ପଥର ଶିଳ୍ପୀଙ୍କୁ ଦୁଃଖ ଦେଲା କରୋନା: ଶୁଭୁନି ଆଉ ନିହଣ, ମୁଗୁରର ଶବ୍ଦ

ପିପିଲି : ନିର୍ଜୀବ ପଥରକୁ ପ୍ରାଣବନ୍ତ କରୁଥିବା ପଥର ଶିଳ୍ପୀର ସେ ନିହଣ, ମୁଗୁରର ଶବ୍ଦ ଆଉ ଶୁଭୁନାହିଁ। କରୋନା ମାଡ଼ରେ ପଥର ଶିଳ୍ପୀ ଆଜି ହାତବାନ୍ଧି ବସିଛି। ପ୍ରାୟ ଦୁଇବର୍ଷ ତଳେ ବାତ୍ୟା ‘ଫନି’ ପଥର ଶିଳ୍ପୀଙ୍କର ବହୁ କ୍ଷତିକରିଥିଲା। ସେମାନେ ଅଣ୍ଟା ସଳଖିବା ବେଳକୁ ମହାମାରୀ ‘କରୋନା’ ଶକ୍ତ ଆଘାତ ଦେଇଛି। ପରିବାର ପ୍ରତିପୋଷଣ ଓ ନିଜର ପେଷା ଓ ନିଶା ପାଇଁ ଦୀର୍ଘ ବର୍ଷ ହେବ ନିହଣ, ହାତୁଡ଼ି ଓ ପଥରକୁ ନିଜର ସାଥୀ କରିଥିବା ଶିଳ୍ପୀକୂଳଙ୍କର ଆଶା ‘କରୋନା’ ଯୋଗୁ ଧୂଳିସାତ୍‌ ହୋଇଯାଇଛି ବୋଲି ପିପିଲି ବ୍ଲକ୍‌ ରୂପଦେଇପୁର ପଞ୍ଚାୟତ ମୌଜିବେଗ ଗାଁର ପଥରଶିଳ୍ପୀ ଅକ୍ଷୟ ମହାରଣା (୪୦) କହିଛନ୍ତି।

ବାହାରୁ ମୂର୍ତ୍ତି ତିଆରି ନିମନ୍ତେ ପଥର ଆସିବା, ମୂର୍ତ୍ତି ତିଆରି, କିଣାବିକା ଆଦି ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିବାରୁ ପଥରଶିଳ୍ପୀମାନେ ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ହାତଗଢା ବିଭିନ୍ନ ମୂର୍ତ୍ତି ଏବେ ବିକ୍ରି ନହୋଇ ପଡ଼ିରହିଛି। ଗତ ଦେଢ ବର୍ଷ ହେବ ଏହି ମୂର୍ତ୍ତିଗୁଡ଼ିକୁ କେବଳ ସେମାନେ ସଂରକ୍ଷିତ ରଖିବାକୁ ଲାଗିଛନ୍ତି। ଶ୍ରୀ ମହାରଣାଙ୍କ କହିବା ଅନୁଯାୟୀ, ସେ ରାଜସ୍ଥାନର ବଂଶୀ ପାହାଡ଼ରୁ ପଥର, ମାର୍ବଲ, କେଉଁଝରରୁ ଗ୍ରାନାଇଟ ବା ମୁଗୁନି ପଥର, ଖୋର୍ଦ୍ଧା ତାପଙ୍ଗରୁ ଶାଣ ପଥର, ଖିଚିଂରୁ ଖଡ଼ି ପଥର ଆଦି ଆଦି ସଂଗ୍ରହ କରି ମୂର୍ତ୍ତି ତିଆରି କରିଥାନ୍ତି। ଶ୍ରୀ ମହରାଣା ନିଜ ପରିବାର ପ୍ରତିପୋଷଣ ଏବଂ ନିଜର ପେଷା ଓ ନିଶା ପାଇଁ ଦୀର୍ଘ ୨୫ବର୍ଷ ହେବ ନିହାଣ, ମୁଗୁର ଓ ପଥରକୁ ନିଜର ସାଥୀ କରିଥିବାବେଳେ ତାଙ୍କ ଆଶା ଓ ସ୍ବପ୍ନକୁ କରୋନା ଶକ୍ତ ପ୍ରହାର ଦେଇଛି। ଏବେବି ତାଙ୍କ ହାତ ତିଆରି ଗଣେଶ ମୂର୍ତ୍ତି ନୂଆଦିଲ୍ଲୀସ୍ଥ ରାଷ୍ଟ୍ରପତି ଭବନରେ ଶୋଭା ପାଉଛି ବୋଲି ଅକ୍ଷୟ କହିଛନ୍ତି।

ଜାତୀୟ ପୁରସ୍କାର ପାଇଁ ସେ ପ୍ରସ୍ତୁତ ହୋଇଥିଲେ। ସମସ୍ତ ପ୍ରସ୍ତୁତି ସରିଥିଲା। ଏଥିନିମନ୍ତେ ସୂକ୍ଷ୍ମ କରୁକାର୍ଯ୍ୟ ବିମାନ ଖଚିତ ଏକ ଗଣେଶ ମୂର୍ତ୍ତି ଅକ୍ଷୟ ନିର୍ମାଣ କରିଥିଲେ। ଏହି ମୂର୍ତ୍ତି ତିଆରି ପାଇଁ ତାଙ୍କୁ ୩ମାସ ସମୟ ଲାଗିଥିଲା। ଜାତୀୟ ପୁରସ୍କାର ଚୟନ ପାଇଁ ଏହି ମୂର୍ତ୍ତି ଚୟନ କମିଟି ନିକଟକୁ ଯାଇଥାନ୍ତା। ତେବେ ବିଧିର ବିଧାନ ବିଚିତ୍ର। ବାତ୍ୟା ଫନି ତାଙ୍କର ସବୁ ଆଶା ଧୂଳିସାତ କରିଦେଲା। ଫନି ପ୍ରଭାବରେ ମୂର୍ତ୍ତି ନିର୍ମାଣ ହେଉଥିବା ଘର(ମହାରଣା ଷ୍ଟୋନ କାରଭିଙ୍ଗ) ଭୁଶୁଡ଼ି ପଡ଼ିଲା। ଆଜବେଷ୍ଟସ୍‌ ଓ କାଠ ଖଣ୍ତ ପଡ଼ି ନିର୍ମିତ କେତେକ ମୂର୍ତ୍ତି ଭାଙ୍ଗିଯିବା ସହ ଜାତୀୟ ପୁରସ୍କାର ଚୟନ ପାଇଁ ନିର୍ମାଣ କରାଯାଇଥିବା ସୁନ୍ଦର ଗଣେଶ ମୂର୍ତ୍ତିଟି ବିକଳାଙ୍ଗ ହୋଇଯାଇଥିଲା। ଏହି ମୂର୍ତ୍ତିର ବଜାର ଦର ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ଅକ୍ଷୟ କୁହନ୍ତି। ସେବେଠୁ ଅଣ୍ଟା ସଳଖି ପାରି ନାହାନ୍ତି ଅକ୍ଷୟ। ତେବେ ଏ ଦୁର୍ଦ୍ଦିନ ସମୟରେ ମୂର୍ତ୍ତି କାରିଗରମାନଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର