ପୁରୀରେ ଦଶ ହଜାର ସେବକ ପରିବାରଙ୍କ ପେଟକୁ କରୋନା ମାଡ଼ : ସେବାୟତ କଲ୍ୟାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଛଘୁଞ୍ଚା

ପୁରୀ : କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ଏବେ ଖାଁ ଖାଁ। ଭକ୍ତଙ୍କ ପ୍ରବେଶ ନଥିବାରୁ ଦାନ.ଦକ୍ଷିଣା, ଯାତ୍ରୀ ଚର୍ଚ୍ଚା ସବୁ ବନ୍ଦ। ଭୋଗ ବିକ୍ରି ନାହିଁ। ମହାପ୍ରସାଦ ବି ବିକ୍ରି ହେଉନାହିଁ। ଲକ୍‌ଡାଉନ୍‌ ଯୋଗୁଁ ଶ୍ରୀମନ୍ଦିର ସେବକ ସର୍ବାଧିକ ପ୍ରଭାବିତ ହେଉଛନ୍ତି। କରୋନା କଟକଣା ଯୋଗୁଁ ପୁରୀର ୧୦ ହଜାର ସେବକ ପରିବାର ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହଯୋଗ ମିଳିନଥିବାରୁ ସେବକ ପରିବାରଙ୍କ ମଧ୍ୟରେ ଏବେ ଅସନ୍ତୋଷ ଦେଖାଦେଇଛି।

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିବା ପ‌ରେ ‌ଏବେ ସେବକ ପରିବାରରେ ଭାଳେଣି ପଡ଼ିଛି। ସରକାର ସମସ୍ତ ସଙ୍ଗଠିତ ଓ ଅସଙ୍ଗଠିତ ଶ୍ରମିକ, ବ୍ୟବସାୟୀମାନଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରୁଥିବା ବେ‌‌ଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକଙ୍କ ପ୍ରତି ଆଖି ବୁଜି ଦେଇଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ୯ ହଜାର ୯ ଶହ ପରିବାର ନିୟୋଜିତ ରହିଛନ୍ତି। ମହାପ୍ରଭୁଙ୍କ ଦ୍ବାରଫିଟା ଠାରୁ ଆରମ୍ଭ କରି ପହୁଡ଼ ନୀତି ପର୍ଯ୍ୟନ୍ତ ବିଭିନ୍ନ ନିଯୋଗରେ ବିଭକ୍ତ ହୋଇ ମହାପ୍ରଭୁଙ୍କ ସେବା, ପୂଜ‌ା ଓ ଦୈନନ୍ଦିନ ନୀତି କରିଥା’ନ୍ତି। ଏଥିପାଇଁ ସେବକମାନଙ୍କୁ ୩୬ଟି ନିଯୋଗରେ ବିଭକ୍ତ କରାଯାଇଛି। ସେଥିରୁ କିଛି ପ୍ରତ୍ୟକ୍ଷ ଓ କିଛି ପରୋକ୍ଷ ଭାବେ ମହାପ୍ରଭୁଙ୍କ ସେବା ପୂଜାରେ ନିୟୋଜିତ ରହିଥା’ନ୍ତି। ଏହି ସଂଖ୍ୟା ମିଶାଇଲେ ସେବକ ପରିବାର ସଂଖ୍ୟା ୧୫ ହାଜରରୁ ଅଧିକ ହେବ।

ତେବେ ଶ୍ରୀମନ୍ଦିରର ଦୈନନ୍ଦିନ ସେବା, ପୂଜା, ନୀତି ପାଇଁ ତଥା ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ବୀମାଭୁକ୍ତ ହୋଇଥିବା ପରିବାର ସଂଖ୍ୟା ୯ ହଜାର ୯ ଶହ ରହିଛି। ଏମାନେ ସିଧାସଳଖ ଶ୍ରୀମନ୍ଦିର ଉପରେ ନିର୍ଭର କରନ୍ତି। ପାଳିଆ ପୁରସ୍କାର, ପ୍ରାପ୍ୟ ପାଉଣା ପାଇଥା’ନ୍ତି। ଅନ୍ୟ କିଛି ଦାନ,ଦକ୍ଷିଣା, ଯାତ୍ରୀ ଓ ଅନ୍ୟ ଉପାୟ ଉପରେ ନିର୍ଭର କରିଥା’ନ୍ତି। ସେବକ ପରିବାର ମଧ୍ୟରେ ସୁଆର ମହାସୁଆର ନିଯୋଗରେ ସର୍ବାଧିକ ସେବକ ରହିଛନ୍ତି। ଏମାନଙ୍କ ସଂଖ୍ୟା ଦୁଇ ହଜାରରୁ ଅଧିକ ବୋଲି ଜଣାପଡ଼ିଛି। ଏହା ପ‌ଛକୁ ରହିଛନ୍ତି ପ୍ରତିହାରି ସେବକ, ଦଇତାପତି ସେବକ, ସିଂହାରୀ, ପୁଷ୍ପାଳକ, ପୂଜାପଣ୍ଡା, ବିମାନବଡ଼ୁ, ସୁଆରବଡ଼ୁ, ପତ୍ରିବଡ଼ୁ, ଚୁନରା, ପାଣିଆ ଆପଟ ଓ ଦେଉଳକରଣ । ଏଭଳି ଅନେକ ସେବକ ପରିବାର ଶ୍ରୀମନ୍ଦିର ଉପରେ ନିର୍ଭର କରିନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳୁଥିବା ପ୍ରାପ୍ୟ ପାଉଣା ସେମାନଙ୍କ ଆବଶ୍ୟକତା ମେଣ୍ଟାଇ ପାରୁ ନଥିବାରୁ ସେମାନଙ୍କ ପରିବାର ଏବେ କଷ୍ଟରେ ଚଳୁଛନ୍ତି। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପ‌ରେ କଟକଣା ଲାଗିଥିବାରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରୁନାହାନ୍ତି। ଫଳରେ ସେମାନଙ୍କ ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି। ଶତକଡା ୮୦ ପ୍ରତିଶତ ସେବକ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଏହି କଠିନ ସମୟରେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ କଲ୍ୟାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର, ରାମଚନ୍ଦ୍ର ଦାସମହପାତ୍ର ପ୍ରମୁଖ ଦାବି କରିଛନ୍ତି। ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ପ୍ରଶାସନ ସେବକଙ୍କ କଲ୍ୟାଣ କଥା ଚିନ୍ତା କରୁନାହିଁ। ଲକ୍‌ ଡାଉନ୍‌କୁ ୨୭ ଦିନ ହେଲାଣି । ତଥାପି ସେବକଙ୍କ କଥା ପ୍ରଶାସନ ଏ ଯ‌ାଏ ଚିନ୍ତା କରୁନାହିଁ। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏହାକୁ ବିଚାରକୁ ନେବାକୁ ପରିଚାଳନା କମିଟି ସଦସ୍ୟ ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର