ଫେରିଲା କରୋନା ଡର, ଅମାନିଆଙ୍କୁ ଦଣ୍ଡବିଧାନ ନିର୍ଦ୍ଦେଶ

ସତର୍କ ରହିବାକୁ ନିର୍ଦେଶନାମା ଜାରି
ସାମାଜିକ ଦୂରତାକୁ କଡ଼ାକଡ଼ି କର
ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଲେ
ମହାରାଷ୍ଟ୍ର ଫେରନ୍ତା କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ଘଟଣା ସାମ୍‌ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ। ଏବେ ଆଉଥରେ ସାନି ସଂକ୍ରମଣ ବ୍ୟାପିଲେ ସ୍ଥିତିକୁ ବିଗାଡ଼ି ଦେଇପାରେ। ଏଥିପାଇଁ ଗତ ଦୁଇଦିନ ତଳେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧ କରି ଆଜି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସଂକ୍ରମଣ ପ୍ରତିହତ ପାଇଁ ଆବଶ୍ୟକ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିରେ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ନିଷ୍ପତ୍ତି ନେବା ପାଇଁ ପୁଣିଥରେ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି। ଅର୍ଥାତ୍ ଆବଶ୍ୟକ ଅନୁସାରେ, ସେମାନେ ଯେଉଁଠି ଯେତେବେଳେ ଚାହିଁବେ ପୂର୍ବଭଳି କୋଭିଡ୍ କଟକଣା ଲଗାଇପାରିବେ। ଅନ୍ୟପକ୍ଷରେ ମହାରାଷ୍ଟରୁ ଫେରିଥିବା ଭଦ୍ରକର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ନିର୍ଦ୍ଦେଶାବଳୀ ଅନୁଯାୟୀ, କୋଭିଡ ନିୟମ ଅନୁପାଳନ ହେଉଛି କି ନାହିଁ ସେ ନେଇ ଏବେ ଜିଲ୍ଲା ପ୍ରଶାସନ ଓ ପୁଲିସ ଯାଞ୍ଚ କରିବାକୁ ହେବ। ମୁହଁରେ ମାସ୍କ, ଅଫିସ, ଶିକ୍ଷାନୁଷ୍ଠାନ ଓ ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ନିୟମ ଯେପରି କଡ଼ାକଡ଼ି ଅନୁପାଳନ ହେବ, ସେ ନେଇ ମଧ୍ୟ ସେମାନେ ତନାଘନା କରିବେ। ସମସ୍ତ ବଜାର, ମାର୍କେଟ ଓ ହାଟ ସ୍ଥଳରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବ୍ୟାପକ ପ୍ରଚାର କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦେଶ ଦିଆଯାଇଛି। ଘରୋଇ କ୍ଷେତ୍ର ନିଯୁକ୍ତିଦାତା ଓ ସରକାରୀ ଅଫିସ ମୁଖ୍ୟ ନିଜ ନିଜ ଅଫିସରେ କୋଭିଡ-୧୯ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି କି ନାହିଁ, ତାହାକୁ ବି ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବେ। କେବଳ ସେତିକି ନୁହେଁ, ବାହାଘର, ସାମାଜିକ ଓ ସାଂସ୍କୃତିକ ଉତ୍ସବ, କ୍ରୀଡ଼ା, ଆମୋଦପ୍ରମୋଦ, ଶିକ୍ଷାନୁଷ୍ଠାନରେ ଅନୁମତିଠାରୁ ଯେପରି ଅଧିକ ସଂଖ୍ୟାରେ ଲୋକମାନେ ଏକାଠି ନ ହେବେ, ସେଥିପ୍ରତି ସେମାନେ ଧ୍ୟାନ ଦେବେ।

ଜିଲ୍ଲା ପ୍ରଶାସନ ଦେଖିବେ ଯେ ବିଦ୍ୟାଳୟ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ରକୁ ନିୟମିତ ପରିଷ୍କାର କରାଯାଉଛି ନା ନାହିଁ। ଏସବୁ ଅନୁଷ୍ଠାନରେ ନିୟମିତ ବିଶୋଧନ କାର୍ଯ୍ୟ ଚାଲୁ ରହିବ। ଶିକ୍ଷକ, ଛାତ୍ରଛାତ୍ରୀ, କର୍ମଚାରୀ ଓ ଅନ୍ୟ ଅଧିକାରୀ ମୁହଁରେ ମାସ୍କ୍‌ ପରିଧାନ କରିବା ସହିତ ସାମାଜିକ ଦୂରତା, ଥର୍ମାଲ ସ୍କାନିଂ, ନିୟମିତ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବେ। ଯଦି କୌଣସି ବ୍ୟକ୍ତିଙ୍କ ଠାରେ କୋଭିଡ୍‌ ଲକ୍ଷଣ ପ୍ରକାଶ ପାଏ ତାହେଲେ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସୂଚିତ କରାଯାଇ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଶିକ୍ଷାନୁଷ୍ଠାନରେ ପାଠପଢ଼ା ଛଡ଼ା ଅନ୍ୟ କୌଣସି କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦିଆଯିବନାହିଁ।

ହୋଟେଲ, ଢାବା, ରେସ୍ତୋରାଁ ଓ ଖାଦ୍ୟ ବିକ୍ରି ହେଉଥିବା ସ୍ଥାନରେ ଯେପରି ସାମାଜିକ ଦୂରତା ନିୟମ ଅନୁପାଳନ ହେଉଛି କି ନାହିଁ ସେ ନେଇ ପୁଲିସ ନିୟମିତ ଯାଞ୍ଚ କରିବେ। ଏହାସହିତ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ତଦାରଖ କରିବେ। ନିୟମର ଉଲ୍ଲଂଘନ ହେଉଥିବା ନଜରକୁ ଆସିଲେ କୋଭିଡ-୧୯ ମହାମାରୀ ପାଇଁ ସରକାର ଜାରି କରିଥିବା ଦଣ୍ଡ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଏସ୍ଆର୍‌ସି ଶ୍ରୀ ଜେନା କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କ’ଣ ସବୁ ପଦକ୍ଷେପ ନିଆଯାଇଛି, ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସୁଦ୍ଧା ସରକାରଙ୍କୁ ଜଣାଇବାକୁ ଜିଲ୍ଲାପାଳମାନଙ୍କୁ ମଧ୍ୟ କୁହାଯାଇଛି। ସେହିଭଳି ପ୍ରତି ସପ୍ତାହରେ ନିଜ ନିଜ ଜିଲ୍ଲାର କୋଭିଡ୍ ରିପୋର୍ଟ ଏସ୍‌ଆର୍‌ସିଙ୍କୁ ଦେବା ଲାଗି ମଧ୍ୟ ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର