ରାଉରକେଲା : ଆମିଷ ଓ କପଡ଼ା ବଜାରରେ କରୋନା କର୍ଫ୍ୟୁ

ରାଉରକେଲା : କରୋନା ଭୟର ସିଧାସଳଖ ପ୍ରଭାବ ପଡ଼ିଛି ବ୍ୟବସାୟ ଉପରେ। ଭୟର ବାତାବରଣରେ ଲୋକେ ଅଧିକରୁ ଅଧିକ ଖାଦ୍ୟ ସାମଗ୍ରୀ କିଣି ଘରେ ମହଜୁଦ ରଖିବାକୁ ଚାହୁଥିବାରୁ ରାସନ୍‌ ଦୋକାନଗୁଡ଼ିକରେ ବେପାର ଆଶାତୀତ ଭାବେ ବଢ଼ି ଯାଇଛି। କିନ୍ତୁ ଆମିଷ ଓ କପଡ଼ା ବଜାର ବେପାର ପୂରା ଠପ୍ ହୋଇ ଯାଇଛି। ରାଉରକେଲା ସହରରେ ଉଜୁଡ଼ିବାକୁ ବସିଛି ଆମିଷ ଓ କପଡ଼ା ବେପାର। କରୋନା କର୍ଫ୍ୟୁ ଦୋହଲାଇ ଦେଇଛି ଉଭୟଙ୍କର ମେରୁଦଣ୍ଡ। ପ୍ରାୟ ଦୁଇ ସପ୍ତାହ ତଳୁ ଏହି ରୀତି ଚାଲିଛି। କାରବାର ପୂରା ଥମି ଯାଇଥିବାରୁ ବ୍ୟବସାୟୀ ମୁଣ୍ଡରେ ହାତ ଦେଲେଣି। ସେମାନଙ୍କ ଭିତରୁ ଅନେକ କ୍ଷତି ସହିବା ଅପେକ୍ଷା କିଛି ଦିନ ପାଇଁ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ମାଛ, କୁକୁଡ଼ା ଓ ଅଣ୍ଡା ବ୍ୟବସାୟୀଙ୍କୁ ଦୈନିକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି। ଗତ ଦୁଇ ସପ୍ତାହ ମଧ୍ୟରେ ମାଛ ହୋଲ୍‌ସେଲର୍‌ମାନଙ୍କୁ ୪୦ ଲକ୍ଷରୁ ଅଧିକ କ୍ଷତି ସହିବାକୁ ପଡିଛି ବୋଲି କହନ୍ତି, ‌ହୋଲ୍‌ସେଲ୍‌ ବେପାରୀ ମହମ୍ମଦ ନଦିମ୍‌। ଦୈନନ୍ଦିନ ଗହଳଚହଳି ଲାଗୁଥିବ ଆମିଷ ବଜାର ଏବେ ଖାଁ ଖାଁ। ଯେଉଁ କେତେଜଣ ଗ୍ରାହକ ଆମିଷ ବଜାରକୁ ଆସୁଛନ୍ତି, ଦେଶୀ ମାଛ ହିଁ କିଣୁଛନ୍ତି। ଆନ୍ଧ୍ର ମାଛର ବିକ୍ରି ପୂରା କମି ଯାଇଛି। ମାଛ ବେପାର କରି ପରିବାର ପ୍ରତିପୋଷ କରୁଥିବା ଖୁଚୁରା ବେପାରୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମାତ୍ର ଦୁଇ ଦିନ, ଅର୍ଥାତ ବୁଧବାର ଓ ରବିବାର ଯେଉଁ ଦି ପଇସା ରୋଜଗାର ହେଉଛି, ସେଥିରେ ସେମାନଙ୍କ ପରିବାର ଚଳୁଛି। ଉଲ୍ଲେଖନୀୟ ଯେ ଇସ୍ପାତ ସହରରେ ମୋଟ୍‌ ୨୦ ହୋଲ୍‌ସେଲ୍‌ ଓ ୩୦୦ରୁ ଅଧିକ ଖୁଚୁରା ମାଛ ବେପାରୀ ଅଛନ୍ତି। ଆନ୍ଧ୍ର, ବାଲୁଗାଁ, ରାୟପୁର, ପାରାଦୀପ ଓ ହାୱଡାରୁ ସହରକୁ ଦୈନିକ ୧୦ ଟନ୍‌ ମାଛ ଆସିଥାଏ। ସ୍ଥାନୀୟ ଦେଶୀମାଛ ମଧ୍ୟ କିଛି ଆସେ। ସକାଳ ୭ ସୁଦ୍ଧା ଖୁଚୁରା ବେପାରୀ ମାଛ କିଣି ନିଅନ୍ତି। କିନ୍ତୁ କରୋନା ଭୟ ଯୋଗୁଁ ବେପାର ସମ୍ପୂର୍ଣ୍ଣ ମାନ୍ଦା। ଖୁଚୁରା ବେପାରୀ ଯଥେଷ୍ଟ ସଂଖ୍ୟାରେ ‌ଆସୁ ନଥିବାରୁ ଦୈନିକ ୨ ଟନ୍‌ ମାଛ ବିକିବା ମୁସ୍କିଲ ହୋଇ ଯାଉଛି ବୋଲି କହନ୍ତି ନଦିମ୍।

କୁକୁଡା ବେପାର‌ରେ ମଧ୍ୟ ସେହି ସମାନ ସ୍ଥିତି ଦେଖାଦେଇଛି। ଅଧିକାଂଶ ହୋଟେଲ, ରେସ୍ତୋରାଁ ଓ ଫାଷ୍ଟଫୁଡ୍‌ ଦୋକାନ ମେନ୍ୟୁରୁ ଚିକେନ୍‌ ଗାୟବ ହୋଇଯାଇଛି। ସହରରେ ଦୈନିକ ୭୮ ଟନ୍‌ରୁ ଅଧିକ କୁକୁଡ଼ା ମାଂସ ବିକ୍ରି ହୋଇଥାଏ। ଛତିଶଗଡ, କଟକ, ଭୁବନେଶ୍ବର, ଚୌଦ୍ବାର, ଢେଙ୍କାନାଳ ଓ ଆନ୍ଧ୍ରପ୍ରଦେଶରୁ ଦୈନିକ ୧୩ଟି ପିକ୍‌ ଅପ୍‌ଭ୍ୟାନ୍‌ରେ କୁକୁଡ଼ା ଆସିଥାଏ। ଏବେ ଏହି ବ୍ରଏଲର କୁକୁଡ଼ା ମାଂସ ବେପାର ୭୦% କମି ଯାଇଛି। ପୂର୍ବରୁ କିଲୋ ପ୍ରତି ୧୭୦ରୁ ୧୮୦ ଟଙ୍କା ବିକ୍ରି ହେଉଥିଲା, ଏବେ କିଲୋ ପ୍ରତି ୬୦ରୁ ୭୦ ଟଙ୍କାରେ ବିକ୍ରି ହେଲେ ମଧ୍ୟ ବିଶେଷ ଗ୍ରାହକ ଆସୁ ନାହାନ୍ତି ବୋଲି କହନ୍ତି କୁକୁଡ଼ା ବ୍ୟବସାୟୀ ପ୍ରକାଶ ବାରିକ। ସେ କହିଛନ୍ତି, ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସତ୍ବେ ଲୋକମାନେ କୁକୁଡ଼ା ମାଂସ ବଜାରକୁ ଆସୁ ନାହାନ୍ତି। ଅଣ୍ଡା ବ୍ୟବସାୟୀଙ୍କୁ ମଧ୍ୟ ସମାନ କ୍ଷତି ସହିବାକୁ ପଡିଛି। ସହରକୁ ଦୈନିକ ୨ ଟ୍ରକ୍, ଅର୍ଥାତ୍‌ ୪ ହଜାର ପେଟି ଅଣ୍ଡା ଆସିଥାଏ। ଏବେ କିନ୍ତୁ ଆସୁଛି ୧ ହଜାର ପେଟି। ତାହା ବି ବିକ୍ରି ହୋଇ ପାରୁନାହିଁ। ପୂର୍ବରୁ ଅଣ୍ଡା ଗୋଟା ପିଛା ଖୁଚୁରା ଦର ୬ ଟଙ୍କା ଥିଲା‌‌ବେଳେ ଏବେ ବିକ୍ରି ହେଉଛି ମାତ୍ର ସାଢ଼େ ୩ଟଙ୍କାରେ। ତେବେ ଦେଶୀ କୁକୁଡ଼ାର ଚାହିଦା ବିଶେଷ କମିନାହିଁ।

ବେଶି କ୍ଷତି ସହିବାକୁ ପଡିଛି ସହରର କପଡା ବ୍ୟବସାୟୀମାନଙ୍କୁ। ସହରର ବଡ଼ ବଡ଼ କପଡ଼ା ସୋରୁମ୍‌ ମାଲିକଙ୍କ ବେପାର ୬୦% ଖସି ଆସିଛି। ଦୈନିକ ୫ରୁ ୧୦ ଲକ୍ଷ ଟଙ୍କା କାରବାର ପରିବର୍ତ୍ତେ ହେଉଛି ମାତ୍ର ୧ରୁ ୨ ଲକ୍ଷ। ପାୱାର ହାଉସ୍‌ ରୋଡସ୍ଥିତ ବୋଥ୍ରା ‌ସୋରୁମ୍‌ର ମାଲିକ ବିକ୍ରମ ବୋଥ୍ରା ଓ ରାଉରକେଲା ମୁଖ୍ୟ ମାର୍କେଟର ଭୀମସେନ ଅଗ୍ରୱାଲ କହିଛନ୍ତି, କରୋନା ପାଇଁ ସୋରୁମରେ ଗ୍ରାହକଙ୍କ ସଂଖ୍ୟା ଢେର ହ୍ରାସ ପାଇଛି। ଦୈନିକ ବ୍ୟବସାୟ ୫୦ରୁ ୬୦% ହ୍ରାସ ପାଇଛି। ସ୍ଥିତି ଏପରି ହୋଇଛି ଯେ କର୍ମଚାରୀଙ୍କ ମାସିକ ଦରମା ଟଙ୍କା ମଧ୍ୟ ରୋଜଗାର ହୋଇ ପାରୁନାହିଁ। ସହରର ସେକ୍ଟର-୧୯ ଇସ୍ପାତ ମାର୍କେଟ, ଡେଲିମାର୍କେଟ, ବାସନ୍ତୀ କଲୋନି, ପାନପୋଷ, ଉଦିତନଗର, ଫର୍ଟିଲାଇଜ, ବେଦବ୍ୟାସ ଆଦି ମାର୍କେଟରେ ଉଭୟ ଆମିଷ ଓ କପଡ଼ା ବଜାର ସମ୍ପୂର୍ଣ୍ଣ ମାନ୍ଦା ରହିଛି। ଏପରି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଅନେକ ବ୍ୟବସାୟୀ କିଛି ଦିନ ପାଇଁ ଦୋକାନ ବନ୍ଦ କରିଦେବାକୁ ଆଲୋଚନା ମଧ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର