ଘଟଗାଁ, (ଆନନ୍ଦ ଚନ୍ଦ୍ର ସିଂହ): ସକାଳୁ ସଞ୍ଜଯାଏ ଲାଗୁଥିଲା ଗହଳଚହଳ। ଓଡ଼ିଶାର କୋଣ ଅନୁକୋଣରୁ, ଏମିତିକି ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ମଧ୍ୟ ଭକ୍ତଙ୍କୁ ଦେଖିବାକୁ ମିଳୁଥିଲା ଏଠାରେ। ଦୈନିକ ହାରାହାରି ୧୦ ହଜାର ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରୁଥିଲେ। ଲକ୍ଡାଉନ୍ ପ୍ରଭାବରେ ଆଜି ଘଟଗାଁର ସେହି ପ୍ରସିଦ୍ଧ ତାରିଣୀ ପୀଠ ଖାଁ ଖାଁ। ରାସ୍ତାଘାଟ ଶୂନ୍ଶାନ୍। ହଜାର ସଂଖ୍ୟାରେ ବ୍ୟବସାୟୀ ଯେଉଁଠି ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ, ଆଜି ସେମାନେ ହାତବାନ୍ଧି ବସିଛନ୍ତି।
ମା' ତାରିଣୀଙ୍କ ପାଖକୁ ଦୈନିକ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ନଡ଼ିଆ ଆସୁଥିବାରୁ ତାକୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟରେ ଲୋକେ ନିୟୋଜିତ ହୋଇଥାନ୍ତି। ଗାଡ଼ିରୁ ନଡ଼ିଆ ସଂଗ୍ରହଠାରୁ ଆରମ୍ଭ କରି କତା ଛଡ଼ାଇବା, ତାକୁ ବିକିବା ଓ ନଡ଼ିଆ ତେଲ ପ୍ରସ୍ତୁତ କରିବା ଏବଂ ଶେଷରେ ନଡ଼ିଆ କୋରା ବା ନଡ଼ିଆ ଲଡୁ ତିଆରି କରି ବିକିବା ପର୍ଯ୍ୟନ୍ତ ବହୁ ଲୋକ ଏଥିରେ ରୋଜଗାରର ବାଟ ପାଇଥାନ୍ତି। ଏକ ହିସାବ ଅନୁସାରେ ୫ଶହରୁ ଊର୍ଦ୍ଧ୍ବ ଲୋକ ନଡ଼ିଆକୋରା, ନଡ଼ିଆ ତେଲ ବିକ୍ରି କରି ଜୀବିକା ନିର୍ବାହ କରିଥାନ୍ତି। ଲକ୍ଡାଉନ୍ ଯୋଗୁଁ ବସ୍, ଛୋଟବଡ଼ ଗାଡ଼ି, ଦୋକାନ ବଜାର ସବୁ ବନ୍ଦ ହୋଇଯାଇଛି। ମନ୍ଦିରରେ ମା'ଙ୍କ ଦର୍ଶନକୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ସାଧାରଣ ଯାତାୟାତ ମଧ୍ୟ ଠପ୍ ହୋଇଯାଇଛି। ଫଳସ୍ବରୂପ ଦୀର୍ଘ ୪୦ ବର୍ଷଧରି ନଡ଼ିଆକୋରା ଓ ନଡ଼ିଆ ତେଲ ପ୍ରସ୍ତୁତ କରି ପରିବାର ଚଳାଉଥିବା ଗରିବ ଲୋକଙ୍କ ଭାତହାଣ୍ଡିରେ ସିଧାସଳଖ ମାଡ଼ ହୋଇଛି। ଏହାବାଦ୍ ଶତାଧିକ ଭୋଗ ଦୋକାନ ବନ୍ଦ ରହିଛି। ନଡ଼ିଆ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ବିକ୍ରି କରି ସେମାନେ ପରିବାର ଚଳାଉଥିଲେ। ନୂଆ ଗାଡ଼ି ପୂଜା, ଗାଡ଼ି ପାର୍କିଂ ଆଦିରେ ମଧ୍ୟ ବହୁ ଲୋକ ନିୟୋଜିତ ହୋଇଥିଲେ। ଦୈନନ୍ଦିନ ପୂଜାରେ ଦେହୁରୀ (ପୂଜକ)ଙ୍କର ମଧ୍ୟ ପ୍ରମୁଖ ଭୂମିକା ରହୁଥିଲା। ଭକ୍ତ ନଥିବାରୁ ଟିକେଟ କାଉଣ୍ଟର, ମୋବାଇଲ କାଉଣ୍ଟର ଆଦିର ଆଉ କୌଣସି କାମ ନାହିଁ। ଏହାଦ୍ବାରା ମନ୍ଦିରର ଆୟ ଠପ୍ ହୋଇଯାଇଛି। ଭକ୍ତ ଆସୁନଥିବାରୁ ହୁଣ୍ଡିରୁ ଆୟ ମଧ୍ୟ ବନ୍ଦ ହୋଇଯାଇଛି। ଏମିତିରେ ପ୍ରତି ୧୫ ଦିନରେ ଥରେ ମନ୍ଦିର ହୁଣ୍ଡି ଖୋଲାଯାଇ ଟଙ୍କା ଓ ସୁନାରୁପା ଦାନର ହିସାବ ହେଉଥିଲା। ସାଧାରଣ ଦିନରେ ଗୋଟିଏ ଥର ହୁଣ୍ଡି ଖୋଲିଲେ ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ମାଙ୍କ ପର୍ବପର୍ବାଣି ନୂଆବର୍ଷ ଆଦି ସମୟରେ ତାହା ୧୫ ଲକ୍ଷ ଟପିଯାଇଥାଏ। ଏବେ ମା'ଙ୍କ ଚଇତି ପର୍ବ ହେବାକୁ ଯାଉଛି, କିନ୍ତୁ ଏହା କେବଳ ନୀତିକାନ୍ତି ଓ ପୂଜାର୍ଚ୍ଚନାରେ ସୀମିତ ରହିବ। ନଚେତ ପ୍ରତି ବିଷୁବ ସଂକ୍ରାନ୍ତରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ଏହି ସମୟରେ ମା'ଙ୍କର ଆୟ ତ ହୋଇଥାଏ; ସ୍ଥାନୀୟ ବ୍ୟବସାୟୀ, ଦୋକାନୀ ମଧ୍ୟ ଭଲ ଦିପଇସା ରୋଜଗାର କରିଥାନ୍ତି। ଲୋକଙ୍କ ଆତଯାତ ନଥିବାରୁ ଶତାଧିକ ଛୋଟବଡ଼ ଜଳଖିଆ ଦୋକାନ, ହୋଟଲ, ଲଜ୍ ଆଦି ଫାଙ୍କା ପଡ଼ିଛି। କହିବାକୁ ଗଲେ ଘଟଗାଁର ଅର୍ଥନୀତି ପୂରା ଦୋହାଲି ଯାଇଛି। ଘଟଗାଁ, କେନ୍ଦୁଆପଡ଼ା, ଖମଣମୁଣ୍ଡ, ଉପରଡିହା, ସାଉଁତିସାହି, ମୁକୁନ୍ଦପୁରପାଟଣାର ୫ଶହରୁ ଊର୍ଦ୍ଧ୍ବ ପରିବାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ହଠାତ ଲକ୍ଡାଉନ୍ ଯୋଗୁଁ ତିଆରି ସରିଥିବା ହଜାରହଜାର ଟଙ୍କାର ନଡ଼ିଆକୋରା ବିକ୍ରି ନହୋଇ ନଷ୍ଟ ହୋଇଥିବା ସେମାନେ କହିଛନ୍ତି। ମହିଳାମାନେ ସ୍ବୟଂସହାୟକ ଗୋଷ୍ଠୀ ଜରିଆରେ ନଡ଼ିଆ କୋରା, ତେଲ ଆଦି ପ୍ରସ୍ତୁତ କରି ଜୀବିକା ନିର୍ବାହ କରୁଥିଲେ। ଘଟଗାଁରେ ୧୪ଟି ଏସଏଚ୍ଜି, ମୁକୁନ୍ଦପୁରପାଟଣାରେ ୭ଟି, କେନ୍ଦୁଆପଦାରେ ୪ଟି ଏପରି ମୋଟ ୨୫ଟି ଏସ୍ଏଚ୍ଜି ଏହି କାମ କରୁଥିଲେ। ଏବେ ସେମାନଙ୍କ ହାତରେ କାମ ନାହିଁ। ଏହି ଅବସ୍ଥା ଅଧିକ ଦିନ ଲାଗି ରହିଲେ ପରିସ୍ଥିତି ଅଣାୟତ୍ତ ହୋଇଯିବ ବୋଲି ମହିଳା ଗୋଷ୍ଠୀର ଅଞ୍ଜନା ମହାରଣା, ପାକି ଦେହୁରୀ, ନନ୍ଦିନୀ ନାଏକ, ଶାନ୍ତି ନାଏକ, ସ୍ନେହ ନାଏକ, କବିତା ନାଏକ, କୁମୁଦିନୀ ନାଏକ, କାଞ୍ଜନ ନାଏକ ଓ ଟୁନୀ ନାଏକ ପ୍ରକାଶ କରିଛନ୍ତି।