ପୁରୀ : ପ୍ରଳୟଙ୍କରୀ ବାତ୍ୟା ଫନି ବର୍ଷକ ତଳେ ପୁରୀ ଜିଲ୍ଲାରେ ତାଣ୍ଡବ ରଚିଥିଲା। ଏହାଦ୍ବାରା ଉଭୟ ଖରିଫ୍ ଓ ରବି ଚାଷ ପ୍ରଭାବିତ ହୋଇଥିଲା। ଚାଷୀମାନେ ବ୍ୟାପକ କ୍ଷତି ସହିଥିଲେ। ଚଳିତ ବର୍ଷ କରୋନା ସମାନ ପରିସ୍ଥିତି ସୃଷ୍ଟି କରିଛି। ଯେଉଁଥି ପାଇଁ ଚଳିତ ବର୍ଷର ଖରିଫ୍ ଫସଲ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। କାରଣ ଅଦ୍ୟାବଧି କୃଷି ଖସଡ଼ା (ନିର୍ଦ୍ଧାରଣ) କମିଟି ବୈଠକ ବସିନି। ସେ ପଟେ ଚାଷୀଙ୍କ ପାଇଁ ବିହନ ବି ଉପଲବ୍ଧ ହୋଇନି। ଆଉ ୪ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟ। ପରମ୍ପରା ଅନୁଯାୟୀ, ଚାଷୀମାନେ ଏହି ଦିନ ଅକ୍ଷି ମୁଠି ଅନୁକୂଳ କରିଥାନ୍ତି। ଖରିଫ ଚାଷ ପାଇଁ ଚାଷଜମିରେ ଧାନ ବୁଣିବା ଆରମ୍ଭ ହୋଇଥାଏ। କିନ୍ତୁ ବର୍ତ୍ତମାନର କଟକଣା ଏଥିରେ ଯେ ଭଳି ପ୍ରତିବନ୍ଧକ ଲଗାଇ ଦେଇଛି। ଯେଉଁଥି ପାଇଁ ଖରିଫ ଚାଷ ପାଇଁ ଆଜି ସୁଦ୍ଧା କ୍ଷେତ୍ର ପ୍ରସ୍ତୁତ ହୋଇପାରିନି। ବିହନ ଉପଲବ୍ଧ ନହେବା କାରଣରୁ ଚଳିତ ବର୍ଷ ଚାଷୀମାନଙ୍କ ଖରିଫ୍ ଋତୁରେ ଭଲ ଅମଳ ଆଶା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।
ପୁରୀ ଜିଲ୍ଲାରେ ଏକ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଖରିଫ ଚାଷ ହୋଇଥାଏ। ରବି ଅପେକ୍ଷା ଖରିଫ ଚାଷ ଅଧିକ ଚାଷୀ କରିଥାନ୍ତି। ଏଥି ପାଇଁ ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ସରକାରଙ୍କ ତରଫରୁ ବିହନ ବଣ୍ଟା ଆରମ୍ଭ ହୋଇଯାଇଥାଏ। ସେହି ଅନୁଯାୟୀ ଚାଷୀମାନେ ପାଗ ଦେଖି ଚାଷଜମି ହଳ କରିବା ସହ ଚାଷବାସ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଥାନ୍ତି। ସଞ୍ଚିତ ବିହନକୁ ପାଗ ଦେଖି ଗଜା କରି ବୁଣିଥାନ୍ତି। ବାତ୍ୟା ଫନି ଯୋଗୁଁ ଗତବର୍ଷର ଖରିଫ୍ ଫସଲ ଅମଳ ବିଳମ୍ବ ହୋଇଥିଲା। ସେହି ଅନୁଯାୟୀ, ରବି ଫସଲ ବି ବିଳମ୍ବ ହୋଇଛି। ଅଦ୍ୟାବଧି ଚାଷୀଙ୍କ ରବି ଫସଲ ଅମଳ ହୋଇପାରିନି। ଯେଉଁମାନେ ଅମଳ କରିଛନ୍ତି, କରୋନା କଟକଣା ପରେ ବିକ୍ରି କରି ପାରିନାହାନ୍ତି। ଚଳିତବର୍ଷ ରବି ଫସଲ ଅମଳ ହେଲା ବେଳକୁ କରୋନା କଟକଣା ଚାଷୀକୁ କ୍ଷତିରେ ପକାଇଛି। ଯେଉଁମାନେ ଧାନ ଅମଳ କରି ସାରିଛନ୍ତି, ସେମାନେ ପଞ୍ଜୀକରଣ କରି ଧାନ ବିକ୍ରି ପାଇଁ ଅପେକ୍ଷାରେ ରହିଛନ୍ତି। ବାକି ଏବେ ବି ବହୁ ଚାଷୀ ଧାନ ଅମଳ କରୁଛନ୍ତି। ନିମାପଡ଼ା, ଗୋପ, କଣାସ ଆଦି ଅଞ୍ଚଳରେ ଏବେ ସୁଦ୍ଧା ଧାନକଟା ସରିନି। ଯେଉଁଥି ପାଇଁ ଖରିଫ୍ ଚାଷ ବି ଗତ ବର୍ଷ ଭଳି ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି। ଅନୁକୂଳ ପାଗ ବିତି ଯାଉଥିବାରୁ ଏହା ଅମଳ ପରିମାଣକୁ ବି ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି। ଏ ସଂପର୍କରେ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ଚନ୍ଦ୍ରଶେଖର ରାଓ କହିଛନ୍ତି, ବର୍ତ୍ତମାନ ଅମଳ ସରିନଥିବାରୁ କୃଷି ନିର୍ଦ୍ଧାରଣ କମିଟି ବୈଠକ ବସି ପାରିନି। ଆଉ ସପ୍ତାହେ ଭିତରେ ଅମଳ କାର୍ଯ୍ୟ ଶେଷ ହୋଇଯିବ ବୋଲି ଲକ୍ଷ୍ୟ ରଖାଯାଇଛି।
ଅମଳ ପରେ ପରେ ଅର୍ଥାତ୍ ଆସନ୍ତା ମାସରେ ଏହି ବୈଠକ ଡାକିବାକୁ ଯୋଜନା ରହିଛି। କିନ୍ତୁ ବିହନ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। ୧୨ ଶହ କ୍ବିଣ୍ଟାଲ ଧାନ ବିହନ ମହଜୁତ ରହିଛି। କେବଳ ସାତଶଙ୍ଖ ପ୍ଲାଣ୍ଟରେ ୪୦୦ କ୍ବିଣ୍ଟାଲ ଧାନ ବିହନ ମହଜୁଦ ରହିଛି। ସେହିଭଳି ପିପିଲି ଓ ଅନ୍ୟାନ୍ୟ ସ୍ଥାନରେ ବି ବିହନ ମହଜୁଦ ରଖାଯାଇଛି। ଯେଉଁଥିରେ ଛୋଟ ଧାନ ତଥା ଡିଆରଆର ବିହନ ୪୦୦ କ୍ବିଣ୍ଟାଲ ଓ ପୂଜା ବିହନ ୮୦୦ କ୍ବିଣ୍ଟାଲ ଗଚ୍ଛିତ ରହିଥିବା ସେ କହିଛନ୍ତି। ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କ ଠାରେ ବିହନ ଉପଲବ୍ଧ ବ୍ୟବସ୍ଥା କରୁଛୁ ବୋଲି ଶ୍ରୀ ରାଓ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/farmer.jpg)