ନିରାଶ କଲା କରୋନା କଟକଣା: ଫିକା ପଡିଲା ରଜ ମଉଜ

ରାଉରକେଲା : ‘ବନସ୍ତେ ଡାକୁଛି ଗଜ, ବରଷକ ଥରେ ଆସିଛି ରଜ…’। ଆଜି (ସୋମବାର) ପହଲି ରଜ। ପ୍ରତିବର୍ଷ ବେଶ୍‌ ଜାକଜମକରେ ପାଳନ ହେଉଥିବା ଓଡ଼ିଶା ଏହି ମହାନ ଗଣପର୍ବର ଖୁସିର ମାହୋଲକୁ ଛଡାଇ ନେଇଛି ମହାମାରୀ କରୋନା। ଗତ ବର୍ଷ ଏବଂ ଚଳିତ ଥର ସ୍ମାର୍ଟସିଟି ରାଉରକେଲାରେ ଫିକା ପଡିଛି ରଜ ମଉଜ। ସବୁଠୁ ବେଶି ନିରାଶ ହୋଇଛନ୍ତି ସହରର ବସବାସ କରୁଥବା ଉପକୂଳର୍ତ୍ତୀ ଜିଲ୍ଲାବାସୀ। ସେମିତି ବିଭିନ୍ନ ଅନଷ୍ଠାନରେ ଶୁଭିବନି ରଜ ଦୋଳିର କଟମଟ ଶବ୍ଦ। ଜମିବନି ଭିଡ। ବୁଲାବୁଲି ହେବନି। କେବଳ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ନୁ‌ହେଁ ପାନ୍ଥ ନିବାସ ଓ କିଛି ପ୍ରମୁଖ ହେଟେଲ ସେହି ସମାନ ସ୍ଥିତି। କେବଳ ପାନ୍ଥନିବାସ ନିରାଡମ୍ବର ଆୟୋଜନ ‌ହେଉଛି। ତାହା ପୁଣି ଏକାଠି ବସି ଖାଇବାର ମଜା ନୁହେଁ।

ଘରକୁ ନେଇ କଲୋନି ଠୁ ବସ୍ତି କେଉଁଠି ଦିଶୁନି ରଜ ମଉଜର ଝଲକ୍‌। ସେପଟେ ରଜ ଦୁଇ ଦିନ ପୂର୍ବରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ‌ଯୋଗୁ ହୋଇ ପାରି ନାହିଁ ରଜ ବଜାର। ଦୁଇ ଦିନ ପୂର୍ବରୁ ସହରର ଯେଉଁ କେତେକ ପ୍ରମୁଖ ବଜାରରେ ଷ୍ଟେସନାରୀ ଠାରୁ କପଡା ଦୋକାନ ଖୋଲିଥିଲା। ସେହି ବି ଖାଁ ଖାଁ। ରଜ ବେଶ ଆକର୍ଷଣ ସାଜିଥିବା ମେହେନ୍ଦି ଦୋକାନରେ ନାହାନ୍ତି ଝିଅ‌, ବୋହୂ। ସଂକ୍ରମଣ ଭୟ ଥିବାରୁ ଘରେ ଘରେ ପାଳନ ହେବ ରଜ ମଉଜ ଓ ଦୋଳି। ମହକିବ ପୋଡ ପିଠା, ଆରିସା ପିଠା, ରଜ ପାନର ବାସ୍ନା। ବିଶେଷ କରି ସ୍ମାର୍ଟସିଟିରେ ବସବାସ କରୁଥିବା ଭଦ୍ରକ, କଟକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ସହ କେନ୍ଦୁଝର ଅଞ୍ଚଳବାସୀଙ୍କ ଘରେ ମହକବି ରଜ ପିଠାର ବାସ୍ନା। ମୋଟାମୋଟି ଭାବେ ବର୍ଷ ବର୍ଷ ଧରି ଜାକଜମକରେ ପାଳନ ହେଉଥିବା ରଜ ମହୋତ୍ସବ ଚଳିତ ଥର ସ୍ମାର୍ଟସିଟିର ଫିକା ପଡିଛି।

