ଡାକ୍ତରଙ୍କ ମହାନତା: କରୋନା ଆକ୍ରାନ୍ତ ପ୍ରସୂତୀର କଲେ ଅସ୍ତ୍ରୋପଚାର

ରାୟଗଡ଼ା: କରୋନା କାଳରେ ମାନବିକତା ହଜି ଯାଉଥିବା ବେଳେ ଆକ୍ରାନ୍ତଙ୍କୁ ନିଜ ସଂପର୍କୀୟ ମଧ୍ୟ ସହଯୋଗର ହାତ ବଢ଼ାଉ ନାହାନ୍ତି। ଏପରି ସ୍ଥିତିରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରୀ ଟିମ କରୋନା ଆକ୍ରାନ୍ତ ପ୍ରସୂତୀର ଅସ୍ତ୍ରୋପଚାର କରି ସୁରକ୍ଷିତ ଭାବେ ପୁତ୍ର ସନ୍ତାନ ଜନ୍ମ ଦେବା ଘଟଣା ଡାକ୍ତରଙ୍କ ମହାନତାକୁ ପ୍ରମାଣିତ କରିଛି।

ସୂଚନା ମୁତାବକ, ରାୟଗଡ଼ା ଇନ୍ଦିରା ନଗରର ଯୁଗାନ୍ତି ନାୟକ (୨୫) ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯୁଗାନ୍ତି କରୋନା ପଜିଟିଭ୍ ହୋଇଥିବା ବେଳେ ପ୍ରସବ ତାରିଖ ପାଖେଇ ଆସୁଥିବାରୁ ସନ୍ତାନ ଜନ୍ମ ନେଇ ଚିନ୍ତାରେ ପଡ଼ିଥିଲେ। ଯୁଗାନ୍ତିଙ୍କ ସ୍ବାମୀ ଦେବାଶିଷ ଏ ନେଇ ଡାକ୍ତରୀ ଟିମ୍ ସହ ଯୋଗାଯୋଗ କରିବା ପରେ ଯୁଗାନ୍ତିଙ୍କୁ ରାୟଗଡ଼ା ମେଡ଼ିକାଲର ଏକ ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ଭୋରରେ ଯୁଗାନ୍ତି ପ୍ରସବ ବେଦନା ଅନୁଭବ କରିବା ପରେ ଡାକ୍ତରୀ ‌ଟିମ୍ ସକାଳ ୬ଟାରେ ସ୍ବତନ୍ତ୍ର ଆଇସୋଲେସନ୍ ଅପରେସନ୍ କକ୍ଷରେ ଯୁଗାନ୍ତିଙ୍କ ଅସ୍ତ୍ରୋପଚାର କରିଥିଲେ। ସ୍ତ୍ରୀ ଓ ପ୍ରସୂ୍ତି ବିଶେଷଜ୍ଞ ଡା. ପି. କେ. ପାଢ଼ୀ, ନି‌ଶ୍ଚେତକ ବିଶେଷଜ୍ଞ ଡା. ହିଂମାଶୁନାଥ, ଷ୍ଟାଫ୍ ନର୍ସ ନମିତାରାଣୀ ନାଗ, ଆଟେଣ୍ଡାଣ୍ଟ୍ ପ୍ରଭାକର ବାରଗୋଛ ଅପରେସନରେ ସାମିଲ୍ ହୋଇଥିଲେ। ଅସ୍ତ୍ରୋପଚାର ସଫଳତାର ସହ ଶେଷ ହେବା ପରେ ଯୁଗାନ୍ତି ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ମାଆ ଓ ପୁଅ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର ପ୍ରକାଶ କରିଛନ୍ତି।

କରୋନା କାଳରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅସ୍ତ୍ରୋପଚାରକୁ ମିଶାଇ ଡାକ୍ତରୀ ଟିମ୍ ମୋଟ ୧୧ କରୋନା ଆକ୍ରାନ୍ତଙ୍କ ଅସ୍ତ୍ରୋପଚାର କରି ସାରିଲେଣି।

ସମ୍ବନ୍ଧିତ ଖବର