ଭଞ୍ଜନଗର : ପୂଜା ପାର୍ବଣ ଠାରୁ ଆରମ୍ଭ କରି ବିବାହ ବ୍ରତ ଆଦି କାର୍ଯରେ ହେଉଥିବା ଭୋଜି ଆୟୋଜନ କରୁଥିବା କ୍ୟାଟିରିଂ ସଂସ୍ଥାମାନଙ୍କ ଅବସ୍ଥା ବର୍ତ୍ତମାନ ଦୟନୀୟ ପାଲଟିଛି। ସାଜସଜ୍ଜା ବନ୍ଦ ସାଙ୍ଗକୁ ବନ୍ଦ ହୋଇଛି ଭୋଜି। ସମସ୍ତ ସାମୁହିକ ଉତ୍ସବ ଉପରେ ରୋକ ଲଗାଇଛନ୍ତି ସରକାର। ମାସେ କି ଦୁଇମାସ ନୁହେଁ ୭ ମାସ ଧରି ଭୋଜି ଭାତର ଆୟୋଜନ ବନ୍ଦ ରହିଛି। ଯାହା ଫଳରେ ଏହି ପନ୍ଥାକୁ ଆଶ୍ରା କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ଓ କର୍ମଚାରୀଙ୍କ ଅବସ୍ଥା କହିଲେ ନସରେ। ଟେଣ୍ଟ୍ ହାଉସ ଠାରୁ ଆରମ୍ଭ କରି କ୍ୟାଟେରିଂ ଓ ଲାଇଟ୍ ସାଉଣ୍ଡ୍ ଠାରୁ ନେଇ ଫୁଲ ସଜ୍ଜା ଉପରେ କରୋନା ଓ ସରକାରଙ୍କ କଟକଣା ପାଇଁ ଏମାନଙ୍କ ଜୀବନ ଜୀବିକା ସଂପୂର୍ଣ୍ଣ ଦୋହଲି ଗଲାଣି। ଏହି ଋତୁ କାଳୀନ ବ୍ୟବସାୟ ଉପରେ ନିର୍ଭର କରୁଥିବା ହଜାର ହଜାର ଶ୍ରମିକ ବର୍ତ୍ତମାନ ରୋଜଗାର ପାଇଁ ବିକଳ୍ପ ପନ୍ଥା ଖୋଜିଲେଣି। ଆଗକୁ ଏହି ବ୍ୟବସାୟ ଉପରେ ନିର୍ଭର କରି ପରିବାର କିଭଳି ଚଳାଇବେ ଓ ବଞ୍ଚିବେ ସେନେଇ ପ୍ରମାଦ ଗଣିଲେଣି। ଏଭଳି ଭାବେ ଭଞ୍ଜନଗର ତଥା ଆଖପାଖ ଅଞ୍ଚଳରେ କ୍ୟାଟେରିଂ ସଂସ୍ଥା କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି

Advertisment

ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ହେବା ସହ ଅନଲକ୍ ୫ରେ କେନ୍ଦ୍ର ସରକାର କଟକଣା କୋହଳ ପାଇଁ ନୂଆଁ ଗାଇଡ଼ଲାଇନ ଜାରି କରିଛନ୍ତି। କେନ୍ଦ୍ର ସରକାର ବିବାହ ଉତ୍ସବ ତଥା ସାମାଜିକ କାର୍ଯ୍ୟକ୍ରମ ପାଇଁ ୨ଶହ ଲୋକଙ୍କ ମଧ୍ୟରେ କରିବା ପାଇଁ ଅନୁମତି ଦେଇଛନ୍ତି। ମାତ୍ର ରାଜ୍ୟରେ ବର୍ତ୍ତମାନ ମଧ୍ୟ ୫୦ ଜଣଙ୍କ ମଧ୍ୟରେ ସାମୁହିକ କାର୍ଯ୍ୟକ୍ରମ ସୀମିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଭୋଜି ଆୟୋଜନରେ ଲୋକମାନେ କ୍ୟାଟିରିଂ ସଂସ୍ଥା ଉପରେ ଆଉ ନିର୍ଭର କରୁନାହାନ୍ତି। ଅନେକ ନିଜର କାର୍ଯ୍ୟପନ୍ଥା ବଦଳାଇ ଦେଇଥିବା ବେଳେ କିଛି ରୋଷେୟା ଓ କର୍ମଚାରୀ ହୋଟେଲ କିମ୍ବା ଦୋକାନରେ କାମ କରି ପରିବାର ଚଳାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

publive-image

ଭଞ୍ଜନଗର ସହର ଓ ଏହାର ଆଖପାଖରେ ବହୁ କ୍ୟାଟରିଂ ସଂସ୍ଥା ରହିଥିବା ବେଳେ ସହରର ୪ ଟି କ୍ୟାଟରିଂ ସଂସ୍ଥା ରହିଛି। ଏହି ସଂସ୍ଥା ଗୁଡିକା ହେଲା ମାଧବ କ୍ୟାଟରିଂ, ନାରାୟଣୀ କ୍ୟାଟରିଂ,ସାଇ କ୍ୟାଟେରିଂ ଓ ସ୍ବରାଜ୍ୟ କ୍ୟାଟରିଂ ସଂସ୍ଥା। ଏହି ସଂସ୍ଥାର ମାଲିକ ମାନେ ପୁନଶ୍ଚ କେବେ ସରକାର ଭୋଜି ଆୟୋଜନକୁ ଅନୁମତି ଦେବେ ବୋଲି ଚାହିଁ ରହିଥିବା ବେଳେ କର୍ମଚାରୀ ମାନଙ୍କୁ ଟଙ୍କା ଦେଇ ପାଖରେ ରଖିବା ସମ୍ଭବ ପର ହେଉନାହିଁ ବୋଲି ପ୍ରକାଶ କରିଛନ୍ତି। ଦୀର୍ଘ ୭ ମାସ ଭିତରେ ଅନେକ କାର୍ଯ୍ୟକ୍ରମ ବନ୍ଦ ହୋଇଥିବା ବେଳେ ବହୁ ଟଙ୍କା ଖର୍ଚ୍ଚ କରି କ୍ୟାଟେରିଂ ସଂସ୍ଥା କରିଥିବାରୁ ଏହାକୁ ବନ୍ଦ କରି ନୂଆଁ ବ୍ୟବସାୟ କରିବା ପାଇଁ ସାହାସ ମଧ୍ୟ କରି ପାରୁନାହାନ୍ତି। ଏହି କ୍ୟାଟେରିଂ ସଂସ୍ଥା ସହ ଜଡିତ ଥିବା ରୋଷେୟା, ସହଯୋଗୀ,ପରିବା କଟାଳି,ଆମିଷ ବ୍ୟବସାୟୀ ପ୍ରମୁ୍ଖ ସମସ୍ତେ ରୋଜଗାର ହରାଇଛନ୍ତି। ଏଥିସହ ପରୋକ୍ଷ ଭାବେ ହଣ୍ଡାହାଣ୍ଡି ଦେଉଥିବା ଟେଣ୍ଟ୍ ହାଉସ୍ ବ୍ୟବସାୟୀ,ଜିନିଷ ନେବା ଆଣିବା କରୁଥିବା ଅଟୋ ଚାଳକ ମାନେ ମଧ୍ୟ ପରୋକ୍ଷ ଭାବରେ ପ୍ରଭାବିତ ହୋଇଛନ୍ତି।

ବିଭିନ୍ନ କ୍ୟାଟେରିଂ ସଂସ୍ଥାରେ ରୋଷେୟା ଭାବେ କାମ କରୁଥିବା ନାରାୟଣ ପାତ୍ର,ପ୍ରଦୀପ,ମୋନାଜ କୁମାର ପଣ୍ଡା,ବିନୋଦ କୁମାର କର ପ୍ରମୁଖ ହାତ ବାନ୍ଧି ବସିଛନ୍ତି। କିଛି ଠେଲା ଗାଡ଼ିରେ ଛୋଟ ହୋଟେଲ କରି ପରିବାର ପାଇଁ ସଂର୍ଘଷ ଜାରି ରଖିଥିବା କ୍ୟାଟେରିଂ ମାଲିକ ମାନେ ପ୍ରକାଶ କରିଛନ୍ତି। କଟକଣା କୋହଳ ପରେ ବଜାର ଖୋଲିବା ସହ ବିଭିନ୍ନ କ୍ଷେତ୍ରରେ ସ୍ବାଭାବିକ ସ୍ଥିତି ଫେରାଇବାକୁ ସରକାର ଚେଷ୍ଟା କରୁଛନ୍ତି। ତେଣୁ କ୍ୟାଟେରିଂ ସଂସ୍ଥା ସହିତ ଜଡିତ କର୍ମଚାରୀ ମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାର ଭୋଜି ଆୟୋଜନରେ ୫୦ ଭିତରେ ସୀମିତ ନରଖି ଲୋକ ସଂଖ୍ୟା ବଢାଇ ଭୋଜି ଆୟୋଜନ କରିବାକୁ ଅନୁମତି ଦେବା ନିବେଦନ କରିଛନ୍ତି।

publive-image

ମନୋଜ କୁମାର ପାଣିଗ୍ରାହି,ସାଇ କ୍ୟାଟେରିଂ,ଭଞ୍ଜନଗର
ଲୋକମାନଙ୍କ ବିବାହ ବ୍ରତ ଓ ସାମାଜିକ କାର୍ଯ୍ୟକ୍ରମରେ ଭୋଜି ରାନ୍ଧି ନିଜେ ଭଲ ଦିପଇସା ରୋଜଗାର କରିବା ସହ ବହୁ ଲୋକଙ୍କୁ ରୋଜଗାରର ପନ୍ଥା ଯୋଗାଇପାରୁଥିଲୁ। କିନ୍ତୁ ଦୀର୍ଘ ୭ ମାସ ହେବ ସବୁକିଛି ବନ୍ଦ ହୋଇଯିବାରୁ ନିଜେ ଚଳିବା କାଠିକର ପାଠ ସାବ୍ୟସ୍ତ ହୋଇଛି। କର୍ମଚାରୀ ମାନଙ୍କ ଦୁଃଖ କିଭଳି ବୁଝିବୁ। ସରକାର ଆମ ମାନଙ୍କ କଥା ଚିନ୍ତା କରି ଆଗାମୀ ଦିନରେ ୨ଶହରୁ ୩ ଶହ ଲୋକଙ୍କ ପାଇଁ ଭୋଜି ଆୟୋଜନ କରିବାକୁ ଅନୁମତି ଦିଅନ୍ତୁ।

publive-image

ଟୁନା ପାତ୍ର,ମାଧବ, କ୍ୟାଟେରିଂ
ଲକ୍ଷାଧିକ ଟଙ୍କା ବିନିଯୋଗ କରି ଏହି ସଂସ୍ଥା କରିଛୁ। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୋଜି ଆୟୋଜନ କରୁଥିଲୁ କିନ୍ତୁ କଟକଣାରେ ଆମର ଜୀବିକା ଦୋହଲି ଯାଇଛି। ଅନ୍ୟ ମାନଙ୍କ ପାଇଁ ସରକାର ଯେଭଳି ଚିନ୍ତା କରୁଛନ୍ତି ସେପରି ଆମ ମାନଙ୍କ ପାଇଁ କୋଭିଡ ନିୟମ ଅନୁଯାୟୀ ବିକଳ୍ପ ବ୍ୟବସ୍ଥା ଆପଣାଇବା ଜରୁରୀ।