ଦିନ ମଜୁରୀଆଙ୍କ ପରିବାର ଉପରେ କରୋନାର କଳା ବାଦଲ, ଆର୍ଥିକ ଅନାଟନରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ପୌରପରିଷଦର ମାଗଣା ରନ୍ଧାଖାଦ୍ୟ ବଣ୍ଟନ ଉପରେ ପ୍ରଶ୍ନବାଚୀ

ବାରିପଦା: କରୋନା କାରଣରୁ ଆସିଥିବା ଆର୍ଥିକ ଅନାଟନକୁ ମୁକାବିଲା କରିନାପାରି ଜଣେ ବିବାହିତ ଯୁବକ ସାଗର ଦେଓଘରିଆ(୩୮) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସଦରମହକୁମା ବାରିପଦା ପୌରପରିଷଦର ମଧୁବନ ବଗିଚାସାହିର ସାଗର ଆଜି ପୂର୍ବାହ୍ନରେ ଘରେ କେହି ନଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ବାରିପଦା ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ମୃତକ ଜଣେ ଦିନମଜୁରୀଆ ଥିଲେ। କରୋନା ଫଳରେ ହୋଇଥିବା ଲକ୍ଡାଉନ କାରଣରୁ କାମଧନ୍ଦା ପୁରା ଠପ୍ ହୋଇଯିବା କାରଣରୁ ମୃତକଙ୍କ ଘରେ ଭୀଷଣ ଆର୍ଥିକ ଅନଟନ ଦେଖାଦେଇଥିଲା। ନିଜର ପତ୍ନୀ ମାମୁନୀ ଦେହୁରୀ, ଦୁଇ ପୁଅ ଦିପ୍ତି(୮) ଓ ଗେହ୍ଲୁ(୪)ଙ୍କୁ ଲକ୍ଡାଉନ ହେବା ଦିନରୁ ଚଳାଇବା ମୃତ ଯୁବକଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଏପରିକି ଗତ କିଛି ଦିନ ହେବ ତାଙ୍କ ଘରେ କେବଳ ପିଡିଏସ୍ ଚାଉଳକୁ ଛାଡି ଆଉ କିଛି ନଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ମୃତକଙ୍କ ପତ୍ନୀ ସାହିପଡ଼ିଶାରୁ ମାଗିଯାଚି ଗୁଜୁରାଣ ମେଣ୍ଟାଉଥିଲେ। ଏନେଇ ସାଗର ନିଜର ମାନସିକ ଭାରସାମ୍ୟ ହରାଇ ବସିଥିବା ଅଭିଯୋଗ ହୋଇଛି। ଆଜି ସାଗରଙ୍କ ଝୁଲନ୍ତା ଶରୀର ଦେଖି ବାରିପଦା ଟାଉନ୍ ଥାନାକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଆଇଆଇସି ବିରେନ୍ଦ୍ର ସେନାପତି ଓ ଜିଲ୍ଲା ଶ୍ରମ ଅଧିକାରିଣୀ ମୋନାଲିସା ନାୟକ ପହଞ୍ଚିଥିଲେ। ଶବକୁ ବ୍ୟବଚ୍ଛେଦ ନିମନ୍ତେ ପିଆର୍ଏମକୁ ପଠାଯାଇଥିଲା। ଏନେଇ ବାରିପଦା ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରିଣୀ କହିଛନ୍ତି ଯେ ମୃତକଙ୍କ ପରିବାରକୁ ପିଡିଏସ୍ ଚାଉଳ ଦିଆଯାଇଛି। ତେବେ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ବ୍ୟବସ୍ଥା କରାଯିବା ନେଇ ସମସ୍ତ ପ୍ରକ୍ରିୟା କରାଯାଇଛି। ଉଲ୍ଲେଖଯୋଗ୍ୟଯେ ରାଜ୍ୟ ସରକାର ଗରୀବ ଜନସାଧାରଣଙ୍କୁ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ବାରିପଦା ପୌରପରିଷଦରେ ମଧ୍ୟ ମାଗଣାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ତଥାପି କିପରି ମୃତକଙ୍କ ପରିବାରକୁ ରନ୍ଧାଖାଦ୍ୟ ମିଳିଲାନି ତାହା ଏହି ବ୍ୟବସ୍ଥାପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କରୋନାର କଳାବାଦଲ ଖଟିଖିଆ, ଦିନମଜୁରୀଆଙ୍କ ଉପରେ ପଡ଼ିଥିବା ସାଗରଙ୍କ ଆତ୍ମହତ୍ୟାରୁ ସ୍ପଷ୍ଟ ହୋଇଥିବା ମତପ୍ରକାଶ ପାଇଛି। ସାଗରଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ଛୁଆ ଓ ପତ୍ନୀ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର