କରୋନା ମାଡରେ ଚେପା ମିଠା ଶିଳ୍ପ : ଖସିଲା ବଜାର, ମିଳୁନି ଭଳିକି ଭଳି ମିଠା

ଜୟପୁର (ଶ୍ରୀକାନ୍ତ ସାହୁ): ମିଠା ବଜାରରେ ନିଆଁ। ସେମିତି ପର୍ବପର୍ବାଣୀ ନାହିଁ କିନ୍ତୁ ମିଠା ଦର ଆକାଶ ଛୁଆଁ। ୬ ମାସ ତଳେ ଯେଉଁ ସାଧାରଣ ମିଠାର ଦର ଥିଲା ତାହା ଏବେ ଆଶାତିତ ଭାବେ ବୃଦ୍ଧି ପାଇଛି। ବଜାରରେ ପୂର୍ବରୁ ଯେଉଁ ୨୫ରୁ ୩୦ ପ୍ରକାରର ମିଠା ମିଳୁଥିଲା ତାହା ଆଉ ଏବେ ମିଳୁନି । ବଜାରୁ ଗାୟବ ହୋଇଯାଇଛି ଭଳିକି ଭଳି ମିଠା। ଯେଉଁ କେତୋଟି ମିଠା ମିଳୁଛି ତାହା ବିକ୍ରି ନ ହୋଇ ନଷ୍ଟ ହେଉଛି। ଏହାସହ ଆଗରୁ ଯେଉଁ ବେପାର ହେଉଥିଲା ଏବେ ଆଉ ସେ ବ୍ୟବସାୟ ନାହିଁ। ମିଠା ଦୋକାନୀ ଓ ବ୍ୟବସାୟୀମାନେ ମିଠା କାରିଗରଙ୍କୁ ଚାକିରିରୁ ବାହାର କରି ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାସହ ସପ୍ତାହରେ ସୋମବାରଠୁ ଶୁକ୍ରବାର ଯାଏ ବ୍ୟବସାୟ ତାହା ପୁଣି କିଛି ଘଣ୍ଟା ପାଇଁ ହୋଇଥିବାରୁ ବ୍ୟବସାୟ ଜମୁ ନାହିଁ। ଯେଉଁ ବ୍ୟବସାୟ ହେଉଛି ତାହା ଦୋକାନ ଭଡାଠୁ ଆରମ୍ଭ କରି ଯାବତୀୟ ଖର୍ଚ୍ଚ ଯୋଗୁଁ ଶେଷ ହୋଇଯାଉଛି। ଫଳରେ ନାହିଁ ନ ଥିବା ହଇରାଣର ଶିକାର ହେଉଛନ୍ତି ଜୟପୁର ସହର ମିଠା ବ୍ୟବସାୟୀ।

ଜୟପୁର ସହରରେ ସବୁ ସମୟରେ ମିଳୁଥିଲା ରସାବଳୀ, ରସଗୋଲା, ଛେନା ମିଠା, ଗୋଲାପ ଜାମୁ, କାଲା ଜାମୁ, ପେଡା, ଅମୁଲ ଲଢୁ, କାଜୁ ବର୍ଫି, ରସକଦମ, ବେସନ ଲଡୁ, ବରଫି, କାଜୁ ବରଫି, ଛେନା ବରଫି ଇତ୍ୟାଦି। ଯାହାର ମୁଲ୍ୟ ୨୬୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ଯାଏ ରହିଥିଲା। ଏବେ ଆଉ ସେହି ମିଠାମିଳୁ ନାହିଁ। କାହିଁକି ନା ମାର୍ଚ୍ଚମାସରେ ଲକଡାଉନ ଆରମ୍ଭ ହେଉ ହେଉ ରାଜ୍ୟର କୋଣ ଅନୁକୋଣରୁ ଆସି ଏହିଠାରେ ମିଠା ବ୍ୟବସାୟୀଙ୍କ ନିକଟରେ କାମ କରୁଥିବା ମିଠା କାରିଗର ଆସିବାକୁ ମଙ୍ଗୁ ନାହାନ୍ତି। ଜୟପୁର ବ୍ୟବସାୟୀଙ୍କୁ ମିଠା କରିଗରମାନେ କରୁଥିବା ଦାବି ବି ପୂରଣ କରିବାକୁ ଅସମର୍ଥ। କାହିଁକି ନା ଯେଉଁଠି ବ୍ୟବସାୟ ପ୍ରତିଦିନ ୧୦ହଜାରରୁ ୧୫ ହଜାର ହେଉଥିଲା ତାହା ଏବେ ୨୦୦୦ରେ ପହଞ୍ଚିଛି। ସେଭଳି ସ୍ଥିତିରେ ମିଠା କାରିଗରଙ୍କୁ ଅଗ୍ରିମ ଦୁଇ ମାସର ଅର୍ଥ, ଦିନିକିଆ ଦରମା ଓ ରହିବା ଖାଇବା ଖର୍ଚ୍ଚ ଦେଲେ ସେମାନେ ଆସିବେ ବୋଲି କହୁଛନ୍ତି। ତେଣୁ ଏଥିଯୋଗୁଁ  ମିଠା ତିଆରି ହୋଇପାରୁ ନାହିଁ। ଯାହା କିଛି ତିଆରି ହେଉଛି ବିକ୍ରି ହେଉ ନ ଥିବାରୁ ପ୍ରତିଦିନ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ଏବେ କେବଳ ରସାବଳୀ, ରସ ମଲାଇ, ଛେନା ପୋଡ, ବୁନ୍ଦି ଲଡୁ, ବେସନ ଲଢୁ ସହ ଅନ୍ୟ କିଛି ମିଠା ତିଆରି ହେଉଥିବା ଜଣାପଡିଛି।

ଏନେଇ ଆମ୍ବାଗୁଡାର ମିଠା ବ୍ୟବସାୟୀ ବାପି ବର୍ମଣ କହିଛନ୍ତି ଯେ ରସାବଳୀ, ରସମଲାଇ, ରସଗୋଲା ଓ ଗୋଲାପ ଜାମୁ ପାଇଁ ପ୍ରତିଷ୍ଠାନ ବେଶ ପରିଚିତ। ହେଲେ ଗତ ୫ ମାସ ମଧ୍ୟରେ ବ୍ୟବସାୟ ଏପରି ମାଡ ଖାଇଛି ଯେ ପୂର୍ବରୁ ୮ରୁ ଅଧିକ କର୍ମଚାରୀଙ୍କୁ ନେଇ ବ୍ୟବସାୟ କରୁଥିଲି। ଏବେ ତାହା ୩କୁ ଖସି ଆସିଛି। ଗୋଟିଏ ପଟେ ବ୍ୟବସାୟିକ ମାଡ ହେଉଥିବାବେଳେ ଖର୍ଚ୍ଚ ଅଧିକ ହେଉଥିବାରୁ ଏପରି କରାଯାଇଛି। ଦିନକୁ ଦିନ କରୋନା ଭୟ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇଥିବାରୁ ଲୋକେ ଆଉ ମିଠା ନେବାକୁ ଆସୁ ନାହାନ୍ତି। ଫଳରେ ଦିନକୁ ହଜାର ହଜାର ଟଙ୍କାର ମିଠା ନଷ୍ଟ ହେଉଛି। ଯେଉଁଠି ଦିନକୁ ୧୨ରୁ ୧୫ ହଜାରର ମିଠା ବିକ୍ରି ହେଉଥିଲା ତାହା ଏବେ ମାତ୍ର କେଇ ହଜାର ଟଙ୍କାକୁ ଖସି ଆସିଛି ବୋଲି ସେ କହିଛନ୍ତି। ଏନେଇ ପାରାବଢାର ମିଠା ବ୍ୟବସାୟୀ ସରୋଜ ସାହୁ କହିଛନ୍ତି ଯେ କଟକରୁ ଆସି କାର୍ଯ୍ୟ କରୁଥିବା

ମିଠା କାରିଗର ଏବେ ଆସି କାମ କରିବାକୁ ନାରାଜ। ଯେଉଁ ଅର୍ଥ ମାଗୁଛନ୍ତି ତାହା ଆମେ ଦେବା ବି ଅସମ୍ଭବ। ଯେଉଁ ମିଠା କାରିଗର ମାତ୍ର କେଇ ଶହରେ କାମ କରୁଥିଲେ ସେମାନେ ଏବେ ହଜାରେ ମାଗୁଛନ୍ତି। ଯେଉଁଠି ବ୍ୟବସାୟ ମାତ୍ରକେଇ ହଜାର ହେଉଛି ସେଠି ଏହିମିଠା କାରିଗରଙ୍କୁ ପୋଷିବା ସମ୍ଭବ ହେଉନାହିଁ। ତେଣୁ ଯେଉଁ ମିଠା ସ୍ଥାନୀୟ ମିଠାକାରିଗରଙ୍କ ଦ୍ୱାରା ସମ୍ଭବ ତାହା କରିହେଉଛି ବୋଲି ସେ କହିଛନ୍ତି।

୫ ମାସ ହେଲା ଜୟପୁରକୁ ଆସୁନି ନୟାଗଡ ଛେନାପୋଡ

୫ ମାସ ହେଲା ଜୟପୁରକୁ ଆସୁନି ପ୍ରସିଦ୍ଧ ନୟାଗଡ ଛେନାପୋଡ। ଲକଡାଉନ ଯୋଗୁଁ ସହରକୁ ବସ ଚଳାଚଳ କରୁ ନ ଥିବାବେଳେ କ୍ଷତି ଭୟରେ ଜୟପୁରକୁ ଆସୁନି ଏହି ଛେନାପୋଡ। ସ୍ଥାନୀୟ ବଜାରରେ ଯେଉଁ ଛେନାପୋଡ ଉପଲବ୍ଧ ହେଉଛି ତାହା ସବୁ କିଛି ସ୍ଥାନୀୟ ମିଠା କାରିଗର ତିଆରି କରୁଛନ୍ତି। ତେବେ ନୟଗଡ ଛେନାପୋଡର ଟେଷ୍ଟ ଭିନ୍ନ ରହିଥିବାବେଳେ ସ୍ଥାନୀୟ ମିଠା କରିଗରଙ୍କର ଟେଷ୍ଟ ଭିନ୍ନ ରହିଛି।

ସମ୍ବନ୍ଧିତ ଖବର