ଗାଁ-ଗାଁରେ ତାଲା ବନ୍ଦ, କରୋନାରୁ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ସମ୍ବଲପୁର: ସହରାଞ୍ଚଳ ତୁଳନାରେ ସେମାନେ ଯେ କମ୍ ସଚେତନ ବା ସତର୍କ ନୁହନ୍ତି ଏହା ଦେଖାଇଛନ୍ତି ଅନେକ ଗ୍ରାମାଞ୍ଚଳ ବାସିନ୍ଦା। ବର୍ତ୍ତମାନ ଚାରିଆଡ଼େ କରୋନାକୁ ନେଇ କଟକଣା ଲାଗୁ ହୋଇଥିଲାବେଳେ ଅନେକ ଗ୍ରାମବାସୀ ସଂପୂର୍ଣ୍ଣ ଗ୍ରାମକୁ ହିଁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରି ଦେଇଛନ୍ତି। ଅନେକେ ନିଜ ଗାଁ ବାହାରକୁ ଯାଉ ନାହାନ୍ତି ଓ ବାହାର ଲୋକଙ୍କ ଗାଁକୁ ପ୍ରବେଶ ନିଷେଧ କରି ଦେଇଛନ୍ତି। ବହୁ ଗାଁର ପ୍ରବେଶ ପଥରେ ଚେକ୍‌ ପୋଷ୍ଟ ତିଆରି କରାଯାଇଛି। ଆଉ କିଛି ଗ୍ରାମବାସୀ ପ୍ରବେଶ ପଥକୁ ସାମୟିକଭାବେ ବନ୍ଦ କରି ଦେଇଛନ୍ତି ଯେପରି କେହି ଗାଁରୁ ବାହାରି ପାରିବେ ନାହିଁ ବା ପଶି ପାରିବେ ନାହିଁ। ଗାଁର ଯେଉଁମାନେ ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି ସେମାନଙ୍କୁ ଫେରିଲାବେଳେ ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଉଛି। ସେମାନଙ୍କ ହାତଧୁଆଇ ଅନ୍ୟ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଛି। ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସହର ଉପକଣ୍ଠ ଠେମରା ଗାଁର ପ୍ରବେଶ ପଥରେ ଗ୍ରାମବାସୀ ଚେକ୍‌ପୋଷ୍ଟ ଲଗାଇଛନ୍ତି। ବାଉଁଶ ଓ ପର୍ଦ୍ଦା ସାହାଯ୍ୟରେ ଗାଁର ଉଭୟ ପାର୍ଶ୍ବର ପ୍ରବେଶ ପଥକୁ ବନ୍ଦ କରିଛନ୍ତି। ସେଠାରେ ବ୍ୟାନର୍‌ ଲଗାଇ ଲେଖିଛନ୍ତି ଯେ ‘କରୋନା ପାଇଁ ଠେମରା ଗ୍ରାମକୁ ବାହାର ଲୋକଙ୍କ ପ୍ରବେଶ ମନା’। ସେହିପରି ନିକଟସ୍ଥ ଆଉ ଏକ ଗାଁ ଦଣ୍ଡେଇପାଲିରେ ମଧ୍ୟ ଗ୍ରାମବାସୀ କାଠଗଣ୍ଡି ପକାଇ ଗାଁର ପ୍ରବେଶପଥକୁ କିଛି ଦିନ ହେଲା ଅବରୋଧ କରି ରଖିଛନ୍ତି। ବାହାର ଲୋକଙ୍କୁ ଗାଁକୁ ଛାଡ଼ୁ ନାହାନ୍ତି। ବହିଦାର ନୂଆପାଲି ଗାଁର ନବସେବାସଂଘ ପକ୍ଷରୁ ଗାଁକୁ ଯାଇଥିବା ପକ୍କା ରାସ୍ତାକୁ ବାଉଁଶ ବାଡ଼ ଦେଇ ଓ ବ୍ୟାନର୍‌ ଟାଣି ବନ୍ଦ କରାଯାଇଛି। ‘କରୋନା ପାଇଁ ଗ୍ରାମ ତାଲାବନ୍ଦ, ବାହାର ଲୋକଙ୍କ ଆସିବା ମନା’ ବୋଲି ବ୍ୟାନର୍‌ରେ ଉଲ୍ଲେଖ କରିଛନ୍ତି। ତାଲବ୍‌ ଗାଁରେ ମଧ୍ୟ ଲୋକେ ଅଭିନବ ଉପାୟରେ ଗାଁ ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରି ରଖିଛନ୍ତି। ସେମାନେ ରାସ୍ତା ଉପରେ ସିମେଣ୍ଟ ପାଇପ୍‌, ବାଉଁଶ, କଣ୍ଟା ଆଦିର ବାଡ଼ ଦେଇ ପ୍ରବେଶ, ପ୍ରସ୍ଥାନ ବନ୍ଦ କରିଛନ୍ତି। ‘ଦୟା କରି ବାହାର ଲୋକ ଗାଁ’କୁ ପ୍ରବେଶ କରନ୍ତୁ ନାହିଁ ବୋଲି ଅନୁରୋଧ କରି ‌ବ୍ୟାନର୍‌ ଲଗାଇଛନ୍ତି।

କେବଳ ଗ୍ରାମାଞ୍ଚଳ ନୁହେଁ, ସହରରେ ମଧ୍ୟ କିଛି ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସମ୍ବଲପୁର ସହରର ବୁଢ଼ାରଜା ମନ୍ଦିରକୁ ପ୍ରବେଶ ପାଇଁ ଥିବା ତୋରଣ ଭିତରକୁ ରହିଛି ରାମଗଡ଼ପଡ଼ା। ରାମଗଡ଼ପଡ଼ାବାସୀ ମଧ୍ୟ ବାହାର ଲୋକଙ୍କ ପ୍ରବେଶ ବନ୍ଦ କରି ଦେଇଛନ୍ତି। ସେମାନେ ମନ୍ଦିର ତୋରଣରେ ବାଉଁଶ ଓ ପରଦା ବାନ୍ଧି ବନ୍ଦ କରିଛନ୍ତି। ଅନ୍ୟ ସମୟରେ କେହି ରାସ୍ତା ବନ୍ଦ କରୁଥିଲେ ସାଧାରଣ ଲୋକ ଓ ପ୍ରଶାସନ ବିରକ୍ତି ପ୍ରକାଶ କରୁଥିଲାବେଳେ ଏବେ କିନ୍ତୁ ଗ୍ରାମ ଯୁବକମାନଙ୍କ ଏଭଳି ସତର୍କତାମୂଳକ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି। କେବଳ ସମ୍ବଲପୁର ଜିଲ୍ଲା ନୁହେଁ, ପଶ୍ଚିମ ଓଡ଼ିଶାର ଅନେକ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର