ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ନିୟମଗିରି ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ଠାରେ ପ୍ରଥମ ଥର କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଆମଠାପଦର ଗାଁର ତିନି ଜଣ ଅଧିବାସୀ କରୋନାରେ ଆକ୍ରାନ୍ତ ହୋଇଥିବା ଲାଞ୍ଜିଗଡ଼ ବ୍ଲକ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥି ମଧ୍ୟରୁ ଜଣେ ବୟସ୍କ ବ୍ୟକ୍ତି, ଜଣେ ମଧ୍ୟ ବୟସ୍କ ଓ ଗୋଟିଏ ଚାରି ବର୍ଷର ଶିଶୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଆମଠାପଦର ଗାଁକୁ ଯାଇ ଲକ୍ଷଣ ଥିବା ଲୋକଙ୍କ ଆଣ୍ଟିଜେନ୍ ପରୀକ୍ଷା କରିଥିଲେ। ଲାଞ୍ଜିଗଡ଼ ମେଡିକାଲ ଅଫିସର ଭବାନୀଶଙ୍କର ଲେଙ୍କାଙ୍କ ତତ୍ବାବଧାନରେ ଡା. ନରେନ୍ଦ୍ର ଦାସଙ୍କ ସହିତ ଏକ ସ୍ୱାସ୍ଥ୍ୟଟିମ ରାତି ୮ ଟାରେ ଗାଁରେ ପହଞ୍ଚି ତିନି ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ।
କିଛିଦିନ ହେଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତରେ ଥିବା ରାୟଗଡ଼ା ଜିଲ୍ଲା ପଟର ନିୟମଗିରି ପାହାଡ଼ ତଥା ଏହାର ଚାରି ପାର୍ଶ୍ବରେ ବସବାସ କରୁଥିବା ଆଦିମ ଜନଜାତିଙ୍କଠାରେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବ୍ଲକର ଆଦିମ ଜନଜାତି ରହୁଥିବା ଅଂଚଳରେ ବୁଧବାରଠାରୁ ଆରମ୍ଭ ହୋଇଥିଲା ଡୋର୍ ଟୁ ଡୋର୍ ସର୍ଭେ। ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଓ ଖେମୁଣ୍ଡିପଦର ଗାଁର ଶତାଧିକ ଆଦିମ ଜନଜାତି ପରିବାରଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହତ ସେମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଯାଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ଲାଞ୍ଜିଗଡ଼ ବ୍ଲକ କୋଭିଡ ନୋଡାଲ ଅଫିସର ଅରବିନ୍ଦ ରାୟ, ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମରେ ତ୍ରିଲୋଚନପୁର ପଞ୍ଚାୟତ ସମେତ ଲାଞ୍ଜିଗଡ଼, ଜଗନ୍ନାଥପୁର ଓ ବସନ୍ତପଡା ପଞ୍ଚାୟତର ୨୧ଟି ଗ୍ରାମର ଏହି ଆଦିମ ଜନଜାତି ସମ୍ପ୍ରଦାୟର ପରିବାର ବର୍ଗଙ୍କୁ ସଚେତନ କରାଯାଇଥିଲା।
ସେହିପରି ୨୦ ତାରିଖରେ ତ୍ରିଲୋଚନପୁର ପଞ୍ଚାୟତର ନିୟମଗିରି ପାହାଡ଼ର ପାଦ ଦେଶର ଥିବା ଆମଠାପଦର ଓ ଓଲବାହିଲି ଗାଁରେ ଘରକୁ ଘର ବୁଲି ସର୍ଭେ କରାଯାଇଥିଲା। ସର୍ଭେରେ ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ଲାଞ୍ଜିଗଡ଼ ବ୍ଲକ୍ କୋଭିଡ୍ ନୋଡାଲ୍ ଅଧିକାରୀ ଶ୍ରୀ ରାୟ, ଲାଞ୍ଜିଗଡ଼ ବିଡିଓ ଶ୍ରୀ ମିଶ୍ର, କେକେଡିଏ ପ୍ରୋଜେକ୍ଟ ମ୍ୟାନେଜର୍ ଲମ୍ବୋଦର ପ୍ରଧାନ, ଲାଞ୍ଜିଗଡ଼ ବ୍ଲକ ଭିଆର୍ସି ଟିମଙ୍କ ସହିତ ଶିକ୍ଷକ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଉପସ୍ଥିତ ରହି ସର୍ଭେ କରିଥିଲେ। ସର୍ଭେରେ ଆମଠାପଦର ଗାଁର କିଛି ଲୋକଙ୍କଠାରେ ଜ୍ବର ଓ କାଶ ଲକ୍ଷଣ ଦେଖାଯାଇଥିଲା। ଏହା ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଔଷଧ ଯୋଗାଇ ଦିଆଯାଇଥିଲା। ପୁଣି ଶୁକ୍ରବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଇ ଏମାନଙ୍କୁ ଔଷଧ ଦେବାସହ କୋଭିଡ୍ ପରୀକ୍ଷା କରିବା ପରେ ତିନିଜଣଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲା।
ଏହି ସର୍ଭେ ଗତ ୧୯ ତାରିଖ ଦିନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ୨୧ ତାରିଖ ପର୍ଯ୍ୟନ୍ତ ୭୭ ଟି ଗାଁରେ କରାଯାଇଥିବା ଜଣାପଡ଼ିଛି। ବ୍ଲକର ୨୬ଟି ପଞ୍ଚାୟତର ୨୭୮ ଗ୍ରାମର ୬୮୩୦ ପରିବାରର ପ୍ରାୟ ୩୦ ହଜାର ଏହି ସମ୍ପ୍ରଦାୟର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଶିକ୍ଷକମାନେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ବ୍ଲକ୍ କର୍ମଚାରୀ ଓ ପଞ୍ଚାୟତ କର୍ମଚାରୀମାନେ ସାମିଲ ହୋଇଛନ୍ତି।