ଦୁଇ ମହିଳା ଡାକ୍ତରଙ୍କ କାନ୍ଧରେ ଚିକିତ୍ସା ଓ ସ୍ବାବ୍ ପରୀକ୍ଷାର ଗୁରୁଭାର

କଟକ : କରୋନା ଯୁଦ୍ଧରେ ସେମାନେ ହେଉଛନ୍ତି ଆଗ ଧାଡିର ଯୋଦ୍ଧା। ଦୁଇ ଜଣଯାକ ହେଉଛନ୍ତି ମହିଳା ଡାକ୍ତର। ଜଣେ ହେଲେ ବ୍ରହ୍ମପୁର ମେଡିକାଲ କଲେଜ (ଏମ୍‌କେସିଜି)ର ପଲ୍ୟୁମନାରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ ଓ ଅନ୍ୟଜଣେ ହେଲେ ଏସ୍‌ସିବି ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ତଥା କୋଭିଡ-୧୯ ଟେଷ୍ଟିଂର ନୋଡାଲ ଅଫିସର ପ୍ରଫେସର ଡାକ୍ତର ନିରୁପମା ଚୟନୀ। ଜଣେ ନିଜ ୯୦ବର୍ଷର ଶଯ୍ୟାଶାୟୀ ଶାଶୂଙ୍କୁ ଛାଡିଦେଇ କର୍ତ୍ତବ୍ୟରେ ଲାଗିପଡିଛନ୍ତି , ଆଉ ଜଣେ ନିଜ ବାପାଙ୍କ ମୃତ୍ୟୁରେ ବି ଦିନଟିଏ ଛୁଟି ନନେଇ କାମ କରି ସାଜିଛନ୍ତି ଉଦାହରଣ।

ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକଙ୍କ ଘର ହେଉଛି କଟକରେ। କିନ୍ତୁ ଦୀର୍ଘ ୫ବର୍ଷ ହେଲା ସେ ଏମ୍‌କେସିଜି ବ୍ରହ୍ମପୁରରେ ପଲ୍ୟୁମୁନାରି ବିଭାଗର ମୁଖ୍ୟଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି। ବର୍ତ୍ତମାନ କୋଭିଡ୍‌-୧୯ ମୁକାବିଲାରେ ସେ ଧରିଛନ୍ତି ମଙ୍ଗ। ୨ମାସରୁ ଅଧିକ ଦିନ ହେଲା ଘରକୁ ଆସିନାହାନ୍ତି। ଏପଟେ ଘରେ ୯୦ ବର୍ଷର ବୃଦ୍ଧା ଶାଶୂ ଏବେ ଶଯ୍ୟାଶାୟୀ। ଘରେ ମହିଳା ସଦସ୍ୟ ମଧ୍ୟ କେହି ନାହାନ୍ତି। ତାଙ୍କ ସ୍ବାମୀ ହିଁ କେବଳ ଶାଶୂଙ୍କ ଦାୟିତ୍ବ ନେଉଛନ୍ତି। ଘର ପାଇଁ ଚିନ୍ତା ଲାଗୁଛି, ହେଲେ କର୍ତ୍ତବ୍ୟ ଆଗରେ ଘର ପରିବାରକୁ ଭୁଲିଯିବାକୁ ପଡୁଛି ବୋଲି କହିଛନ୍ତି ଡାକ୍ତର ପଟ୍ଟନାୟକ। ଏମ୍‌କେସିଜିରେ ଓପିଡି, ଇନ୍‌ଡୋର ରୋଗୀ ସେବା ସହ କରୋନା ପାଇଁ ଖୋଲାଯାଇଥିବା ସ୍ବତନ୍ତ୍ର ସ୍କ୍ରିନିଂ, ଆଇସୋଲେସନ୍‌ କର୍ଣ୍ଣର ସବୁର ଦାୟିତ୍ବ ତାଙ୍କ ଉପରେ ରହିଛି।

ସେହିଭଳି ଏସ୍‌ସିବି ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ତଥା କୋଭିଡ-୧୯ ଟେଷ୍ଟ ନୋଡାଲ ଅଫିସର ପ୍ରଫେସର ଡାକ୍ତର ନିରୁପମା ଚୟନୀଙ୍କର ସକାଳ ୮ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ଚାଲିଛି ଡ୍ୟୁଟି। ଦିନରେ ଘରକୁ ଖାଇବାକୁ ଯାଇ ପାରୁନାହାନ୍ତି। ଘରୁ ମେଡିକାଲକୁ ଆସୁଛି ଖାଇବା। ମାର୍ଚ୍ଚ ୨ୟ ସପ୍ତାହରୁ ଏସ୍‌ସିବିରେ ଆରମ୍ଭ ହୋଇଥିଲା କରୋନା ପରୀକ୍ଷା। ‌ପ୍ରଥମ ପ୍ରଥମେ ଗୋଟିଏ ଲାବ୍‌ରେ ୨୩ରୁ୨୫ଟି ମଧ୍ୟରେ ପରୀକ୍ଷା ହେଉଥିବାବେଳେ ଏବେ ତିନୋଟି ଲାବ୍‌ରେ ଏସ୍‌ସିବିରେ ଦିନକୁ ୪ଶହରୁ ୫ଶହ ସ୍ବାବ୍‌ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେଉଛି। ଏଥିପାଇଁ ୩୦ଜଣିଆ ଟିମ୍‌ କାମ କରୁଛି। ଡାକ୍ତର ଚୟନୀଙ୍କୁ ଏଥିପାଇଁ ବ୍ୟସ୍ତ ରହିବାକୁ ପଡ଼ୁଛି। ନିକଟରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିବାବେଳେ ସେ ଦିନଟିଏ ବି ଛୁଟି ନେଇ ନଥିଲେ।

ସମ୍ବନ୍ଧିତ ଖବର