୋରି ଲାଗିଛି। ବସ୍ତି ଅଞ୍ଚଳର ବହୁ ପିଲା ଅଧାରୁ ପାଠପଢ଼ା ଛାଡ଼ିଥିବା ନଜରକୁ ଆସିଛି। ମୋଟ ଡ୍ରପଆଉଟ୍‌ ମଧ୍ୟରୁ ୪୦% ହେଉଛନ୍ତି ପ୍ରବାସୀ ଅଭିଭାବକ। ଯେଉଁମାନେ କି କରୋନା କାଳରେ ଭୁବନେଶ୍ବର ଛାଡ଼ି ପଳାଇଯାଇଛନ୍ତି। ୬ଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ସର୍ବାଧିକ ପିଲା ପାଠପଢ଼ା ଛାଡ଼ିଥିବା ଜଣାପଡ଼ିଛି।

Stock Pictures

ସୂଚନା ଅନୁଯାୟୀ ଅଧାରୁ ପାଠପଢ଼ା ଛାଡ଼ିଥିବା କିମ୍ବା ଆଦୌ ସ୍କୁଲ ମାଡ଼ି ନ ଥିବା ପିଲାଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ଗତ ମେ’ ମାସରେ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଓସେପାରେ ଦାଖଲ ହୋଇଥିବା ତଥ୍ୟ ଅନୁଯାୟୀ ୬ରୁ ୧୮ ବର୍ଷ ବୟସର ପିଲା ଚିହ୍ନଟ ହୋଇଛନ୍ତି। ଯେଉଁମାନେ କୌଣସି ବିଦ୍ୟାଳୟ/କଲେଜ/ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନାହାନ୍ତି କିମ୍ବା ଅଧାରୁ ଛାଡ଼ିଛନ୍ତି, ସେମାନଙ୍କୁ ଚିହ୍ନଟ ପାଇଁ ଏହି ସର୍ବେକ୍ଷଣ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାରୁ ମିଳିଥିବା ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ୯୭ ହଜାର ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି।

ଦେଢ଼ ବର୍ଷ ମଧ୍ୟରେ ‌ଏତେ ପିଲା ପାଠପଢ଼ା ଛାଡ଼ିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଡ୍ରପ୍‌ଆଉଟ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। କେଉଁ ଜିଲ୍ଲାରୁ କେତେ ପିଲା ଅଧାରୁ ପାଠ ଛାଡ଼ିଛନ୍ତି ତାହାର ରିପୋର୍ଟ ପହଞ୍ଚିବା ପରେ ସମୀକ୍ଷା କରାଯିବ।

ସୂଚନାଯୋଗ୍ୟ ଯେ ୨୦୧୯-୨୦ ଶିକ୍ଷାବର୍ଷ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ହାଇସ୍କୁଲ ଶିକ୍ଷା ପରେ ୨୪ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡ଼ିଛନ୍ତି। ଉଚ୍ଚ ପ୍ରାଥମିକ ସ୍ତରରେ ମଧ୍ୟ ଡ୍ରପ୍ଆଉଟ୍ ହାର ୪.୩ ପ୍ରତିଶତ ରହିଛି। କିନ୍ତୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏହି ହାର ମାତ୍ର ୦.୯ ପ୍ରତିଶତ ରହିଛି। ଯାହାକି ଜାତୀୟସ୍ତର ତୁଳନାରେ ଅତି ଉତ୍ତମ। କାରଣ ଜାତୀୟ ସ୍ତରରେ ପ୍ରାଥମିକ ଶିକ୍ଷାପରେ ୧.୫%, ଉଚ୍ଚ ପ୍ରାଥମିକ ୧.୮% ଓ ହାଇସ୍କୁଲରେ ୧୭.୩% ପିଲା ଅଧାରୁ ପାଠ ଛାଡ଼ୁଛନ୍ତି। ଦାରିଦ୍ର୍ୟ, ନିରକ୍ଷରତା ଓ ନିଯୁକ୍ତି ସୁଯୋଗ ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ବେଳେ ଉପାନ୍ତ ଅଞ୍ଚଳରେ ଏପରି ଦେଖାଦେଉଥିବା କୁହାଯାଇଛି।

ସମ୍ବନ୍ଧିତ ଖବର