ଜୟପୁର : ପ୍ରଥମେ ପ୍ଲାଷ୍ଟିକ ସାମଗ୍ରୀ ମାରିଥିଲା ଏବେ କରୋନା ଭୂତାଣୁ ଜଳାଉଛି। କମ ଅର୍ଥରେ ମିଳୁଥିବା ପ୍ଲାଷ୍ଟିକ ଜାତୀୟ ଉତ୍ପାଦ ହେତୁ ପେଟରେ ଲାତ ବାଜିଥିଲା। ହାତ ପହାନ୍ତାରେ ଏହି ପ୍ଲାଷ୍ଟିକ ଜିନିଷ କମ ଦରରେ ମିଳୁଥିବାରୁ ବେଶୀ ଦିନ ବି ଯାଉଥିଲା। ତେଣୁ ମାଟି ତିଆରି ସରଞ୍ଜାମ କିଣିବାକୁ ମନ ବଳାଉ ନାହାନ୍ତି ଗରାଖ। ଗରାଖ ମନ ବଳାଉ ନ ଥିବାରୁ ଆମର ବିକ୍ରି ମଧ୍ୟ ହୋଇପାରୁନାହିଁ। ଯେଉଁ କାମ ବର୍ଷକ ବାରମାସ କରୁଥିଲୁ ଏବେ ତାହା ବର୍ଷରେ ଦୁଇ କି ତିନିମାସ କାମ କରୁଛୁ। ତାହାପୁଣି ସିଜିନ ହିସାବରେ। ଦିପାବଳୀ, ଜାଗର, ଗଣେଷ ପୂଜା, ଦଶହରା ଓ ରଥଯାତ୍ରାକୁ ଛାଡିଦେଲେ ଆଉ ବେପାର ଜମୁନି। ଏହି ତିନିମାସରେ ଯାହା ଦ୍ରବ୍ୟ ତିଆରି କରିଥିଲୁ ତାହା ବର୍ଷକ ଯାକ ରହିଯାଉଛି। ବିକ୍ରି ହୋଇ ନ ପାରି ନଷ୍ଟ ହେଉଛି। ପରିବାର ଚଳିବା କଷ୍ଟକର ହେଉଛି। ତେଣୁ ଏହି ପାରମ୍ପାରିକ କୌଳିକ ବୃତ୍ତି ଛାଡିବାକୁ ବସିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କୁମ୍ଭାରପୁଟ ଗାଁର ୨୦ ପରିବାର।
ଗାଁର ରଘୁ କୁମ୍ଭାର କହିଛନ୍ତି ଯେ ଦିନ ଥିଲା ଏହି ଗାଁରେ ୨୭୦ରୁ ସବୁ ପରିବାର କୁମ୍ଭାରକୁ ପାରିବାରିକ କୌଳିକ ବୃତ୍ତି ଭାବେ ଗ୍ରହଣ କରିଥିଲେ। ଏହିଠାରୁ ଅବିଭକ୍ତ କୋରାପୁଟକୁ ଯାଉଥିଲା ମାଟିରୁ ତିଆରି ବିଭିନ୍ନ ସରଞ୍ଜାମ। ଏବେ ସ୍ଥାନରେ ନବରଙ୍ଗପୁର, ପେଟେରୁ ଓ ବୋରିଗୁମ୍ମାରୁ ଲୋକମାନେ ଆସି ଜୟପୁରରେ ଆସ୍ଥା ଜମାଇଛନ୍ତି। ତେଣୁ ଆଗ ଭଳି ବେପାର ହେଉନି। କରୋନା ଭୂତାଣୁରେ ଲକଡାଉନ ହେତୁ ମାଟି ସରଞ୍ଜାମ ତିଆରି କରିବାକୁ ମାଟି, କୋଇଲା ଓ କାଠ ମିଳୁ ନାହିଁ। ତେଣୁ ପେଷା ଛାଡି ଅନ୍ୟ ଧନ୍ଧା କରିବାକୁ ମନ ବଳାଉଛୁ ବୋଲି ସେ କହିଛନ୍ତି। ଲଳିତା କୁମ୍ଭାର କହିଛନ୍ତି ଯେ ଆଗ ପରି ଆଉ ବେପାର ହେଉନାହିଁ। ସିଜିନଵାରୀ ବେପାର ହେଉଛି। ଚଳିତବର୍ଷ ଯେଉଁ କରୋନା ଭାଇରସ ଆସିଲା ତାହାର ସିଧାସଳଲଖ ପ୍ରଭାବ ପଡିଛି ଆମ ଖଟିଖିଆଙ୍କ ଉପରେ। ସରକାର ସିନା ଆର୍ଥିକ ସହାୟତା ଭାବେ କିଛି କେଜିର ଚାଉଳ ଓ ୧୦୦୦ଟଙ୍କା ଦେଲେ ତାହା ସମୁଦ୍ରକୁ ସଙ୍ଖେ। ଗୋଟିଏ ୪ଜଣିଆ ପରିବାର ସପ୍ତାହ ଯାକ ଖଟିଲେ ଟଙ୍କା ୧୫୦୦ ଲାଭ ହେବ। ୧୫୦୦ ଟଙ୍କାରେ ଖର୍ଚ୍ଚ ଯିବାପରେ ତେଲଲୁଣ ସ˚ସାର ଚଳିବା କଷ୍ଟକର। ତେଣୁ ୨ ପୁଅ ଓ ଗେରସ୍ତ ରଘୁ ବାହାର ରାଜ୍ୟକୁ ଯାଉଥିଲେ। ଏବେ ସେମାନେ ବି ଆସି ଘରେ ରହିଛନ୍ତି ତେଣୁ ଏପରିସ୍ଥିତିରେ ପରିବାର କିପରି ଚଳିବୁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।
ଦମୋଦର କୁମ୍ଭାର କହିଛନ୍ତି ଯେ ଲକଡାଉନ ହେତୁ ଲକଡାଉନ ହେତୁ ମାଟି, ଅଙ୍ଗାର, କୋଇଲା ଓ କାଠ ଜମା ମିଳୁନାହିଁ। ଯାହା ସଞ୍ଚିତ ହୋଇ ରହିଥିଲା ତାହା ଶେଷ ହୋଇଗଲାଣି। ନିକଟରେ ନଦୀରୁ ଆସୁଥିବା ମାଟି ମଧ୍ୟ ଆସୁନାହିଁ। ତେଣୁ ମାଟି କାମ ହୋଇପାରୁ ନାହିଁ ବୋଲି ସେ କହିଛନ୍ତି।
ରମ୍ଭା କୁମ୍ଭାର କହିଛନ୍ତି ଯେ ୮ ପ୍ରାଣି ସ˚ସାର ଏବେ କୌଳିକ ବୃତ୍ତି ଛାଡି ସାରିଲୁଣି। ଦୁଇ ପୁଅ କେରଳକୁ ଯାଇଥିବାବେଳେ ଗେରସ୍ତ ଓ ମୁଁ କିଛି ଜମିରେ ଚାଷ କରୁଛୁ ବୋଲି ସେ କହିଛନ୍ତି।