ସିନେମା ହଲ୍ ଅନ୍ଧାର : କରୋନା ବୁଡ଼ାଇବ ୧୦୦ କୋଟିର କାରବାର! ୫ ହଜାର କର୍ମଚାରୀଙ୍କ ରୋଜଗାର ପ୍ରଭାବିତ

କଟକ : କରୋନା ମାଡ଼ରେ କ’ଣ ହେବ ଓଡ଼ିଶା ସିନେମା ଶିଳ୍ପର ଭାଗ୍ୟ? ଅଣ୍ଟା ସଳଖିବ ନା ମହାବାତ୍ୟା ସମୟର ସ୍ଥିତିକୁ ଫେରିଯିବ? ଲକଡାଉନ ପରେ ରାଜ୍ୟର ୧୪୦ ସିନେମା ହଲ୍ ବନ୍ଦ ପଡ଼ିଛି। ସୁଟିଂ ହୋଇଥିବା ଓଡ଼ିଆ ସିନେମା ମୁକ୍ତିଲାଭ କରିପାରୁ ନାହିଁ। ଆଉ କିଏ ସୁଟିଂ ଅଧାରୁ ବନ୍ଦ ହୋଇଛି। ଯଦିଓ ରଜରେ ସିନେମା ମୁକ୍ତିଲାଭ କରିବାକୁ ଯୋଜନା କରାଯାଉଛି, ତେବେ ଗୋଟିଏ ପ୍ରେକ୍ଷାଳୟରେ ଶହ ଶହ ଲୋକ ଏକାଠି ଦେଖିବାକୁ ଆସିବେ କି ନାହିଁ, ସେ ନେଇ ଆଶଙ୍କା ବି ରହିଛି। ମହାରାଷ୍ଟ୍ର ଉପରେ ଯେଭଳି କରୋନା ପ୍ରଭାବ ପଡ଼ିଛି, ହିନ୍ଦୀ ସିନେମା ଅକ୍ଟୋବର ପୂର୍ବରୁ ମୁକ୍ତିଲାଭ କରିବାର ଆଶଙ୍କା କମ୍। ଓଡ଼ିଶାରେ ଯେ କେବଳ ଓଡ଼ିଆ ସିନେମାରେ ହଲ୍ ବ୍ୟବସାୟ ଚାଲିବ, ସେ ଆଶା ହଲ୍ ମାଲିକମାନେ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ସିନେମା ଡିଷ୍ଟ୍ରିବ୍ୟୁଟର, ପ୍ରଯୋଜକ ଏବଂ ସିନେମା ହଲ୍ ମାଲିକଙ୍କର ପାଖାପାଖି ୧୦୦ କୋଟିର ବ୍ୟବସାୟ ପ୍ରଭାବିତ ହେବାକୁ ଯାଉଥିବା ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ଆଶଙ୍କା କରୁଛି।

ସୂଚନା ଅନୁଯାୟୀ, ଓଡ଼ିଶାରେ ୨୦୦୦ ମସିହା ପୂର୍ବରୁ ପାଖାପାଖି ୨୩୦ ସିନେମା ହଲ୍ ଥିଲା। ୧୯୯୯ ମହାବାତ୍ୟା ସିନେମା ଶିଳ୍ପ ଉପରେ ଭୟଙ୍କର ପ୍ରଭାବ ପକାଇଥିଲା। ଅନେକ ହଲ୍ ବନ୍ଦ ହୋଇ ବିବାହ ମଣ୍ଡପ କିମ୍ବା ସପିଂ ମଲ୍ ରୂପ ନେଇଥିଲା। ଏବେ ରାଜ୍ୟରେ ପାଖାପାଖି ୧୪୦ ସିନେମା ହଲ୍ ସଚଳ ସ୍ଥିତିରେ ରହିଛି। କିନ୍ତୁ ଏବେ କରୋନା ମାଡ଼ ଓଡ଼ିଶା ସିନେମା ଶିଳ୍ପର ସ୍ଥିତିକୁ ଅଧିକ ଦୁର୍ବଳ କରିଦେଇଛି। ଓଡ଼ିଶାରେ ଅକ୍ଷୟ ତୃତୀୟା, ରଜ ଏବଂ ଦୁର୍ଗାପୂଜାରେ ଓଡ଼ିଆ ସିନେମା ରିଲିଜ୍ ହେଇଥାଏ। ଏବେ ଜୁନରେ ରଜ ପର୍ବ ଥିବାରୁ ଓଡ଼ିଶାରେ ସୁଟିଂ ହୋଇଥିବା ସିନେମା ରିଲିଜ୍ ହେବା ନେଇ ଆଶଙ୍କା ଦେଖା ଦେଇଛି। ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ଭୟରେ ଗଲା ମାର୍ଚ୍ଚ ୧୩ ତାରିଖ ପରଠାରୁ ହଲ୍ ଗୁଡ଼ିକ ବନ୍ଦ ଥିବାରୁ ମେ ୩ ତାରିଖରେ ଲକଡାଉନ୍ ଉଠିଲେ ଯେ ହଲ୍ ଚାଲିପାରିବ, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ମାସିକ ହଲ୍ ପିଛା ବିଦ୍ୟୁତ ଦେୟ, ମେସିନ୍ ରକ୍ଷଣାବେକ୍ଷଣ, କର୍ମଚାରୀଙ୍କ ଦରମା ଇତ୍ୟାଦି ମିଶାଇ ଦୁଇ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଏଭଳି ସ୍ଥିତିରେ ହଲ ମାଲିକଙ୍କ ଯେଉଁ କ୍ଷତି ହେଉଛି, ସେ କ୍ଷତିର ଭରଣା କରାଯିବା ସମ୍ଭବପର ନୁହେଁ ବୋଲି କଟକ ଗ୍ରାଣ୍ଡ ସିନେମା ହଲ୍ ମ୍ୟାନେଜର କବିର ଚରଣ ସ୍ବାଇଁ କହିଛନ୍ତି।

କଟକ ତେଲେଙ୍ଗାବଜାରସ୍ଥିତ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସର ଚେୟାରମ୍ୟାନ ଦିଲ୍ଲୀପ କୁମାର ମିଶ୍ର କହିଛନ୍ତି ଯେ, କେବଳ ଓଡ଼ିଆ ନୁହେଁ, ହିନ୍ଦୀ ସିନେମାକୁ ନେଇ ଓଡ଼ିଶାରେ ବ୍ୟବସାୟ ହେଉଛି। ତେବେ ସିନେମା ହଲ ମାଲିକ, ପ୍ରଯୋଜକ, ଡିଷ୍ଟ୍ରିବ୍ୟୁଟରଙ୍କ ୧୦୦ କୋଟିର ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଓଡ଼ିଶାରେ ପାଖାପାଖି ୧ ହଜାର ଟେକନିସଆନ୍, ପ୍ରଯୋଜକ ଓ ଡିଷ୍ଟ୍ରିବ୍ୟୁଟର ୮୦୦, ସିନେମା ହଲ୍ ମାଲିକ ପାଖାପାଖି ୨୦୦ ଏବଂ ସିନେମା ହଲ୍ କର୍ମଚାରୀ ପାଖାପାଖି ୧୬୦୦ କାର୍ଯ୍ୟ କରୁଛନ୍ତି। ସିନେ ଓ ସିରିଏଲ କଳାକାର ବି ଅଛନ୍ତି। ଓଡ଼ିଶାରେ ସିନେମା ଶିଳ୍ପ ସହିତ ଜଡ଼ିତ ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କ ରୋଜଗାର ସିଧାସଳଖ ପ୍ରଭାବିତ ହେବେ। ଏବେ ସିନେମା ସୁଟିଂ ଆରମ୍ଭ କରିବାକୁ ଅନୁମତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖାଯାଉଛି। ସିନେମା ସୁଟିଂ ପାଇଁ ପ୍ରାୟ ୫୦ ଜଣଙ୍କ ଆବଶ୍ୟକତା ଥିବା ବେଳେ ଏବେ ଆମେ ଅତି କମରେ ୧୫ରୁ ୨୦ ଜଣଙ୍କୁ ନେଇ ସିନେମା ସୁଟିଂ କରିବାକୁ ଚାହୁଁଛୁ। ଛୋଟ ୟୁନିଟରେ କାମ କରାଯିବ। ସିନେମା ଗୀତ ରେକର୍ଡିଂ ପାଇଁ କିଛି ମ୍ୟୁଜିକ ଷ୍ଟୁଡିଓ ବି ଖୋଲିବାକୁ ଅନୁମତି ଦିଆଯିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ସରକାର ଏଥିପାଇଁ ଅନୁମତି ଦେଲେ କିଛି ପରିବାର ବଞ୍ଚିଯିବେ।

ଓଡ଼ିଶା ଫିଲ୍ମ ଡିଷ୍ଟ୍ରିବ୍ୟୁଟର ସିଣ୍ଡିକେଟ୍ ସମ୍ପାଦକ ଜିତେନ୍ଦ୍ର ଖଣ୍ଡେଲଓ୍ବାଲ୍ କହିଛନ୍ତି ଯେ, ଓଡ଼ିଶାରେ ବର୍ଷକୁ ପାଖାପାଖି ୩୦ ଟି ସିନେମା ରିଲିଜ୍ ହୁଏ। ରଜରେ ଓଡ଼ିଆ ସିନେମା ରିଲିଜ କରିବାକୁ ଚେଷ୍ଟା ଚାଲିଛି। କିନ୍ତୁ ହିନ୍ଦୀ ସିନେମା ବି ଚାଲିବା ଦରକାର। ତେବେ ମହାରାଷ୍ଟ୍ରର ସ୍ଥିତି ଯେଭଳି ରହିଛି, ହିନ୍ଦୀ ସିନେମା ଚାଲିବା କଷ୍ଟକର ହୋଇପଡ଼ିବ। ଯଦି ହଲ୍ ଖୋଲିବ, ଦର୍ଶକ ହଲକୁ ଭୟରେ ନଆସିବାର ଆଶଙ୍କା ରହିଛି। ସିନେମା ଶିଳ୍ପ ପ୍ରଭାବିତ ହେଉଥିବାରୁ ସରକାର ଡିଷ୍ଟ୍ରିବ୍ୟୁଟରଙ୍କୁ ଜିଏସଟିରେ ଦୁଇ ବର୍ଷ ଛାଡ଼ ଏବଂ ସିନେମା ହଲ୍ ପାଇଁ ବିଦ୍ୟୁତ ଦେୟ ଛାଡ଼ କରିବା ଆବଶ୍ୟକ। ସିନେମା ପ୍ରଯୋଜକ ସଂଜୟ ନାୟକ କହିଛନ୍ତି ଯେ ଯଦିଓ ମେ ୩ ତାରିଖରେ ଲକଡାଉନ ହଟିବା ନେଇ କୁହାଯାଉଛି, କିନ୍ତୁ ରଜକୁ ବଡ଼ ସିନେମା ମୁକ୍ତିଲାଭ କରିବାରେ ସମସ୍ୟା ହୋଇପାରେ। ମେ ୩ ତାରିଖ ପରେ ସିନେମା ସୁଟିଂ ପାଇଁ ଅନୁମତି ମିଳିବ କି ନାହିଁ, ସେ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି। ଜୁନରେ ରଜ ପୂର୍ବରୁ ହଲ୍ ଖୋଲିଲେ ବ୍ୟବସାୟ ହେବାର ସମ୍ଭାବନା ରହିଛି। ଜୁନ୍ ପରେ ଖୋଲିଲେ କିଛି ଫାଇଦା ନାହିଁ। କାରଣ ବର୍ଷା ସିଜିନ୍ ଆସିବ।

ଅଭିନେତା ତଥା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତ ଯେ, ବର୍ତ୍ତମାନ ସ୍ଥିତିରେ ଯେଉଁ ସିନେମା ଓ ସିରିଏଲ ସୁଟିଂ ହେଇଛି, ରିଲିଜ୍ ହେବା କଷ୍ଟକର ହୋଇପଡ଼ିବ। ରାଜ୍ୟରେ ଟେକନିସିଆନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ସରକାରଙ୍କୁ ନିଗମ ପକ୍ଷରୁ ଅନୁରୋଧ କରାଯାଇଛି। କଟକ ଗୋପାଳପୁରସ୍ଥିତ ଓଡ଼ିଶା ମୋସନ ପିକଚର୍ସ ଟେକନିସିଆନ୍ ଓ୍ବାର୍କର୍ସ ଆସୋସିଏସନର ସଭାପତି ଦେବୁ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଟେକନିସିଆନମାନେ ଉଭୟ ସିରିୟଲ ଏବଂ ସିନେମା ସୁଟିଂ ବନ୍ଦ ଥିବାରୁ ରୋଜଗାର ହରାଇଛନ୍ତି। ଆସୋସିଏସନ୍ ଅଧିନରେ ଥିବା ୭୦୦ ପଞ୍ଜିକୃତ ଟେକନିସିଆନଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର