କରୋନା ଭୟ: ୧୨ ଘଣ୍ଟା ପଡ଼ିରହିଲା ଶବ; ବୁଦାରେ ପଡ଼ି ରହିଲା ଶବ

ସଂକ୍ରମିତ ପୁଅ ଦେଲା ମୁଖାଗ୍ନି, ଆସିଲେନି ସାହି, ପଡୋଶୀ, ସଂପର୍କୀୟ

ରାୟଗଡ଼ା: କରୋନା ଭୟରେ ଶବକୁ ମିଳିଲାନି ସମ୍ମାନ। ଦୀର୍ଘ ୧୨ ଘଣ୍ଟା ଘର ଭିତରେ ପଡ଼ିରହିଲା ଶବ। ସାହି, ପଡ଼ୋଶୀ ଓ ସଂପର୍କୀୟ କେହି ହେଲେ ଶେଷକୃତ୍ୟ ପାଇଁ ବାହାରିଲେନି। ଗୁହାରି ସତ୍ତ୍ବେ ପ୍ରଶାସନ ମଧ୍ୟ ସହଯୋଗ କଲାନି। ଶେଷରେ ଖଲାସିଙ୍କ ସହାୟତାରେ ଶବକୁ ଘରୁ ବାହାର କରି ସ୍ବର୍ଗଦ୍ବାରରେ ବାପାଙ୍କ ଶେଷକୃତ୍ୟ ସଂପନ୍ନ କଲା କରୋନା ସଂକ୍ରମିତ ପୁଅ। କରୋନା ମହାମାରୀ ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରରେ। ସହରର ବ୍ୟାଙ୍କ କଲୋନି ଦ୍ବିତୀୟ ଲାଇନରେ ସପରିବାର ସହ ରହିଆସୁଛନ୍ତି ଆର୍. ନାଗେଶ (୩୫)। ସ୍ତ୍ରୀ, ତିନି ଝିଅ ଓ ବାପା, ମାଆଙ୍କ ସହ ନାଗେଶ ଗୋଟିଏ ଘରେ ରହୁଥିବା ବେଳେ ଗତ ଦୁଇ ସପ୍ତାହ ତଳେ ନାଗେଶ, ତାଙ୍କ ସ୍ତ୍ରୀ ଓ ତିନି ଝିଅ କରୋନାରେ ଆକ୍ରାନ୍ତ ହୋଇଥିଲେ। ସମସ୍ତେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ବେଳେ ବାପା ଆର୍. ନୀଳକଣ୍ଠ (୭୬) ଓ ମାଆଙ୍କ କରୋନା ସ୍ବାବ୍‌ ଟେଷ୍ଟିଂ ହୋଇପାରିନଥିଲା। ସୋମବାର ରାତିରେ ପରିବାରର ସମସ୍ତ ସଦସ୍ୟ ରାତ୍ରିଭୋଜନ ପରେ ଶୋଇଥିବା ବେଳେ ରାତି ୧୧ଟାରେ ନାଗେଶଙ୍କ ବାପା ନୀଳକଣ୍ଠ ଅସୁସ୍ଥ ହୋଇ ପଡ଼ିଥିଲେ।

ଚିକିତ୍ସା ପାଇଁ ମେଡ଼ିକାଲ୍ ଯିବା ପୂର୍ବରୁ ରାତି ୧୨ଟାରେ ନୀଳକଣ୍ଠ ଘରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ବାପାଙ୍କ ମୃତ୍ୟୁ ସଂପର୍କରେ ନାଗେଶ ସାହିପଡୋଶୀ ଓ ସଂପର୍କୀୟଙ୍କୁ ଖବର ଦେଇଥିଲେ। କିନ୍ତୁ କରୋନା ଭୟରେ କେହି ପାଖ ମାଡ଼ିନଥିଲେ। ସକାଳେ ଗଣମାଧ୍ୟମ ପ୍ରତିନିଧି ଏ ସଂପର୍କରେ ଜିଲ୍ଲାପାଳ ଓ ପୌର ପରିଷଦ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ମୃତ୍ୟୁ ହୋଇଥିବା ନୀଳକଣ୍ଠଙ୍କ କରୋନା ପଜିଟିଭ୍ ରିପୋର୍ଟ ନଥିବାରୁ ପୌର ପରିଷଦ ମୃତ୍ୟୁ ଦେହ ଘରୁ ଉଠାଇବାକୁ ମନା କରି ଦେଇଥିଲା। ଏପଟେ ପୂରା ପରିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଅନ୍ୟ ଲୋକମାନେ ମଧ୍ୟ ଶବକୁ ଘରୁ ନେଇ ସଂସ୍କାର କରିବା ପାଇଁ ସାହସ ଜୁଟାଇ ପାରିନଥିଲେ।

ପ୍ରଶାସନକୁ ବାରମ୍ବାର ଗୁହାରି ପରେ କିଛି ସୁଫଳ ନ ମିଳିବାରୁ ଦିନ ୧୧ଟାରେ ସଂକ୍ରମିତ ପୁଅ ନାଗେଶ କିଛି ଖଲାସିଙ୍କ ସହାୟତାରେ ବାପାଙ୍କ ଶବକୁ ଘରୁ ବାହାର କରି ନିଜ ଓମନି କାର୍‌ରେ ଶ୍ମଶାନକୁ ନେଇଥିଲେ। ସ୍ବର୍ଗଦ୍ବାରରେ ଶବ ପହଞ୍ଚିବା ପରେ ଖଲାସିଙ୍କ ସହଯୋଗରେ ମୁଖାଗ୍ନି ଦେବା ସହ ଶବ ଦାହ କରିଥିଲେ ପୁଅ ନାଗେଶ।

ବରଗଡ଼/ଭଟଲି: କରୋନା ମହାମାରୀ ବେଳେ ନାନାଦି ହୃଦୟ ବିଦାରକ ଦୃଶ୍ୟ ନଜରକୁ ଆସିଛି। କରୋନା ଭୟରେ ଲୋକେ ଶବ ଛୁଇଁବାକୁ ଭୟ କରୁଥିବାରୁ ରାସ୍ତା କଡ଼ ବୁଦାରେ ଘଣ୍ଟା ଘଣ୍ଟା ଶବ ପଡ଼ି ପିମ୍ପୁଡ଼ି ଖାଇବା ଭଳି ଘଟଣା ସାମନାକୁ ଆସିଛି। ଜିଲ୍ଲାର ଭଟଲି ବ୍ଲକ୍‌ ସୁକୁଡ଼ା ଗାଁ ଚନ୍ଦନକଟାର ଅନତି ଦୂରରେ ବୁଦା ଭିତରେ ଜଣେ ଅପରିଚିତ ଯୁବକଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। କରୋନା ଭୟରେ ଲୋକେ ପାଖ ମାଡ଼ିନଥିଲେ। ବୁଦାରେ ପଡ଼ିଥିବା ଯୁବକ ବଂଚିଛି ନା ମରିଛି, ତାହା ଜାଣିବାକୁ ବି କାହାରି ଇଚ୍ଛା ନଥିଲା। ସୁକୁଡ଼ା ସରପଞ୍ଚ ସହଦେବ ବନଛୋର ଏନେଇ ଭଟଲି ପୁଲିସ୍‌କୁ ସୂଚନା ଦେଇଥିଲେ। ପରେ ଭଟଲି ପୁଲିସଠାରୁ ଖବର ପାଇ ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟ ନିଧାନ ଦନ୍ତା ଓ ଜି ରମେଶ ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ନଟବର ବନଛୋର ଆଥ୍‌ଲେଟିକ ଆସୋସିଏସନ୍‌ର ସଦସ୍ୟ ରିଣ୍ଟୁ ପଶାୟତ, ନରେଶ ସରାଫ, କରୁଣାକର ପ୍ରଧାନଙ୍କ ସହଯୋଗରେ ଶବଟିକୁ ଉଦ୍ଧାର କରିଥିଲେ। ଶବକୁ ଶବାଗାରରେ ସଂରକ୍ଷିତ ରଖାଯାଇଛି। ମୃତକଙ୍କ ପରିଚୟ ମିଳିଲେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର