ଚିନ୍ତା ବଢ଼ାଇଲାଣି କରୋନା : ପରୀକ୍ଷା‌କୁ ‌ନେଇ ବଢ଼ୁଛି ଦ୍ୱନ୍ଦ୍ୱ

ସିବିଏସ୍‌ଇ, ଜେଇଇ ମେନ୍‌, ନିଟ୍‌ ପରୀକ୍ଷାକୁ ନେଇ ମାନସମନ୍ଥନ
+୨ ପରୀକ୍ଷା ନିଷ୍ପତ୍ତି ନେଇପାରୁନି ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ
ଏବେ ବି ପରୀକ୍ଷା କେନ୍ଦ୍ରରେ ରହିଛି ସଙ୍ଗରୋଧ କେନ୍ଦ୍ର

ଭୁବନେଶ୍ବର : ଜୁଲାଇ ୧ରୁ ୧୫ ମଧ୍ୟରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ବିଭାଗର ବାକି ବିଷୟଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହେବ। କେଉଁ ଦିନ କେଉଁ ବିଷୟର ପରୀକ୍ଷା କରାଯିବ, ସେନେଇ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ୬ଦିନରେ ବାକି ଥିବା ପରୀକ୍ଷା କରିବାକୁ ସିଏଚ୍‌ଏସ୍‌ଇ ବି ନିଷ୍ପତ୍ତି ନେଇସାରିଥିଲେ ମଧ୍ୟ କେଉଁ ଦିନ କେଉଁ ବିଷୟର ପରୀକ୍ଷା କରାଯିବ, ସେନେଇ ସ୍ଥିର କରିନି। ହାତରେ ଆଉ ମାତ୍ର ୧୦ ଦିନ ବାକି ଥିବା ବେଳେ ଏବେ ଉଭୟ ପରୀକ୍ଷାକୁ ନେଇ ଆଶା ଆଶଙ୍କା ବଢ଼ିବାରେ ଲାଗିଛି।

ଚିନ୍ତାର ବିଷୟ ହେଉଛି ଯେ ଏବେ ସାରା ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପୁଛି। ଓଡ଼ିଶାରେ ବି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ପରିସ୍ଥିତି‌ରେ ପରୀକ୍ଷା କରାଯିବ କି ନାହିଁ, ତାହାକୁ ନେଇ ସବୁସ୍ତରରେ ମାନସମନ୍ଥନ ଜାରି ରହିଛି। ଦୁଇ ଦିନ ହେଲା, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକ କରିଛନ୍ତି। ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ‌ମେତ ଜୁଲାଇ ୧୮ରୁ ୨୩ ମଧ୍ୟରେ ଜେଇଇ ମେନ୍‌ ଓ ଜୁଲାଇ ୨୬ରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍‌ ଅନୁଷ୍ଠିତ ହେବ। ତେଣୁ ପରୀକ୍ଷା ପରିଚାଳନା କରୁଥିବା ସମସ୍ତ ସଂସ୍ଥାଙ୍କୁ ନେଇ ମଧ୍ୟ ବୈଠକ କରାଯାଇଛି। କେତେକ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ ସହ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକି ଥିବା ପରୀକ୍ଷାଗୁଡ଼ିକ ବାତିଲ୍‌ କରିବା ଲାଗି ବି ଆଲୋଚନା ଚାଲିଛି।

ସେପଟେ କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଆଇସିଏସ୍‌ଇ ଓ ଆଇଏସ୍‌ସି ଛାତ୍ରଛାତ୍ରୀଙ୍କୁ ଦୁଇଟି ବିକଳ୍ପ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯେଉଁମାନେ ପରୀକ୍ଷା ଦେବାକୁ ଚାହିଁବେ, ସେମାନେ ଜୁଲାଇରେ ହେବାକୁ ଥିବା ପରୀକ୍ଷା ଦେଇପାରିବେ। ଯେଉଁମାନେ ଦେବାକୁ ଚାହିଁବେ ନାହିଁ, ସେମାନଙ୍କ ପରୀକ୍ଷାଫଳ ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ/ପ୍ରି-ବୋର୍ଡ ପରୀକ୍ଷାକୁ ଆଧାର କରି ପ୍ରଦାନ କରାଯିବ। ଜୁନ୍‌ ୨୨ ସୁଦ୍ଧା ଛାତ୍ରଛାତ୍ରୀ ଯେ କୌଣସିରୁ ଗୋଟିଏ ନିଷ୍ପତ୍ତିକୁ ବାଛିବାକୁ କୁହାଯାଇଛି।

Justdial

ସିଏଚ୍‌ଏସ୍‌ଇ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ବିଭାଗର ବାକି ପରୀକ୍ଷା କରାଯିବ କି ନାହିଁ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ସପ୍ତାହେ ହେଲା ବୈଠକ ପରେ ବୈଠକ ଚାଲିଛି। ଓଡ଼ିଶାରେ କରୋନା ପରିସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ଏଭଳି ସମୟରେ ପରୀକ୍ଷା କରି ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇବା ପରି ହେବ ବୋଲି ମତ ପ୍ରକାଶ ପାଇଛି।

ବଡ଼ କଥା ହେଉଛି ଯେ ଏପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କେନ୍ଦ୍ର ସଙ୍ଗରୋଧ କେନ୍ଦ୍ର ମୁକ୍ତ ହୋଇପାରି ନାହିଁ। ଯୁକ୍ତ୨ ପରୀକ୍ଷା କେନ୍ଦ୍ର ହୋଇଥିବା‌ ପାଖାପାଖି ୬୦ଟି କଲେଜ‌ରେ ଏବେ ବି ପ୍ରବାସୀ ଓଡ଼ିଆ ରହିଛନ୍ତି। ଆଉ ୧୦ଦିନ ଭିତରେ କଲେଜ କ୍ୟାମ୍ପସ ଖାଲି ହେବା ସମ୍ଭାବନା ନାହିଁ। ସଙ୍ଗରୋଧ କେନ୍ଦ୍ର ବନ୍ଦ ହେଲେ ମଧ୍ୟ ବିଶୋଧନ କରାଯାଇ ସେଠାରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବା କଷ୍ଟକର ହୋଇପଡ଼ିବ। ତେଣୁ ପରୀକ୍ଷା ବାତିଲ୍‌ କରି ବିକଳ୍ପ ବ୍ୟବସ୍ଥା ମଧ୍ୟମରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଆଲୋଚନା ହେଉଛି। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପରୀକ୍ଷା ହେବ କି ନାହିଁ, ତାହାକୁ ନେଇ ଆଲୋଚନା ଚାଲିଛି। ସିବିଏସ୍‌ଇ ନିଷ୍ପତ୍ତିକୁ ଦେଖି ରାଜ୍ୟ ସରକାର ଯାହା କିଛି ନିଷ୍ପତ୍ତି ଗ୍ରହଣ କରିବେ। ସିବିଏସ୍‌ଇର ବାକି ପରୀକ୍ଷା ହେବ କି ନାହିଁ, ସୋମବାର ସ୍ଥିର ହୋଇପାରେ। ତାହାକୁ ଦେଖି ଆସନ୍ତା ସପ୍ତାହକ ମଧ୍ୟରେ ଯୁକ୍ତ୨ର ବାକି ପରୀକ୍ଷାର ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର