ପାର୍ବଣ ଓ ଶୀତଋତୁରେ କରୋନା ଭୟ : ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କେରଳର ଓନାମ ଉତ୍ସବର ଉଦାହରଣ ଦେଲେ
ଶୂନ୍ୟ ସହନଶୀଳତା ନୀତି ପାଳନ ନିର୍ଦେଶ
ଜିଲ୍ଲାପାଳ ଓ ଏସ୍‌ପି ପରିଚାଳନା କରିବେ
ଅର୍ଥନୈତିକ କାର୍ଯ୍ୟରେ ବାଧାଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : କେରଳ କୋଭିଡ୍‌ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଓନାମ ଉତ୍ସବ ପରେ ସବୁକିଛି ବଦଳି ଯାଇଛି। ସଂକ୍ରମଣ ବହୁ ପରିମାଣରେ ବଢ଼ିଯାଇଛି। କେବଳ କେରଳ କାହିଁକି, ୟୁରୋପର ଦେଶଗୁଡିକରେ ମଧ୍ୟ ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟ ଦେଖାଦେଲାଣି। ଏଣୁ ସାମାନ୍ୟ ଢିଲାପଣ ଆସିଲେ, ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ସେଥିପାଇଁ ପ୍ରଶାସନ ଏ କ୍ଷେତ୍ରରେ ସଂପୂର୍ଣ୍ଣ ସତର୍କ ରହି ଲୋକଙ୍କୁ ସଚେତନ କରିବା ସହିତ ସବୁ ନିୟମର ଦୃଢ଼ ଅନୁପାଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନସିଂ ଜରିଆରେ କୋଭିଡ୍‌ ପରିଚାଳନାର ସମୀକ୍ଷା କରି ବରିଷ୍ଠ ଅଧିକାରୀଙ୍କୁ ଜଣାଇ ଦେଇଛନ୍ତି ଯେ ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ସମସ୍ତ କୋଭି୍‌ଡ ନିୟମାବଳିକୁ କଡ଼ାକଡ଼ି ଭାବରେ ପାଳନ କରାଯିବ। ଜିଲ୍ଲାପାଳ ଓ ଏସ୍‌ପି ଦୃଢ଼ ଭାବରେ ଏହି ସ୍ଥିତିର ପରିଚାଳନା କରିବେ। ଶୂନ୍ୟ ସହନଶୀଳତା ନୀତି ବ୍ୟବହାର କରାଯିବା ଦରକାର।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କୋଭିଡ୍ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ରହିଛି। ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି। ଆଗକୁ ପୂଜା ଋତୁ ଆସୁଥିବାରୁ ଏବଂ ତା’ପରେ ପରେ ଶୀତ ଋତୁର ପ୍ରଭାବ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳିକୁ ଦୃଢ଼ ଭାବରେ କାର୍ଯ୍ୟକାରୀ କରିବାକୁ ହେବ।

ଆଜି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଅର୍ଥନୈତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ଗୁରୁତ୍ବ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶା ବର୍ତ୍ତମାନ ପୁଞ୍ଜି ବିନିଯୋଗର ଏକ ଆକର୍ଷଣୀୟ କ୍ଷେତ୍ର ହୋଇପାରିଛି। ତେଣୁ ବୃହତ ଶିଳ୍ପ ହେଉ, ଏମ୍‌ଏସ୍‌ଏମ୍‌ଇ ସମସ୍ତ ଶିଳ୍ପ ପ୍ରକଳ୍ପ ଗୁଡ଼ିକୁ ସବୁସ୍ତରରେ ସହଯୋଗ ଯୋଗାଇ ଦିଆଯିବା ଦରକାର। ଠିକ୍‌ ସମୟରେ ପ୍ରକଳ୍ପ ଯେପରି କାର୍ଯ୍ୟକାରୀ ହେବ ଏବଂ ପୁଞ୍ଜି ବିନିଯୋଗର ଲାଭ ଯେପରି ଲୋକମାନେ ପାଇପାରିବେ, ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଉଚିତ। ନରେଗା, ମିସନ ଶକ୍ତି ଓ ଜୀବିକା ମିସନ ଆଦି ଜୀବିକା କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଉପଯୁକ୍ତ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ। ଯେକୌଣସି ଅର୍ଥନୈତିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରାଗଲେ ଦୃଢ଼ ପଦକ୍ଷେପ ନିଆଯିବ।

ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହ୍ରାସ ଘଟୁଛି। ତେଣୁ ବର୍ତ୍ତମାନ ଡାକ୍ତରଖାନା ଉପରେ ଚାପ ମଧ୍ୟ ହ୍ରାସ ପାଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ ରାଜ୍ୟରେ ଆରୋଗ୍ୟ ହାର ୯୧ ପ୍ରତିଶତରେ ପହଞ୍ଚିଛି ଏବଂ ଓଡ଼ିଶା ଏ କ୍ଷେତ୍ରରେ ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ରହିଛି। ରାଜ୍ୟରେ ବର୍ତ୍ତମାନ ୨୫୪୨୮ ଆକ୍ଟିଭ୍‌ କେସ୍‌ ଥିବାବେଳେ, ୧୯୧୩୧ ଜଣ ଗୃହ ସଂଗରୋଧରେ ରହିଛନ୍ତି। କୋଭିଡ୍‌ ଡାକ୍ତରଖାନା ଶଯ୍ୟା, ଆଇସିୟୁ ଓ ଭେଣ୍ଚିଲେଟର ଆଦି ସବୁ କ୍ଷେତ୍ରରେ ରାଜ୍ୟ ବର୍ତ୍ତମାନ ସନ୍ତୋଷଜନକ ସ୍ଥିତିରେ ରହିଛି। ବର୍ତ୍ତମାନ ୨୦ ରୁ ୪୦% ଆଇସିୟୁ ଖାଲି ରହୁଛି ଓ ରାଜ୍ୟରେ ଅକ୍‌ସିଜେନ୍‌ର ଅଭାବ ନାହିଁ।

କୋଭିଡ୍‌ ଗାଇଡଲାଇନ୍‌ସ ଅନୁପାଳନ ପାଇଁ ପୋଲିସ ନେଇଥିବା ପଦକ୍ଷେପ ସଂପର୍କରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଥିଲେ। ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ବର୍ତ୍ତମାନ ସୁଦ୍ଧା ୪୦୦ ୟୁନିଟ୍‌ ପ୍ଲାଜ୍‌ମା ଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର