ନିମ୍ନମାନର ପିପିଇ କିଟ୍ ଯୋଗୁ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟୁଛି: ସାଲୁଜା

ଭୁବନେଶ୍ବର : ଅତି ନିମ୍ନମାନର ପିପିଇ କିଟ୍‌ ଯୋଗୁ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନଙ୍କର ପ୍ରାଣହାନୀ ଘଟୁଛି। ରାଜ୍ୟରେ କରୋନା ଯୋଦ୍ଧାଙ୍କ ମୃତ୍ୟୁକୁ ନେଇ ଆଜି ଏପରି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। କେତେ ଟଙ୍କାରେ କେଉଁ କମ୍ପାନିଠାରୁ ଏହିସବୁ ସୁରକ୍ଷା ପୋଷାକ କିଣାଯାଇଛି ଓ ଏହାର ମାନ କଣ? ସେ ନେଇ ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ। ନଚେତ୍‌ ଆଗାମୀ ବିଧାନସଭା ଅଧିବେଶନରେ ବିରୋଧୀଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତିି, ଓଡ଼ିଶାକୁ ଆସିଥିବା ପିପିଇ କିଟ୍‌ ତାମିଲନାଡ଼ୁର ପାନଦୋକାନ ଓ ଫେରିବାଲାଙ୍କଠାରୁ କିଣାଯାଇଥିବା ନେଇ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ପ୍ରତିଦିନ କୋଭିଡ୍‌ ସମ୍ପର୍କରେ ବୁଲେଟିନ୍‌ ଜାରି କରୁଛନ୍ତି। ପିପିଇ କିଟ୍‌ ଓ ମାସ୍କ କିଣାକୁ ନେଇ ଯେତେ ସବୁ ଅଭିଯୋଗ ହୋଇ ଆସିଛି ସେ ସମ୍ପର୍କରେ ପଦୁଟିଏ ବି ବୁଲେଟିନ୍‌ରେ କାହିଁକି କହିନାହାନ୍ତି। ରାଜ୍ୟବାସୀଙ୍କୁ ଏ ବାବଦରେ ସରକାର ସ୍ପଷ୍ଟୀକରଣ ଦେବାର ସମୟ ଆସିଛି। କିଛି ଦିନ ତଳେ ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ମେଡିକାଲ ସଂରଜାମ କିଣାରେ ୧ ହଜାର ୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ହିସାବ ଦେଉଥିଲେ। ଏବେ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଲେଣି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଜନସାଧାରଣଙ୍କୁ ଜଣାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ସାଲୁଜା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର