ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଶିଲା କରୋନା; ସଂକ୍ରମିତ ହେଲେଣି ୩ରୁ ଅଧିକ ଅଧିକାରୀ, କର୍ମଚାରୀ

ମହାପ୍ରଭୁଙ୍କ ନୀତି ବିଭ୍ରାଟ ଆଶଙ୍କା, ଖୁବ୍‌ଶୀଘ୍ର ବସିବ ବୈଠକ: ଜିଲ୍ଲାପାଳ

ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରେ କରୋନା ଭୂତାଣୁ ପଶିଛି। ଅଧିକାରୀ, କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏଭଳି ପରିସ୍ଥିତି ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହେବା ଆଶଙ୍କା ସୃଷ୍ଟିକରିଛି। ସେବାୟତମାନେ ବି ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ଦେଖାଦେଇଛି। ତଥାପି ନିରବ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ। ନା ଦର୍ଶନ କ୍ଷେତ୍ରରେ କୌଣସି କଟକଣା ଲଗାଯାଉଛନ୍ତି , ନା ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା କରାଯାଉଛି। ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି ଯେ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି, ବରିଷ୍ଠ ସେବାୟତଙ୍କୁ ନେଇ ‌ଖୁବ୍‌ଶୀଘ୍ର ବୈଠକ ବସିବ। ଅନ୍ୟପଟେ ସୋମବାର ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଦୈନିକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗୁଛି। ଦୈନିକ ୩୦ରୁ ୪୦ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଯେଉଁଥିରେ ରାଜ୍ୟ ବାହାର ଓ ରାଜ୍ୟ ଭିତରର ଭକ୍ତ ରହିଛନ୍ତି। ପୁରୁଣା ନିୟମ ଆଧାରରେ ଦର୍ଶନ ଚାଲିଛି। କିନ୍ତୁ ଯେଉଁଭଳି କଟକଣା ଲାଗିବା କଥା ସେଭଳି କିଛି ଦେଖିବାକୁ ମିଳୁନି। ଭକ୍ତମାନେ ଭିଡ଼ ଭିତରେ ଠେଲାପେଲା ଅବସ୍ଥାରେ ଧାଡ଼ିରେ ରହି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ସୋମବାର, ଶନିବାର ସହ ପର୍ବପର୍ବାଣୀରେ ବଡ଼ଦାଣ୍ଡରେ ମରିଚିକୋଟ ଛକ ପର୍ଯ୍ୟନ୍ତ ବି ଭକ୍ତଙ୍କ ଭିଡ଼ ଲାଗୁଛି। ଲମ୍ବା ଧାଡ଼ିରେ ରହି ଦର୍ଶନ କରୁଛନ୍ତି। ଯାହା ସଂକ୍ରମଣର ମାତ୍ରାକୁ ବଢ଼ାଇ ଦେଇଛି। କାରଣ ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ଯେ ସଂକ୍ରମିତ ନୁହଁନ୍ତି, ତାହା ପରୀକ୍ଷା କରିବାର କୌଣସି ବ୍ୟବସ୍ଥା ନାହିଁ। ପୂର୍ବରୁ ଯେଉଁଭଳି ମାସ୍କ, ଥର୍ମାଲ୍‌ ସ୍କ୍ରିନିଂ, ସାନିଟାଇଜର ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା, ତାକୁ ହୁଗୁଳା ଛାଡ଼ିଦିଆଯାଇଛି। ଫଳରେ ବାହାର ସଂକ୍ରମିତ ରାଜ୍ୟରୁ ଆସୁଥିବା ଭକ୍ତ ତଥା ପର୍ଯ୍ୟଟକଙ୍କଠାରୁ ସହଜରେ ସଂକ୍ରମଣ ବ୍ୟାପିବାର ଆାଶଙ୍କା ସୃଷ୍ଟି ହୋଇଛି, ଯାହାର ପ୍ରତିଫଳନ ବି ଶ୍ରୀମନ୍ଦିର ଭିତରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର