ପୂଜା ରୋଜଗାରକୁ କରୋନା ମାଡ଼ : ଗଣେଶ ପୂଜା ବଜାରକୁ ୬୦ କୋଟିର ଝଟକା

ଭୁବନେଶ୍ୱର : ରାତି ପାହିଲେ ଧରାବତରଣ କରିବେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ। ହେଲେ ପ୍ରଭୁଙ୍କ ଆବାହନ ପାଇଁ ନା ଅଛି ଉତ୍ସାହ, ନା ହୋଇଛି ଆଡ଼ମ୍ବର। ପୂଜା ମଣ୍ଡପ ସଜେଇ ହୋଇନି କି ଗଳିକନ୍ଦି ଆଲୁଅ ମାଳାରେ ଝଲସୁନାହିଁ। ବିଶାଳ ମୂର୍ତି ପାଇଁ ବରାଦ ହୋଇନାହିଁ କି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ସାଂସ୍କୃତିକ ଦଳକୁ ବଇନା ଦିଆ ଯାଇନାହିଁ। କରୋନା ପାହାରରେ ପୂଜା ବଜାର ଦୋହଲି ଯାଇଛି। ଏହା ଖାଲି ପୂଜାନୁଷ୍ଠାନ ସଦସ୍ୟଙ୍କ ଉତ୍ସାହକୁ ଫିକା କରିଦେଇନି, ବରଂ ଗଣେଶ ପୂଜାକୁ ‌ବର୍ଷେ ତଳୁ ଚାହିଁ ବସିଥିବା ମୂର୍ତିକାର, କଳାକାର, ଟେଣ୍ଟ୍ ଓ ଲାଇଟ୍‌ ବ୍ୟବସାୟୀ, ଫୁଲ ବ୍ୟବସାୟୀ, ମେଢ଼ କାରିଗରଙ୍କ ରୋଜଗାର ଛଡ଼େଇ ନେଇଛି। କରୋନା ଯୋଗୁଁ ପୂଜାରେ ଅଙ୍କୁଶ ଲାଗିବା ପରେ ଗଣେଶ ପୂଜା ବଜାରକୁ ୬୦ କୋଟି ଟଙ୍କାର ଝଟକା ଲାଗିଥିବା ଏକ ବେସରକାରୀ ଆକଳନ କରାଯାଇଛି।

ସମଗ୍ର ରାଜ୍ୟର ପ୍ରମୁଖ ପୂଜା ମଣ୍ଡପ ସଂଖ୍ୟା ୬ହଜାରରୁ ଅଧିକ ହୋଇଥିବା ବ‌େଳେ ସେସବୁ ସ୍ଥାନରେ ପୂଜା ହେବ ନାହିଁ ବୋଲି ପ୍ରଶାସନ ନିର୍ଦେଶ ଦେଇଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଶ୍ରମିକ ଓ କାରିଗର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। କାରଣ କେବଳ ପୂଜା ଓ ସାଜସଜା ପାଇଁ ୪୦ କୋଟି ଟଙ୍କା ଖର୍ଚ ହେଉଥିଲା। ଏହାସହିତ ପୂଜାରେ ଆୟୋଜନ ହେଉଥିବା ମେଳା, ମୀନାବଜାର, ଯାତ୍ରା, ମେଲୋଡ଼ି ଆଦିକୁ ମିଶାଇଲେ ପ୍ରାୟ ୬୦ କୋଟି ଟଙ୍କାର ରୋଜଗାରରେ କ୍ଷତି ହୋଇଥିବା ହିସାବ କରାଯାଇଛି।

ଭାରତରେ ମୁମ୍ବାଇ ଭଳି ଓଡ଼ିଶାରେ ଜଟଣୀ ଗଣେଶ ପୂଜା ରାଜ୍ୟ ପ୍ରସିଦ୍ଧ। ପାଖାପାଖି ୧୨ଟି ପ୍ରମୁଖ ପୂଜା ମଣ୍ଡପରେ ଗଣେଶଙ୍କ ବିଶାଳ ମୂର୍ତି ଦେଖିବାକୁ ସମଗ୍ର ରାଜ୍ୟରୁ ଲୋକଙ୍କ ଭିଡ଼ ଜମେ। ପୂଜାରେ କେବଳ ୧କୋଟିରୁ ଊର୍ଧ୍ବ ‌ଖର୍ଚ୍ଚ ହେଉଥିବା ବେଳେ ବୃହତ୍‌ ମେଳାରେ ୧୩ ଦିନର ‌ପୂଜାରେ ୬ଟି ଯାତ୍ରା ଦଳ ଯାତ୍ରା ପରିବେଷଣ କରନ୍ତି। ଏହାବ୍ୟତୀତ ମୀନାବଜାରଠୁ ନେଇ ବହୁ ଆଡ଼ମ୍ବର ଓ ଚାକଚକ୍ୟ ଦେଖିବାକୁ ମିଳେ। କେବଳ ବ୍ୟବସାୟ ପାଖାପାଖି ୧୫ କୋଟି ଛୁଇଁଯାଏ ବୋଲି ଜଟଣୀ ବ୍ୟବସାୟୀ ସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ କହିଛନ୍ତି। ଭୁବନେଶ୍ବରକୁ ମିଶାଇଲେ ଖୋର୍ଧାରେ ମୋଟ୍‌ ୩ କୋଟି ଟଙ୍କା ଖର୍ଚରେ ପୂଜା ଉତ୍ସବ ଅନୁଷ୍ଠିତ ହୁଏ। ଅନୁଗୁଳରେ ୮୦ଟି ପୂଜା ମଣ୍ଡପରେ ପୂଜା ଖର୍ଚ୍ଚ ୫କୋଟି ଛୁଇଁଯାଏ। ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଜସଜାରେ ବହୁ ଅର୍ଥ ବ୍ୟୟ ହୁଏ। କଟକରେ ୧୭ଟି ବୁଢ଼ା ଗଣେଶ ସମେତ ୫ଶହରୁ ଅଧିକ ପ୍ରମୁଖ ପୂଜା ମଣ୍ଡପରେ ଦେଢ଼ କୋଟିରୁ ଅଧିକ ଖର୍ଚ୍ଚରେ ପୂଜା ହୁଏ। ସମ୍ବଲପୁରରେ ୩୫ଟି ବଡ଼ ପୂଜା ହେଉଥିବା ବେଳେ ଏକ ପ୍ରମୁଖ ପୂଜା ମଣ୍ଡପ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରେ। ସମ୍ପୂର୍ଣ୍ଣ ଜିଲ୍ଲାରେ ୭୦ରୁ ଅଧିକ ପୂଜା ପଣ୍ଡପରେ ୨ କୋଟି ଖର୍ଚ୍ଚରେ ପୂଜା ହୁଏ। ଗଞ୍ଜାମର ପଞ୍ଚମା ଗଣେଶଙ୍କ ପୂଜାର୍ଚ୍ଚନାରେ ୫ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେଉଥିବା ବ‌େଳେ ଜିଲ୍ଲାରେ ୪ଶହରୁ ଅଧିକ ପୂଜା ମଣ୍ଡପର ଖର୍ଚ୍ଚ ୩ କୋଟି ଟପିଯାଏ।

ଏହାବ୍ୟତୀତ ବାଲେଶ୍ବରରେ ୨୫୦ ପୂଜା ମଣ୍ଡପରେ ୨ କୋଟି, ମୟୂରଭଂଜରେ ୧୦୦ରୁ ଅଧକ ପୂଜା ମଣ୍ଡପରେ ୨ କୋଟି, ମାଲକାନଗିରିରେ ୫ଶହରୁ ଅଧିକ ପୂଜା ମଣ୍ଡପରେ ୨କୋଟି, କୋରାପୁଟରରେ ୬୫ରୁ ଅଧିକ ପୂଜା ମଣ୍ଡପରେ ୨ କୋଟି, କଳାହାଣ୍ଡିରେ ୧୨୦ ପୂଜା ମଣ୍ଡପରେ ୨କୋଟି, ଗଜପତିରେ ୧୦୦ରୁ ଅଧିକ ପୂଜା ମଣ୍ଡପରେ ୨ କୋଟି, ନୂଆପଡ଼ାରେ ୧୫୦ ପୂଜା ମଣ୍ଡପରେ ୧ କୋଟି, ଯାଜପୁରରେ ୧୫୦ରୁ ଅଧିକ ପୂଜା ମଣ୍ଡପରେ ୧ କୋଟି, ଝାରସୁଗୁଡ଼ାରେ ୨ଶହରୁ ଅଧିକ ପୂଜା ମଣ୍ଡପରେ ୧କୋଟି, ନବରଙ୍ଗପୁରରେ ୧୦୦ରୁ ଅଧିକ ପୂଜା ମଣ୍ଡପରେ ୭୦ ଲକ୍ଷ, ପୁରୀରେ ପାଖାପାଖି ୨୦୦ରୁ ପୂଜାମଣ୍ଡପରେ ୫୦ ଲକ୍ଷ, ବରଗଡ଼ରେ ପ୍ରାୟ ୩୫୦ ପୂଜା ମଣ୍ଡପରେ ୫୦ ଲକ୍ଷ, ରାୟଗଡ଼ାରେ ୫୦ଲକ୍ଷ, କେନ୍ଦୁଝରରେ ୧୦୦ରୁ ଅଧିକ ପୂଜା ମଣ୍ଡପରେ ୫୦ ଲକ୍ଷ, ବଲାଙ୍ଗିରରେ ୮୦ରୁ ଅଧିକ ପୂଜା ମଣ୍ଡପରେ ୩୦ଲକ୍ଷ ଟଙ୍କା ବଜେଟ୍‌ରେ ପୂଜା ଅନୁଷ୍ଠିତ ହୋଇ ଆସୁଥିଲା।

ଭଦ୍ରକରେ ଗଣେଶ ପୂଜା ଆଡ଼ମ୍ବରରେ ହେଉନଥିଲେ ମଧ୍ୟ ୧୨ରୁ ପ୍ରମୁଖ ପୂଜା ମଣ୍ଡପରେ ବୁଢ଼ା ଗଣେଶ, କୁନି ଗଣେଶ ଭଳି ରୂପରେ ଅଗ୍ରପୂଜ୍ୟଙ୍କୁ ଆବାହନ କରାଯାଏ। ୫୦ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା କରାଯାଏ। ବୌଦ୍ଧ ସହରରେ ୧୨ଟି ପ୍ରମୁଖ ପୂଜା ମଣ୍ଡପରେ ଗ‌ଣେଶଙ୍କୁ ବିଭିନ୍ନ ଅବତାରରେ ପୂଜା କରାଯାଉଥିବା ଦେଖିବାକୁ ମିଳେ। ସେହିଭଳି ସୁନ୍ଦରଗଡ଼, କନ୍ଧମାଳ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ସୁବର୍ଣ୍ଣପୁରରେ ଅଳ୍ପ କିଛି ପ୍ରମୁଖ ପୂଜା ମଣ୍ଡପରେ ‌ଗଣେଶ ପୂଜା ଅନୁଷ୍ଠିତ ହୁଏ। ମାତ୍ର କରୋନା ପାଇଁ ଏଥର ସବୁ ବନ୍ଦ। ବାରମ୍ବାର ଲକଡାଉନ ଓ ସଟ୍‌ଡାଉନ୍‌ ଯୋଗୁଁ ଲୋକେ ରୋଜଗାର ହରାଇଥିବାରୁ ଏହା ଖର୍ଚ୍ଚକାଟ ବୋଲି କୁହାଯାଉଛି। ତେବେ ଏହି ପୂଜାକୁ ବର୍ଷେ ତଳୁ ଚାହିଁ ବସିଥିବା ବ୍ୟକ୍ତିବିଶେଷଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର