ମାଲକାନଗିରି ଜିଲ୍ଲାରେ ପଶିଲା କରୋନା, ବାପା ଓ ବର୍ଷକର ପୁଅ ଆକ୍ରାନ୍ତ

ମାଲକାନଗିରି/କାଲିମେଳା: ମାଲକାନଗିରି ଜିଲ୍ଲାରେ ପଶିଲା ମାରାତ୍ମକ କରୋନା ଭୂତାଣୁ। ସ୍ବାବ୍ ପରୀକ୍ଷା ରିପୋର୍ଟରୁ ଜଣେ ଯୁବକ ଏବଂ ତାଙ୍କର ବର୍ଷକର ପୁଅ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଉଭୟଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍ ହସ୍‌ପିଟାଲକୁ ପଠାଯାଇଥିବା ଆଜି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ଏଥିସହିତ କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଯାଇଛି ମାଲକାନଗିରି ଜିଲ୍ଲା।

ସୂଚନା ଅନୁଯାୟୀ, କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଜଣେ ଯୁବକ ପରିବାର ସହ କିଛିମାସ ତଳେ ଚେନ୍ନାଇ ଯାଇଥିଲେ। ଲକ୍‌ଡାଉନ୍ ଯୋଗୁଁ ସେଠାରେ ଦୀର୍ଘଦିନ ଧରି ଫସି ରହିବା ପରେ ଚଳିତ ମାସ ୮ତାରିଖ ଦିନ ସେମାନେ ଫେରିଥିଲେ। ବସ୍ ଯୋଗେ ମୋଟୁ ସୀମାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଏମଭି-୭୨ ସ୍ଥିତ ସଙ୍ଗରୋଧ ଗୃହକୁ ନିଆଯାଇଥିଲା। ସ୍ବାବ୍ ପରୀକ୍ଷା ରିପୋର୍ଟରୁ ୨୧ବର୍ଷୀୟ ଯୁବକ ଏବଂ ତାଙ୍କ ବର୍ଷକର ପୁଅ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଯାଇଛି। ଗତକାଲି ରାତି ୯ଟାରୁ ୨୬ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଏମଭି-୭୨ ୟୁପି ସ୍କୁଲ, ହାଇସ୍କୁଲ ଏବଂ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ‌ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏହି ଅଞ୍ଚଳକୁ ବାହାର ଲୋକ ପଶିପାରିବେ ନାହିଁ କିମ୍ବା ଭିତରୁ କେହି ବାହାରକୁ ଯାଇପାରିବେ ନାହିଁ ବୋଲି ପ୍ରଶାସନ ସୂଚନା ଦେଇଛି। ଆଖପାଖର ସମସ୍ତ ଦୋକାନ ଦୋକାନକୁ ବନ୍ଦ କରାଯାଇଛି। ଏଠାରେ ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମକୁ ନିୟୋଜିତ କରାଯାଇଥିବା ବେଳେ ଲୋକଙ୍କୁ ଆବଶ୍ୟକ ସହାୟତା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ସେହିପରି ପୁଲିସ ଫୋର୍ସକୁ ଏଠାରେ ମୁତୟନ କରାଯାଇଛି। ଏମଭି-୭୨ ଅଂଚଳକୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି। ସଂକ୍ରମିତ ଚିହ୍ନଟ ସହ ଅରେଞ୍ଜ ଜୋନକୁ ଚାଲି ଆସିଛି ମାଲକାନଗିରି ଜିଲ୍ଲା। ନୋଡାଲ ଅଫିସର ଭାବେ ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର