‘କରୋନା’ ପାଇଁ କଟକଣା ପରେ ଭକ୍ତଶୂନ୍ୟ ଶ୍ରୀମନ୍ଦିର

ସିଂହଦ୍ବାରରୁ ପତିତପାବନଙ୍କ ଦର୍ଶନ କରି ଫେରିଲେ ଭକ୍ତ
ଆନନ୍ଦବଜାର, ବରାଦି ଭୋଗରେ ବି କଟକଣା
ପ୍ରଶାସନ ଲଗାଇଲା ସୂଚନା ଫଳକ

ପୁରୀ : ‘କରୋନା’ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପରେ ଆଜିଠାରୁ ଶ୍ରୀମନ୍ଦିର ଭକ୍ତଶୂନ୍ୟ ହୋଇଯାଇଛି। ନୀତିକାନ୍ତି ସହ ସଂପୃକ୍ତ ସେବାୟତ ଓ ହାତଗଣତି ସୁରକ୍ଷା କର୍ମୀଙ୍କୁ ଛାଡ଼ିଦେଲେ ଶ୍ରୀମନ୍ଦିରରେ ଅନ୍ୟ କାହାରିକୁ ଦେଖିବାକୁ ମିଳିନି। ସ୍ଥାନୀୟ ଲୋକେ ତଥା କାଁ ଭାଁ ବାହାର ଭକ୍ତ କେବଳ ସିଂହଦ୍ବାରରୁ ପତିତପାବନଙ୍କୁ ମୁଣ୍ଡିଆ ମାରି ଫେରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଓ ଚାରିଦ୍ବାର, ଏଭଳି ଖାଲି ରହିବା କେବେ‌ ବି ଦେଖିବାକୁ ମିଳିନଥିଲା। କିନ୍ତୁ ଆଜିର ଏଭଳି ଦୃଶ୍ୟ ଦେଖି ଅନେକ ଭକ୍ତ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ଅନ୍ୟପଟେ ଆନନ୍ଦବଜାର ଓ ବରାଦି ଭୋଗରେ ବି କିଛିଟା କଟକଣା ଲଗାଯାଇଛି।

ଗତକାଲି ‘କରୋନା’ ପାଇଁ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ନିଷ୍ପତ୍ତି ସଂପର୍କରେ ବିଧିବଦ୍ଧ ଘୋଷଣା କରିଥିଲା। ଆଜିଠାରୁ ଏହି କଟକଣା ଲଗାଯାଇଥିବା, ଗତକାଲି ଚିଠି କରି ଓ ଭିଡିଓ ଜରିଆରେ ଜିଲ୍ଲାପାଳ ବଲୱନ୍ତ ସିଂ ଗଣମାଧ୍ୟମକୁ ଜଣାଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ, ଆଜି ଶ୍ରୀମନ୍ଦିର ସିଂହଦ୍ବାର ଓ ଅନ୍ୟ ଦ୍ବାରରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଫଳକ ଲଗାଇଛି। ଯେଉଁଥିରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଯାତ୍ରୀ ତଥା ଭକ୍ତଙ୍କ ପ୍ରବେଶ ଉପରେ ଆଜିଠାରୁ ଏପ୍ରିଲ୍‌ ପହିଲା ପର୍ଯ୍ୟନ୍ତ ନିଷେଧ କରାଯାଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଏହି ସୂଚନା ଫଳକ ଉଲ୍ଲେଖ ରହିଛି। ଚାରିଦ୍ବାରରେ ନୋଟିସ୍‌ ବି ଲଗାଯାଇଛି। ସେପଟେ ଗତ ୧୫ ତାରିଖରୁ ଭକ୍ତଙ୍କ ଦର୍ଶନ ପରେ କିଛିଟା କଟକଣା ଲଗାଇଥିଲା ଶ୍ରୀମନ୍ଦିର ପ୍ରଶାସନ।

କରୋନା ଭୂତାଣୁର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ଆଜିଠାରୁ ଦର୍ଶନ ବନ୍ଦ ରଖାଯାଇଛି। ଯେଉଁଥିପାଇଁ ଆଜି କୌଣସି ଭକ୍ତ ଶ୍ରୀମନ୍ଦିରକୁ ଆସିନାହାନ୍ତି। ଯେଉଁମାନେ ବି ଆସିଛନ୍ତି, ବାହାରୁ ଦର୍ଶନ କରି ଫେରିଛନ୍ତି। ଏହି ଦୃଷ୍ଟିରୁ ବଡ଼ଦାଣ୍ଡ, ସିଂହଦ୍ବାର ସହ ଅନ୍ୟଦ୍ବାର ବି ଖାଁ ଖାଁ ହୋଇଯାଇଛି। ସେପଟେ ଆନନ୍ଦବଜାରରେ କେବଳ କୋଠଭୋଗ, ଅଳ୍ପସଂଖ୍ୟାର ବରାଦି ଭୋଗକୁ ଛାଡ଼ିଦେଲେ, ବାକି ସବୁକୁ ବନ୍ଦ କରି ଦିଆଯାଇଛି। ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ଓ ସେବନ ସଂପୂର୍ଣ୍ଣ ନିଷିଦ୍ଧ କରି ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଦୈନିକ ବାହାରୁ ଥିବା ବରାଦି ଭୋଗ ୨୫୦ ସଂଖ୍ୟାରେ ସୀମିତ ରହିବ। ଜଣେ ମହାସୁଆର ସେବକ ସର୍ବାଧିକ ୨୫୦ ଭକ୍ତଙ୍କ ପାଇଁ ମହାପ୍ରସାଦ ଦେଇପାରିବେ। ସେପଟେ ମହାପ୍ରସାଦ ଦେବାରେ ବି କିଛିଟା କଟକଣା ଲଗାଯାଇଛି। ଭକ୍ତମାନଙ୍କୁ ମନ୍ଦିର ବାହାରେ ସଂପୃକ୍ତ ସେବକ ମହାପ୍ରସାଦ ଦେଇପାରିବେ। ଅତ୍ୟାବଶ୍ୟକ କ୍ଷେତ୍ରରେ ସଂପୃକ୍ତ ସେବକ ଏହା କରିପାରିବେ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। କିନ୍ତୁ କୋଠଭୋଗ ଓ ଅନ୍ୟାନ୍ୟ ସେବାରେ କିଛି ପରିବର୍ତନ କରାଯାଇନି।

ସମ୍ବନ୍ଧିତ ଖବର