ହୋଟେଲ ଓ ଅନୁଷ୍ଠାନ ଆୟୋଜକ ନିରାଶ : ବର୍ଷକ ଥରେ ରଜକୁ ଅପେକ୍ଷା କରିଥିବା ସହର ପ୍ରମୁଖ ହୋଟେଲ ଓ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସରାଗ ନାହିଁ। ପାନ୍ଥନିବାସ ସମେତ କିଛି ପ୍ରମୁଖ ହୋଟେଲ ପୋଡ ପିଠା, କାକରା ପିଠା ଆଦି ପ୍ରସ୍ତୁତ କରିଛନ୍ତି। ତାହା କେବଳ ଅନ୍‌ ଲାଇନ୍‌ ବୁକିଂର ସୁବିଧା ରହିଛି। ପାନ୍ଥନିବାସ ମଧ୍ୟ ବିଭିନ୍ନ ପିଠା ପ୍ରସ୍ତୁତି କରିଛି। କିଛି ଅନୁଷ୍ଠାନ ହାତଗଣତି କେଇ ଜଣ ସଦସ୍ୟଙ୍କୁ ନେଇ ପାଳନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଆଉ କିଛି ଅନୁଷ୍ଠାନ ଚଳିତ ଥର ରଜ ମହୋତ୍ସବକୁ ସମ୍ପୂର୍ଣ୍ଣ ବନ୍ଦ ରଖିଥିବା ଜଣାପଡିଛି। ଏସବୁ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ରହିଛି ଛେଣ୍ଡ କଲୋନିର ‘ସମ୍ଭାବନା ପରିବାର’, ସିଭିଟାଉନସିପ୍‌ର ’ରେସିଡେନ୍ସ ଆସ‌ୋସିଏସନ’, ‘ମା’ ଇନ୍ଦିରା ମହିଳା ସମିତି’, ସେକ୍ଟର-୭ ‘ନାୟିକା‘ସେକ୍ଟର-୪ କମ୍ୟୁନିଟି ସେଣ୍ଟର କମିଟି’, ଶକ୍ତିନଗରର ‘ଶକ୍ତି କ୍ଲବ’ ଓ ‘ସାମାଜିକ ଗୃହ’, ‘ଭାରତୀୟ ଯୁବ ହଷ୍ଟେଲ’ ଆଦି ଅନେକ ଅନୁଷ୍ଠାନ।

ପ୍ରତିବର୍ଷ ଆୟୋଜିତ ହୋଇଥାଏ ପିଠା, ଅଳତା ଲଗା, ରଜ ପାନ, ମ୍ୟୁଜିକାଲ ଚେୟାର, ନୃ୍ତ୍ୟ, ଚିତ୍ରାଙ୍କନ ‌ଝୋଟି ଆଦି ପ୍ରତିଯୋଗିତା। ଆଉ କିଛି ଅନୁଷ୍ଠାନ ରଜ କୁଇନ୍‌, ପୋଡପିଠା, ପାନ ଭଙ୍ଗା, ଶଙ୍ଖ, ହୁଳହୁଳି, ପୁଚି ଖେଳ, ମେହେନ୍ଦି ପ୍ରତିଯୋଗିତା ମଧ୍ୟ କରିଥାନ୍ତି। ଏଥିସହ ‘ ମୁଁ ଓଡ଼ିଆଣୀ’ ଅଲତା ଲଗା ପ୍ରତିଯୋଗିତା। ସବୁ କିଛି ଚଳିତ ହେବନି। କେବଳ ସେକ୍ଟର-୫ ପାନ୍ଥ ନିବାସ ନିରାଡମ୍ବର ଭାବେ ରଜ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୋଡ ପିଠା, ଆରିସା ପିଠା, ଚକୁଳି , ଗଜା, ଘୁଘୁନି ସମେତ ରଜ ପାନ ପ୍ରସ୍ତୁତି କରିବ। ଗ୍ରାହକମାନେ ଏକାଠି ବସି ଖାଇ ପାରିବେ ନାହିଁ, ନିଜ ନିଜ ଘରକୁ କିଣି ନେଇ ପାରିବେ ବୋଲି ପାନ୍ଥନିବାସ ଶାଖା ପରିଚାଳକ କହିଛନ୍ତି।

ରଜପାନ, ମେହେନ୍ଦି ବେପାର ବି ମାନ୍ଦା : ରଜରେ ରଜ ପାନର ସ୍ବାଦ ନିଆରା। ରଜ ମିଠା ପାନ ଖଣ୍ଡେ ଖାଇ ପାଟି ଲାଲ ନ କଲେ, ରଜ ପାଳନର କିଛି ମାନେ ରହେ ନା। ଏଥିପାଇଁ ସହରର ପ୍ରତିବର୍ଷ ରଜ ପୂର୍ବରୁ କେତେକ ସ୍ଥାନରେ ବିକ୍ରି ହେଉଛି ସ୍ବତନ୍ତ୍ର ରଜ ପାନ। ସହରର ମେ’ ଫେୟାର ହୋଟେଲ ନିକଟ ପାନ ଦୋକାନ, ସିଭିଲଟାଉନସିପ୍‌, ପାନପୋଷ ଗାନ୍ଧି ଛକ, ମ୍ୟୁଜିକ୍‌ ସର୍କଲ, ବାସନ୍ତୀକଲୋନୀ, ଛେଣ୍ଡ, ସେକ୍ଟର-୫ ଗୁଣ୍ଡିଚା ମନ୍ଦିର ନିକଟ, କୋଏଲନଗର, କଳିଙ୍ଗ ବିହାର ଆର୍‌ଡିଏ ମାର୍କେଟ ଆଦି କିଛି ପାନ ଦୋକାନୀ ସ୍ବତନ୍ତ୍ର ରଜ ପାନ ବିକ୍ରି କରି ବେଶ୍‌ ଦି ପଇସା ରୋଜଗାର କରନ୍ତି। କରୋନା କଟକଣା ଏମାନଙ୍କ ବେଉସା ଫିକା କରି ଦେଇଛି। ଚଳିତ ଥର କିନ୍ତୁ ଏସବୁ ଦୋକାନୀ ସେମିତି କିଛି ସ୍ବତନ୍ତ୍ର ପ୍ରସ୍ତୁତି କରି ନାହାନ୍ତି। ଗ୍ରାହକଙ୍କ ଏତେ ଭିଡ ନ ହେବା ଦୃଷ୍ଟିରୁ କିଛି ଦୋକାନ ରଜପାନ ପାଇଁ ଆବଶ୍ୟକ ପାନ ମସଲା ମଧ୍ୟ କିଣି ନାହାନ୍ତି। ପାନର ନାଁ ରଖିଥାନ୍ତି ବନାରସୀ, ଦିଲ ୱାଲା ଏମିତି ନାଁ। ରଜ ପାନ ଗୋଟା ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରନ୍ତି। କିଛି ଦୋକାନୀ ଅନୁଷ୍ଠାନରର ଅର୍ଡର ମୁତାବକ ରଜ ମିଠା ପାନ ପ୍ରସ୍ତୁତ କରନ୍ତି। ଅନୁରୂପ ଭାବେ ରଜ ମହୋତ୍ସବର ଅନ୍ୟ ଏକ ଆକର୍ଷଣ ଥାଏ ମେହେନ୍ଦି। ଝିଅମାନେ ରଜ ପୂର୍ବରୁ ନିଜ ହାତରେ ମେହେନ୍ଦି କରନ୍ତି। ଏଥିପାଇଁ ସହରର ପ୍ରମୁଖ ବଜାର ବିଶେଷ କରି ସେକ୍ଟର-୧୯ ଇସ୍ପାତ ମାର୍କେଟ, ପାନପାଷ, ଡେଲିମାର୍କେଟ, ସେକ୍ଟର-୧୮ ଡେଲିମାର୍କେଟରେ ବେଶ୍‌ ଭିଡ ଜମିଥାଏ। ଏଠାରେ ରାଜ୍ୟ ବାହାରୁ ଆସଥିବା ୧୦ରୁ ଅଧିକ ମେହେନ୍ଦି କଳାକାର ବେଶ୍‌ ଦି’ ପଇସା ରୋଜଗାର କରିଥାନ୍ତି। କରୋନା କଟକଣା ମଧ୍ୟ ଏମାନଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଛି। ଗତ ଦୁଇ ବର୍ଷ ପୂର୍ବରୁ ଏସବୁ ମାର୍କେଟରେ ୩୦ରୁ ୪୦ ମେହେନ୍ଦି କଳାକାର ଭିଡ ଜମୁଥିଲା। ଏବେ କିନ୍ତୁ ହାତ ଗଣତି ୪/୫ ଜଣଙ୍କୁ ଦେଖିବାକୁ ମିଳୁଛି। ଝିଅ, ବୋହୂଙ୍କ ଏତେଟା ଭିଡ ମଧ୍ୟ ଜମୁନି।

ସମ୍ବନ୍ଧିତ ଖବର