ବିଚାର ବ୍ୟବସ୍ଥା ଉପରେ କରୋନା ପ୍ରଭାବ: କରୋନା କାଳରେ ବଢିଲାଣି ୨ ଲକ୍ଷରୁ ଅଧିକ ମାମଲା

ବିଭିନ୍ନ ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟା ୧୪ ଲକ୍ଷ ୩୩ ହଜାର
ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ମାମଲା, ଗଜପତିରେ ସବୁଠୁ କମ୍

କଟକ : କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସାରାରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ  ରାଜ୍ୟ ସାରା ଅଦାଲତି କାର୍ଯ୍ୟ ପ୍ରଭାବିତ ହୋଇଛି। ଜିଲ୍ଲା ଅଦାଲତ ସହିତ ସମସ୍ତ ନିମ୍ନ ଅଦାଲତ ଗୁଡିକରେ ଦିନ ୧୦ଟା ୩୦ରୁ ୧ଟା ୩୦ ମିନିଟ ସବୁ କାର୍ଯ୍ୟ ଦିବସରେ କୋର୍ଟ କାର୍ଯ୍ୟ ହେଉଛି। ଏଭଳି ବ୍ୟବସ୍ଥା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଗତବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଦାଲତି କାର୍ଯ୍ୟ ପ୍ରଭାବିତ ହୋଇଛି। ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୦ ଆରମ୍ଭରେ ସାରା ରାଜ୍ୟରେ ପ୍ରାୟ ୧୨ ଲକ୍ଷ ସାଢେ ୩୪ ହଜାର ମାମଲା ବିଚାରାଧୀନ ଥିବାବେଳେ ଏବେ ଏପରି ମାମଲା ସଂଖ୍ୟା ୧୪ ଲକ୍ଷ ଟପିଲାଣି। ୨୦୨୦, ଡିସେମ୍ବର ୩୧ ତାରିଖ ସୁଦ୍ଧା ସାରା ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ୧୩ ଲକ୍ଷ ୮୨ ହଜାର ୩୨୫ ‌ରହିଥିଲା। ୨୦୨୧ ଆରମ୍ଭରେ ବିଚାରାଧୀନ ମାମଲା ସଂଖ୍ୟା ୧୩ ଲକ୍ଷ ୮୨ ହଜାର ଥିବାବେଳେ ଜୁନ୍ ୮ ତାରିଖରେ ଏନ୍‌ଜେଡିଜେ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ  ରାଜ୍ୟରେ ଏବେ ବିଭିନ୍ନ ଅଦାଲତରେ ୧୪ ଲକ୍ଷ ୩୩ ହଜାର ୮୮ଟି ମାମଲା ବିଚାରାଧୀନ ରହିଛି। ଏଥିମଧ୍ୟରେ ରହିଛି ୨ ଲକ୍ଷ ୯୩ ହଜାର ୫୯୬ଟି ସିଭିଲ କେସ୍ ଓ ୧୧ ଲକ୍ଷ ୩୯ହଜାର ୪୯୨ଟି କ୍ରିମିନାଲ କେସ୍।

ରାଜ୍ୟର ତିନୋଟି ଜିଲ୍ଲାରେ ଲକ୍ଷାଧିକ ମାମଲା ବିଚାରାଧୀନ ରହିଛି। ବିଚାରାଧୀନ ମାମଲା ପ୍ରସଂଗରେ ସବୁଠାରୁ ଆଗରେ ରହିଥିବା ‌ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଦାଲତରେ ୧ ଲକ୍ଷ ୫୭ ହଜାର ୯୬୧ଟି ମାମଲା ବିଚାରାଧୀନ ରହିଛି। ଖୋର୍ଦ୍ଧା ତଳକୁ ରହିଥିବା କଟକ ଜିଲ୍ଲାରେ ଏବେ ୧ ଲକ୍ଷ ୩୦ ହଜାର ୮୬ଟି ମାମଲା ଓ ତୃତୀୟ ସ୍ଥାନରେ ଥିବା ବାଲେଶ୍ବର ଜିଲ୍ଲାରେ ୧ ଲକ୍ଷ ୭ ହଜାର ୫୦୫ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଗଜପତି ଜିଲ୍ଲାରେ ସବୁ ଠାରୁ କମ୍ ୭ ହଜାର ୯୪୨ଟି ମାମଲା ବିଚାରାଧୀନ ରହିଛି। ମାଲକାନଗିରିରେ ୮ ହଜାର ୭୭୯ଟି ମାମଲା ଓ ଦେବଗଡ଼ରେ ୯ହଜାର ୧୬୮ଟି ଓ ବିଚାରାଧୀନ ରହିଛି।

ସେହିଭଳି ଭାବେ ଅନୁଗୁଳରେ ୬୧୨୬୨, ବଲାଙ୍ଗୀରରେ ୪୩୦୧୦, ବରଗଡ଼ରେ ୪୧୬୯୦, ଭଦ୍ରକରେ ୮୫୫୨୦, ବୌଦ୍ଧରେ ୧୦୬୦୫, ଢେଙ୍କାନାଳରେ ୩୫୧୫୯, ଗଞ୍ଜାମରେ ୬୨୧୧୨, ଜଗତସିଂହପୁରରେ ୩୬୯୯୫, ଯାଜପୁରରେ ୫୫୭୫୮, ଝାରସୁଗୁଡାରେ ୩୫୫୧୧, କଳାହାଣ୍ଡିରେ ୩୩୬୫୩, କନ୍ଧମାଳରେ ୧୪୫୩୩, କେନ୍ଦ୍ରାପଡାରେ ୩୨୯୨୦, କେନ୍ଦୁଝରରେ ୪୬୪୪୯,  କୋରାପୁଟରେ ୩୧୮୨୧, ମୟୂରଭଞ୍ଜରେ ୬୨୦୧୮, ନବରଙ୍ଗପୁରରେ ୨୨୪୯୩, ନୟାଗଡରେ ୨୦୮୪୪, ନୂଆପଡ଼ାରେ ୧୧୭୦୩, ପୁରୀରେ ୭୦୨୩୭, ରାୟଗଡାରେ ୧୭୦୩୩, ସମ୍ବଲପୁରରେ ୭୬୯୬୨, ସୋନପୁରରେ ୧୧୨୭୮, ସୁନ୍ଦରଗଡ଼ରେ ୯୨୦୮୧ଟି ମାମଲା ବିଚାରାଧୀନ ରହିଛି। ଅଧିକାଂଶ ଜିଲ୍ଲାରେ ଅପରାଧିକ ମାମଲା ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇଥିବା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର