କରୋନା ଛାଟ: ଉଜୁଡ଼ିଗଲା ବୋଟ୍‌ ବ୍ୟବସାୟ, ପରିବାର ଚଳାଇବା ଚିନ୍ତାରେ ଶତାଧିକ ଯୁବକ

କୋଣାର୍କ : ମହାମାରୀ କରୋନାର ଦ୍ବିତୀୟ ଲହରୀ ପ୍ରଭାବ ଜାରି ରହିଛି। କରୋନାର ପ୍ରକୋପ ପାଇଁ ପର୍ଯ୍ୟଟନ ଶିଳ୍ପର ମୂଳଦୁଆ ଭୁଶୁଡ଼ି ପଡ଼ିଛି। କୋଣାର୍କକୁ ପର୍ଯ୍ୟଟକ ଯାତାୟାତରେ ରୋକ୍‌ ଲାଗିଛି। କୋଣାର୍କ ସୂର୍ଯ୍ୟମନ୍ଦିର ସମେତ ଆଖପାଖରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀରେ ତାଲା ଝୁଲୁଛି। ଫଳରେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ଶହଶହ ଜନସାଧାରଣ ‌ଏବେ ଆର୍ଥିକ ଚିନ୍ତାରେ ବୁଡ଼ି ରହିଛନ୍ତି। ତେବେ ପର୍ଯ୍ୟଟନ ଶିଳ୍ପ ଉପରେ ପଡ଼ିଥିବା ମହାମାରୀ କରୋନା ଯେଉଁ କେତୋଟି ବ୍ୟବସାୟ ଉପରେ ସିଧାସଳଖ ଭାବେ ପ୍ରଭାବ ପକାଇଛି ତା’ ମଧ୍ୟରୁ ବେଳାମାର୍ଗରେ ଥିବା ବୋଟିଂ ବ୍ୟବସାୟ ଅନ୍ୟତମ।

My City Links

କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ନିକଟରେ କୁଶଭଦ୍ରା ନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳୀରେ ପର୍ଯ୍ୟଟକମାନଙ୍କୁ ବୋଟରେ ବୁଲାଇବା ସହିତ ଦି’ ପଇସା ଉପାର୍ଜନ କରି ଶତାଧିକ ବେକାର ଯୁବକ ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର କରୋନା ପ୍ରଭାବରେ ପର୍ଯ୍ୟଟକଙ୍କ ଯିବାଆସିବା ଉପରେ ଅଙ୍କୁଶ ଲାଗିବା ପରେ ଏବେ ଉକ୍ତ ବୋଟିଂ ବ୍ୟବସାୟ ସଂପୂର୍ଣ୍ଣ ଠପ୍‌ ହୋଇ ପଡ଼ିଛି। ଫଳରେ ବ୍ୟାଙ୍କରୁ ଋଣକରି ବୋଟ୍‌ କିଣିଥିବା ଯୁବକମାନେ ଏବେ ବ୍ୟାଙ୍କ କିସ୍ତି ଦେବାରେ ଅକ୍ଷମ ହୋଇପଡ଼ିଛନ୍ତି। ଗତ ବର୍ଷ ହୋଇଥିବା କରୋନାର ପ୍ରଥମ ଲହରୀରେ ମାସମାସ ଧରି ବୋଟ୍‌ ବ୍ୟବସାୟ ବନ୍ଦ ରହିଥିଲା। ଯାହା ସଂଚୟ ଅର୍ଥ ଥିଲା ସେତେବେଳେ ତାହା ବ୍ୟାଙ୍କର ମାସିକ ଋଣ କିସ୍ତି ଦେବାରେ ଓ ପରିବାର ଚଳାଇବାରେ ଶେଷ ହୋଇଯାଇଥିଲା। କରୋନାର ପ୍ରଥମ ଲହରୀ ଥମିବା ପରେ ଦିନ କେଇଟା ବୋଟ୍‌ ବ୍ୟବସାୟ ଚାଲିବା ପରେ ଏବେ ପୁଣି ଆରମ୍ଭ ହୋଇଛି ମହାମାରୀ କରୋନାର ଦ୍ବିତୀୟ ଲହରୀର ପ୍ରଭାବ। କରୋନାର ପ୍ରଥମ ଲହରୀରେ ସୃଷ୍ଟି ହୋଇଥିବା ସ୍ଥିତି ସଜାଡ଼ିବା ପାଇଁ ଟିକେ ଅଣ୍ଟା ସଳଖିବା ବେଳକୁ ଏବେ କରୋନାର ଦ୍ବିତୀୟ ଲହରୀର ପ୍ରଭାବ ବୋଟ୍‌ ବ୍ୟବସାୟ କରୁଥିବା ଶହଶହ ଯୁବକଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ଭଳି ମନେ ହୋଇଛି। ରୋଜଗାର ନ ଥିବାରୁ ପରିବାର ଲୋକଙ୍କୁ କିଭଳି ଚଳାଇବେ, ବ୍ୟାଙ୍କର ଋଣ କିସ୍ତି କିଭଳି ଦେବେ ତାକୁ ନେଇ ସେମାନଙ୍କ ମାନସିକ ଦୁଶ୍ଚିନ୍ତା ବଢ଼ିବାରେ ଲାଗିଛି।

ଅନ୍ୟ ପକ୍ଷରେ ନିୟମିତ ଭାବେ ବୋଟ୍‌ ଚଳପ୍ରଚଳ ନହେବା ଫଳରେ ବୋଟ୍ର‌ ଯନ୍ତ୍ରାଂଶ ସବୁ ଅକାମୀ ହେବାକୁ ବସିଲାଣି। ଏଭଳି ପ୍ରତିକୂଳ ପରିବେଶ ମଧ୍ୟରେ ରହିଥିବା ରାମଚଣ୍ଡୀ ବୋଟ୍‌ ଆସୋସିଏସନ୍‌ର ସଦସ୍ୟମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ନିରଂଜନ ବେହେରା, କାଶୀନାଥ ନାୟକ ପ୍ରମୁଖ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର