ବିଧାନସଭାକୁ କରୋନା ଭୟ : ମାଳମାଳ ପଜିଟିଭ୍

ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ ସଂକ୍ରମିତ, ୭୫୮ ନମୁନାରୁ ୧୩୬ ପଜିଟିଭ୍

ଭୁବନେଶ୍ୱର : ରାତି ପାହିଲେ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ। ମାତ୍ର ଏହା ପୂର୍ବରୁ ସମସ୍ତଙ୍କୁ ଘାରିଲାଣି କରୋନା ଭୟ। ଗତକାଲି ହୋଇଥିବା କରୋନା ପରୀକ୍ଷାର ଆଜି ଯେଉଁ ରିପୋର୍ଟ ଆସିଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ବିଧାୟକ, ବିଧାନସଭା ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକଙ୍କୁ ମିଶାଇ ମୋଟ ୭୫୮ କୋଭିଡ୍‌ ନମୁନାରୁ ୧୩୬ ଜଣ ପଜିଟିଭ୍‌ ବାହାରିଛନ୍ତି ରହିଥିଲେ। ଏଥିରେ ପ୍ରାୟ ୧୦୬ଜଣ ସଚିବାଳୟ ଅଧିକାରୀ, କର୍ମଚାରୀଙ୍କ ବାଦ୍ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ, ବିଧାନସଭା କ୍ୟାଣ୍ଟିନ୍‌ର କର୍ମଚାରୀ, ସାମ୍ବାଦିକ, ୨ଜଣ ଜେଇ ରହିଛନ୍ତି। ଏପରିକି ବିଧାନସଭାର ଗୁରୁତ୍ବପୂର୍ଣ୍ଣ ପଦବିରେ ରହିଥିବା ୮/୯ ଜଣ ଅଧିକାରୀ ମଧ୍ୟ ସଂକ୍ରମିତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏମିତି ମାଳମାଳ ପଜିଟିଭ୍‌ ବାହାରିବା ପରେ ଏଭଳି ପରିସ୍ଥିତିରେ ଆଗାମୀ ବିଧାନସଭା ପରିଚାଳନାକୁ ନେଇ ଏକପ୍ରକାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ୍ କୋଭିଡ୍‌ ପରୀକ୍ଷା କରିଥିଲେ। ଏଥିରେ ପ୍ରମିଳା ମଲ୍ଲିକ୍ ଓ ଦେବୀ ପ୍ରସାଦ ମିଶ୍ର ପଜିଟିଭ୍ ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ଆଜି ୭୦ଜଣ ବିଧାୟକ ଓ ତାଙ୍କ ପିଏସ୍‌ଓଙ୍କୁ ମିଶାଇ ୨ଶହରୁ ଅଧିକ ଆରଟି-ପିସିଆର ନମୁନା ସଂଗ୍ରହ କରାଯାଇଛି। ସେମାନଙ୍କ ନମୁନା ରିପୋର୍ଟକୁ ଅପେକ୍ଷା କରାଯାଇଛି।

ତେବେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପୁନର୍ବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶ୍ରୀ ମିଶ୍ର ପୂର୍ବରୁ କରୋନା ସଂକ୍ରମିତ ଥିବା ସମୟରେ ଏଥିପାଇଁ ଆବଶ୍ୟକ ଔଷଧ ସେବନ କରି ସୁସ୍ଥ ହୋଇଥିଲେ। ମାତ୍ର ପୁନର୍ବାର ପଜିଟିଭ୍ ଚିହ୍ନଟ ହେବା ପରେ ସେ ନିଜର ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମକୁ ବାତିଲ୍ କରିଦେବା ସହିତ ଭୁବନେଶ୍ବରକୁ ଫେରି ଆସଛନ୍ତି। ତାଙ୍କର ସିଟି ବା ସାଇକେଲ ଥ୍ରେସହୋଲ୍‌ଡ ଭ୍ୟାଲୁ ବର୍ଡର ଲାଇନ୍‌ରେ ରହିଥିବାରୁ ସେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ ନାହିଁ ବୋଲି ଆରଏମ୍‌ଆରସି ପକ୍ଷରୁ କୁହାଯାଇଛି। ଚାପଗ୍ରସ୍ତ ଯୋଗୁଁ ଏଭଳି ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ଆରଏମ୍‌ଆରସିର ନିର୍ଦେଶିକା ଡା.ସଂଘମିତ୍ରା ପତି କହିଛନ୍ତି, ଏହାକୁ ଦ୍ବିତୀୟବାର ସଂକ୍ରମଣ ବୋଲି କୁହାଯାଇ ପାରିବ ନାହିଁ। ଅନେକ ଲୋକମାନଙ୍କ ଆରଏନ୍‌ଏ ଫ୍ରାଗମେଣ୍ଟ ଦୀର୍ଘଦିନ ପର୍ଯ୍ୟନ୍ତ ଶରୀରରେ ରହିଥାଏ। ଯାହାଫଳରେ ସେ ପୁନର୍ବାର ପଜିଟିଭ୍ ଆସିଛନ୍ତି। ‌ହେଲେ ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ ନାହିଁ। ଦ୍ବିତୀୟବାର ସଂକ୍ରମଣକୁ ବିଶ୍ଳେଷଣ କରିବାକୁ ହେଲେ ଏଥିପାଇଁ ଏକ ପ୍ରୋଟୋକଲ ରହିଛି। ତାଙ୍କର ଦୁଇଟି ନମୁନାକୁ ସଂଗ୍ରହ କରି ଏହାର ଜିନୋମ ସି‌କ୍ବେନ୍‌ସିଂ କରିବାକୁ ହେବ। ରିଇନ୍‌ଫେକସନ୍‌କୁ ନେଇ ବିଶେଷଜ୍ଞମାନଙ୍କ ଭିନ୍ନ ମତ ରହିଛି। କିଛି ଲୋକ ଏହାକୁ ବିଳମ୍ବିତ ସଂକ୍ରମଣ ବୋଲି କହୁଛନ୍ତି। ଓଡ଼ିଶାରେ ମଧ୍ୟ ଏକ ବିଶେଷଜ୍ଞ ଗ୍ରୁପ୍ ରହିଛି, ଏଥିପାଇଁ ସେମାନଙ୍କର ମତ ନେବାକୁ ହେବ ବୋଲି ଡା.ପତି କହିଛନ୍ତି।

ସମ୍ବନ୍ଧିତ ଖବର