ଝାରସୁଗୁଡ଼ା : କରୋନା ମହାମାରୀ ଚାଷୀଙ୍କ ଅର୍ଥନୀତିକୁ ସଂପୂର୍ଣ୍ଣ ପ୍ରଭାବିତ କରିଛି। ଗୋଟିଏ ପଟେ ରୋଗରେ ଲୋକେ ଛଟପଟ ହେଉଥିବା ବେଳେ ଅନ୍ୟପଟେ ଲକ୍ଡାଉନ୍ ମାଡ଼ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପକାଇଛି। କଳ କାରଖାନା ଓ ଖଣିରେ ଭରି ରହିଥିବା ଜିଲ୍ଲାର ଚାଷୀ ତାର ହକ୍ ପାଇବା ପାଇଁ ବାରମ୍ବାର ସ୍ବର ଉତ୍ତୋଳନ କରୁଥିଲେ ମଧ୍ୟ କେହି ସମସ୍ୟାକୁ ହୃଦୟଙ୍ଗମ କରୁ ନଥିବା ଚାଷୀବୃନ୍ଦ ଅଭିଯୋଗ କରିଛନ୍ତି। ଚଳିତ ରବି ଋତୁରେ ଜିଲ୍ଲାର ଚାଷୀ ଟୋକନ୍ ସମସ୍ୟାରେ ବେଶି କ୍ଷତିଗ୍ରସ୍ତ ହୋଇଥିବା ପ୍ରକାଶ କରିଛନ୍ତି। ଜିଲ୍ଲାରେ ୟାସ୍ ପ୍ରଭାବରେ ହୋଇଥିବା ଅଦିନିଆ ବର୍ଷା ଏହି ଟୋକନ୍ ବ୍ୟବସ୍ଥାକୁ ଭଣ୍ଡୁର କରି ଦେଇଥିଲା। ଚାଷୀ ଟୋକନ୍ ପାଇ ମଧ୍ୟ ଧାନ ବିକ୍ରି କରି ପାରି ନଥିବା ଜଣାଯାଇଛି। ଜଳଭଣ୍ଡାର ଓ ପାରମ୍ପରିକ ଜଳ ଉତ୍ସକୁ ବ୍ୟବହାର କରି ଚାଷ କରିଥିବା ବହୁ ଚାଷୀଙ୍କୁ ରବି ପ୍ରକ୍ରିୟାରେ ସାମିଲ କରାଯାଇ ନଥିବା ବେଳେ ତାଙ୍କୁ ପଞ୍ଜୀକରଣ ମଧ୍ୟ କରାଯାଇ ନଥିବା ନେଇ ଅନେକ ଥର ଅଭିଯୋଗ କରାଯାଇଛି। ଏହା ଉପରେ ପ୍ରଶାସନ କୌଣିସି ପଦକ୍ଷେପ ନେଇ ନଥିବାରୁ ଚାଷୀ କ୍ଷୁବ୍ଧ ହୋଇଛନ୍ତି। ଗତ ମାସ ଅମଳ ହେବାକୁ ଥିବା ବହୁ ଚାଷ ଜମିରେ ପାଣି ଜମି ଧାନ ନଷ୍ଟ ହୋଇ ଯାଇଛି। ଫଳରେ ଚାଷୀ ଘୋର କ୍ଷତିର ସମ୍ମୁଖୀନ ହୋଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରାକର ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ଚାଷୀନେତା ଦିଲ୍ଲୀପ ବଢ଼ାଇ ନପସନ୍ଦ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାରେ ଉତ୍ପାଦିତ ଧାନ ବିକ୍ରି ହୋଇ ପାରୁ ନଥିବା ବେଳେ ଧାନର ସହାୟକ ମୂଲ୍ୟ ବୃଦ୍ଧି କାହା ସ୍ବାର୍ଥରେ ଲାଗିବ ବୋଲି ସେ କହିଛନ୍ତି। ଜିଲ୍ଲାରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନଥିବା ବେଳେ ପ୍ରତିବର୍ଷ ଅନିୟମିତ ବର୍ଷା ଚାଷକୁ ପ୍ରଭାବିତ କରି ଆସୁଛି। ଧାନଚାଷ ପାଇଁ ଠିକ୍ ସମୟରେ ବର୍ଷା ହେଉନି। ବର୍ଷା ଠିକ୍ ସମୟରେ ଯେଉଁ ବର୍ଷ ହେଉଛି ଓ ଧାନ ଉତ୍ପାଦନ ଠିକ୍ ହେଉଛି ସେହି ବର୍ଷ ଧାନ ବିକ୍ରିରେ ଘୋର ସମସ୍ୟା ସୃଷ୍ଟି ହେଉଛି। ହାଡ଼ଭଙ୍ଗା ପରିଶ୍ରମ କରି ଉତ୍ପାଦନ କରୁଥିବା ଚାଷୀ ଯେମିତି ହେଉ ଶେଷରେ କ୍ଷତିଗ୍ରସ୍ତ ହେଉଛି। ଚଳିତ ବର୍ଷ ପରିବା ଚାଷ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ଚାଷୀ ଲକ୍ଡାଉନ୍ ଯୋଗୁଁ ଉତ୍ପାଦିତ ପରିବା ବିକ୍ରି କରି ପାରି ନଥିଲେ। ଜିଲ୍ଲାର ଲଖନପୁର ବ୍ଲକରେ ହଜାର ହଜାର କୁଇଣ୍ଟାଲ ମାଖନ, ତରଭୁଜ ବିଲରେ ପଡ଼ି ପଚି ଯାଇଛି। ଲକ୍ଡାଉନ୍ ଯୋଗୁଁ ବ୍ୟବସାୟ ମାନ୍ଦା କହି ବେପାରୀ ଚାଷୀଙ୍କଠାରୁ କିଣି ନଥିଲେ। ପରିବାଠାରୁ ଗାଡ଼ି ଭଡ଼ା ଢେର ଅଧିକ ଯୋଗୁଁ ମଧ୍ୟ ବହୁ ବେପାରୀ ମାଲ ଉଠାଇବା ପାଇଁ ସାହସ କରି ନଥିଲେ।
ପଡୋଶୀ ଛତିଶଗଡ଼ ରାଜ୍ୟରେ ଲଖନପୁର ବ୍ଲକର ଉତ୍ପାଦିତ ପନିପରିବା ଭଲ ବ୍ୟବସାୟ ହୋଇଥାଏ। ମାତ୍ର ଲକ୍ଡାଉନ୍ ଓ ଉଭୟ ରାଜ୍ୟ ମଧ୍ୟରେ ଯାତାୟାତ କଟକଣା ଯୋଗୁଁ ପନି ପରିବା ସେଠାକୁ ଯାଇ ନଥିଲା। ଜିଲ୍ଲାର ସମସ୍ତ ହାଟ ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଥିବାରୁ ବିକ୍ରି କରିବାରେ ଅନ୍ତରାୟ ସୃଷ୍ଟି କରିଥିଲା। ଜିଲ୍ଲାରେ ରବି ଧାନ ବିକ୍ରିରେ ଅସୁବିଧା ଓ ବ୍ୟାପକ ପନିପରିବା ବିକ୍ରି ନହେବାରୁ ଜିଲ୍ଲାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏହା ମଧ୍ୟରେ ଖରିଫ ଚାଷ ସମୟ ଆସି ଯାଇଥିବାରୁ ଚାଷୀ ଦ୍ବନ୍ଦ୍ବରେ ପଡ଼ିଛି। ରବିରେ କ୍ଷତି ସହିଥିବା ଚାଷୀ ପୁଣି ଖରିଫ ଚାଷରେ ଟଙ୍କା ଖଟାଇବା ସମ୍ଭବ ହୋଇପାରୁ ହିଁ। ସରକାର ଚାଷୀଙ୍କ କ୍ଷତି ସଂପର୍କରେ ସ୍ବତନ୍ତ୍ର ଅନୁଧ୍ୟାନ କରି ଉଚିତ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରିବାକୁ ଚାଷୀ ସଂଗଠନଗୁଡ଼ିକ ଦାବି କରିଛନ୍ତି।