ଗୋଳନ୍ଥରା : ଲକ୍ଡାଉନ୍ କଟକଣା ପରେ କ୍ଷତି ମୁଣ୍ଡାଉଛନ୍ତି ଚାଷୀ। କେଉଁଠି ଫସଲର ଅଭାବୀ ବିକ୍ରି ଦେଖାଦେଲାଣି ତ, ଆଉ କେଉଁଠି ଚାଷୀ ପନିପରିବାକୁ ପୋତି ଦେଉଛନ୍ତି। ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ବର୍ତ୍ତମାନ ଏହି ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଏଥିରୁ ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍ର ଛତୁଚାଷୀ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଲକ୍ଡାଉନ୍ ଯୋଗୁଁ ଗଞ୍ଜାମ ଜିଲ୍ଲାର ଛତୁ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲାକୁ ରପ୍ତାନି ହୋଇପାରୁ ନ ଥିବାରୁ ଚାଷୀ ହତାଶ ହୋଇଛନ୍ତି।
ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧୀନ କନିଷି, ରଣ୍ଢା, ଗୋଳନ୍ଥରା, କୋଠାରସିଂ ଓ ଚିକିଟି ବ୍ଲକ୍ର ରାଧାମୋହନପୁର ଗ୍ରାମର ଶତାଧିକ ଚାଷୀ ଛତୁ ଚାଷକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି। ଏଠାକାର ଉତ୍ପାଦିତ ଛତୁ କୋରାପୁଟ, ଜୟପୁର ଓ ସେମିଳିଗୁଡ଼ାକୁ ରପ୍ତାନି ହୋଇଥାଏ l ଚାଷୀମାନେ ଛତୁ ଆଣି ବ୍ରହ୍ମପୁର ଆସି ବସ୍ ଯୋଗେ ଅନ୍ୟ ଜିଲ୍ଲାକୁ ପଠାଇଥାନ୍ତି।
କିନ୍ତୁ ଲକ୍ଡାଉନ୍ ପରେ ଯାନବାହନ ଚଳାଚଳକୁ ନିଷିଦ୍ଧ କରାଯାଇଥିବାରୁ ଦୈନିକ ଶହ ଶହ କିଲୋ ଛତୁ ଆଉ ବାହାରୁ ଜିଲ୍ଲାକୁ ରପ୍ତାନି ହୋଇପାରୁନି। ଫଳରେ ଚାଷୀ ବାଧ୍ୟ ହୋଇ ଅଳ୍ପ ଦାମରେ ଛତୁକୁ ସ୍ଥାନୀୟ ଲୋକଙ୍କ ହାତରେ ଟେକି ଦେଉଛନ୍ତି। ବର୍ତ୍ତମାନ ସମୟରେ କଢ଼ ଛତୁର ଉତ୍ପାଦନ ଅଧିକ ହେବା ସହ ଭଲ ରୋଜଗାର ହୋଇଥାଏ। କିନ୍ତୁ ଭଲ ଆଦାୟ ସମୟରେ ମହାବିପତ୍ତି ଚାଷୀଙ୍କୁ ଦୁର୍ଦ୍ଦଶା ମୁହଁକୁ ଠେଲି ଦେଇଛି ବୋଲି ଚାଷୀ ଏନ୍.ତାରିଣୀ ରେଡ୍ଡି, ଦେବ ପ୍ରଧାନ ଓ ଗାଣ୍ଡୁ ସାହୁ ପ୍ରମୁଖ କହିଛନ୍ତି। ପୂର୍ବରୁ ଛତୁ କିଲୋ ୨୨୦ ଟଙ୍କାରେ ବିକ୍ରି ହେଉଥବା ବେଳେ ବେପାରୀ ଆମ ପାଖରୁ ୧୫୦ ଟଙ୍କା ତ କେବେ, ୧୩୦ରୁ ୧୪୦ ଟଙ୍କାରେ ମୂଲଚାଲ୍ କରିନେଉଛନ୍ତି। ବେପାରୀମାନେ ବର୍ତ୍ତମାନ ବଜାରରେ କିଲୋ ପିଛା ୨୨୦ ଟଙ୍କାରେ ବିକୁଛନ୍ତି। ଏଭଳି ପରିସ୍ଥିତିରେ ଚାଷୀମାନେ ଛଣବିଡ଼ା ଓ ଛଣ ମଧ୍ୟ ଚଢ଼ାଦରରେ କିଣୁଛନ୍ତି। ଏହି ଅଞ୍ଚଳ ପୂର୍ବରୁ ପାନ ଚାଷ ପାଇଁ ପ୍ରସିଦ୍ଧ ଥିବା ବେଳେ କାଳକ୍ରମେ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେବାରୁ ଚାଷୀମାନେ ଆସ୍ଥା ହରାଇ ଛତୁ ଚାଷକୁ ଆପଣାଇଥିଲେ। କିନ୍ତୁ କରୋନା ସବୁ ବିଗାଡ଼ିଦେଲା ବୋଲି ସେମାନେ କହିଛନ୍ତି।