କରୋନା କଟକଣା : ସମ୍ବଲପୁରରେ ବସ୍‌ ଯାତ୍ରୀ ୫୦%ରୁ କମିଲେ

ନିୟମିତ ବସ୍‌ ସଫା ପାଇଁ ନିର୍ଦେଶ

ସମ୍ବଲପୁର : କରୋନା ଭୟ ଯୋଗୁଁ ମାତ୍ର ୩ ଦିନରେ ସମ୍ବଲପୁରରେ ସରକାରୀ ବସରେ ଯାତ୍ରୀ ସଂଖ୍ୟା ୫୦ ପ୍ରତିଶତରୁ ବି କମି ଯାଇଛି। ଏଭଳି ସ୍ଥିତି ଜାରି ରହିଲେ ବସ୍‌ ଚଳାଇ ରଖିବା ପାଇଁ ଖର୍ଚ୍ଚ ବାହାର କରିବା ଅସମ୍ଭବ ହେବ ‌ବୋଲି ଡିଟିଏମ୍‌ ରାଜେନ୍ଦ୍ର ପୂଜାରୀ କହିଛନ୍ତି। ଘରୋଇ ବସ୍‌ରେ ମଧ୍ୟ ଯାତ୍ରୀ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି।
ସମ୍ବଲପୁରରୁ ୧୩ ରୁଟ୍‌ରେ ୨୫ ସରକାରୀ ବସ୍‌ ଚଳାଚଳ କରୁଛି। ଭୁବନେଶ୍ବର, ମାଲକାନଗିରି, ରାୟପୁର ଭଳି ଦୂର ଯାତ୍ରା ପାଇଁ ୩୦ ଏବଂ ସହର ଆଖପାଖକୁ ଯାତ୍ରା ପାଇଁ ୨୪୦ଟି ଘରୋଇ ବସ୍‌ ଚଳାଚଳ କରିଥାଏ। ଡିଟିଡିସି ସୂଚନା ଅନୁସାରେ, ୩ ଦିନ ମଧ୍ୟରେ ଯାତ୍ରୀ ସଂଖ୍ୟା କମିଛି। ପୂର୍ବରୁ ଯେଉଁ ଏସି ବସ୍‌ରେ ହାରାହାରି ୪୦ ଯାତ୍ରୀ ଯାଉଥିଲେ, ବର୍ତ୍ତମାନ ଏହା ୨୦ରୁ କମି ଯାଇଛି। ସେହିପରି ହାଇଟେକ୍‌ ବସ୍‌ରେ ୪୦ ବଦଳରେ ୧୫ରୁ୨୦, ୨/୩ ପୁସ୍‌ବେକ୍‌ରେ ଯାତ୍ରୀ ସଂଖ୍ୟା ୫୩ରୁ ୨୪କୁ ହ୍ରାସ ପାଇଛି। ସମ୍ବଲପୁରରୁ ବ୍ରହ୍ମପୁର, ସୁନାବେଡ଼ା, ଦାରିଙ୍ଗବାଡ଼ି, ଟିକରପଡ଼ା ସବୁ ରୁଟ୍‌ର ବସ୍‌ର ସ୍ଥିତି ସମାନ ରହିଛି। ଓଟିଡିସିର ମାସିକ ଆୟ ହାରାହାରି ୫୦ ଲକ୍ଷ ଟଙ୍କା। ସେଥିରୁ ବସ୍‌ ପରିଚାଳନା ପାଇଁ ହାରାହାରି ଖର୍ଚ ୩୦ ଲକ୍ଷ ହେଉଥିବାବେଳେ ୨୦ ଲକ୍ଷ ଟଙ୍କା ଲାଭ ହୁଏ। ଆଗାମୀ ଦିନରେ ସ୍ଥିତି କଣ ହେବ କହିହେବ ନାହିଁ। ତେବେ ସରକାରୀ ଆଦେଶ ନମିଳିବା ପର୍ଯ୍ୟନ୍ତ କୌଣସି ସରକାରୀ ବସ୍‌ ବାତିଲ କରାଯିବ ନାହିଁ ବୋଲି ଡିଟିଏମ କହିଛନ୍ତି।

ଘରୋଇ ବସ୍‌ର ସ୍ଥିତି ମଧ୍ୟ ସେହିଭଳି। ମଙ୍ଗଳବାର ସମ୍ବଲପୁରରୁ ବ୍ରହ୍ମପୁର ଯାଉଥିବା ଗାଡ଼ିରେ ମାତ୍ର ୬ ଜଣ ଯାତ୍ରୀ ଥିଲେ। ଘରୋଇ ବସ୍‌ ମାଲିକ ସଂଘ ଅନୁସାରେ, ଭୁବନେଶ୍ବର ଯାତ୍ରା ପାଇଁ ହାରାହାରି ୧୭ ହଜାର, ରାୟପୁରରୁ ୧୫ରୁ ୧୭ ହଜାର ଏବଂ ମାଲକାନଗିରି ପାଇଁ ପ୍ରାୟ ୨୦ ହଜାର ଖର୍ଚ ହୋଇଥାଏ। ବର୍ତ୍ତମାନ ଯେଉଁଭଳି ଆୟ ହ୍ରାସ ପାଉଛି, ୧୫ ଦିନ ପର୍ଯ୍ୟନ୍ତ ସ୍ଥିତି ସମ୍ଭାଳି ହୋଇଯିବ। ଏହାପରେ ସମସ୍ୟା ସୃଷ୍ଟି ହେବ। ପୂର୍ବରୁ ଛିଡ଼ା ହୋଇ ମଧ୍ୟ ଅନେକ ଯାତ୍ରୀ ଯାଉଥିଲେ। ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁସାରେ ଏହାକୁ ବନ୍ଦ କରାଯାଇଛି। ଅତି ଜରୁରି ନହେଲେ ଘରୁ ନବାହାରିବା ପାଇଁ ପ୍ରଶାସନର ପରାମର୍ଶ ପରେ ଲୋକେ ପ୍ରାୟତଃ ଘରୁ ଯାଉ ନଥିବାରୁ ଏଭଳି ସ୍ଥିତି ରହିଛି।

ନିୟମିତ ବସ୍‌ ସଫା ପାଇଁ ନିର୍ଦେଶ
କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିୟମିତ ବସ୍‌ ସଫା ସହିତ ସିଟ୍‌, ହେଣ୍ଡଲ, ରେଲିଂକୁ ସଫା କରିବା ପାଇଁ ନିର୍ଦେଶ ହୋଇଛି। କ୍ଷମତା ଅନୁସାରେ ଯାତ୍ରୀ ନେବେ, ଅଯଥା ଗହଳି ନକରିବା ପାଇଁ କୁହାଯାଇଛି। ଏଥି ସଂକ୍ରାନ୍ତରେ ବୈଠକ ହେବା ସହିତ କରୋନା ପ୍ରତିଷେଧକ ନେଇ ସଚେତନ କରାଯାଇଥିବା ଆର୍‌ଟିଓ କହିଛନ୍ତି। ପ୍ରଶାସନର ସମସ୍ତ ନିର୍ଦେଶ ପାଳନ ହେଉଥିବା ଡିଟିଏମ୍‌ ଏବଂ ଘରୋଇ ବସ୍‌ ମାଲିକ ସଂଘ କହିଛି। ଅନ୍ୟପକ୍ଷରେ ବର୍ତ୍ତମାନ ବଜାରରେ ମାସ୍କ ମିଳୁନଥିବାରୁ କର୍ମଚାରୀମାନଙ୍କୁ ଏହା ଦିଆଯାଇ ପାରୁନଥିବା ବସ୍‌ ମାଲିକ ସୁବ୍ରତ ପାଣିଗ୍ରାହୀ କହିଛନ୍ତି। ଏଥିପ୍ରତି ପ୍ରଶାସନକୁ ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର