ନାରୀ ଶକ୍ତିର ଅପୂର୍ବ ନିଦର୍ଶନ : କରୋନା ଯୁଦ୍ଧରେ ନାୟିକା ସାଜିଛନ୍ତି ମମତା, ମାନିନୀ ଓ ମିଥିଳା

ସ୍ୱାମୀ, ପରିବାରଠୁଁ ଦୂରରେ ରହି କର୍ତ୍ତବ୍ୟ କରିଚାଲିଛନ୍ତି ଅନ୍ତଃସତ୍ତ୍ବା ମମତା
ଘରେ ବୃଦ୍ଧା ମା’ଙ୍କୁ ଛାଡି କରୋନା ଯୁଦ୍ଧରେ ମାନିନୀ
ମଦ ଜବତ କରି ଉତ୍ସାହ ଭରିଛନ୍ତି ମିଥିଳା

ବାରିପଦା : ନାରୀ ଶକ୍ତିର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଛି ମୟୂରଭଞ୍ଜରେ। କରୋନା ଯୁଦ୍ଧରେ ନାୟିକା ସାଜିଛନ୍ତି ମୟୂରଭଞ୍ଜ ପୁଲିସ୍ ବିଭାଗର ତିନି ବୀରାଙ୍ଗନା ମମତା, ମାନିନୀ ଓ ମିଥିଳା। ବୃଦ୍ଧା ମା’, ପୁଲିସ୍ ଅଧିକାରୀ ଥିବା ସ୍ବାମୀଙ୍କଠାରୁ ଦୂରରେ ରହି କର୍ତ୍ତବ୍ୟ କରିଚାଲିଛନ୍ତି। ସମଗ୍ର ନାରୀ ସମାଜ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ। ଯେଉଁଥିପାଇଁ ଗତକାଲି ପୁଲିସ୍ ଡିଜି ତାଙ୍କର ବାରିପଦା ଗସ୍ତ ସମୟରେ ନାରୀଶକ୍ତିର ତିନି ଜ୍ୱଳନ୍ତ ଉଦାହରଣମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ଭଲମନ୍ଦ ପଚାରି ବୁଝି ଆହୁରି ଭଲ କାମ କରିବାକୁ ଉତ୍ସାହିତ କରିଥିଲେ। ବେତନଟୀ ଥାନାରେ ସବ୍ଇନ୍ସପେକ୍ଟର(ଏସ୍ଆଇ) ଭାବେ କାର୍ଯ୍ୟ କରୁଥିବା ମମତା ମିଶ୍ର ଏବେ ପ୍ରାୟ ଆଠ ମାସର ଅନ୍ତଃସତ୍ତ୍ବା ଅଛନ୍ତି। ତାଙ୍କ ସ୍ୱାମୀ ବେଦପ୍ରକାଶ ନନ୍ଦ ବିଶୋଇ ଥାନାରେ ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟରତ। ଲକ୍‌ଡାଉନ ହେବା ଦିନରୁ ତାଙ୍କ ସ୍ୱାମୀ ଡ୍ୟୁଟି କାରଣରୁ ଆଦୌ ବେତନଟୀ ଆସିପାରିନାହାନ୍ତି। ସେହିପରି ଶାଶୁଘର ଦେବଗଡ଼ କିମ୍ବା ବାପଘର ଯାଜପୁରରୋଡରୁ ମଧ୍ୟ କେହି ହଠାତ୍ ଆସିବାର ସୁଯୋଗ ହୋଇପାରିନାହିଁ। ଅଗତ୍ୟା ବେତନଟୀରେ ଏକୁଟିଆ ରହି କରୋନା ଯୁଦ୍ଧରେ ସାଜିଛନ୍ତି ଆଗୁଆ ସିପାହୀ। ଏହା ଭିତରେ ସେ ଚାହିଁଥିଲେ ଛୁଟି ମଧ୍ୟ ନେଇପାରିଥାଆନ୍ତେ। ମାତ୍ର ସେପରି ନକରି କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି ମମତା। ତେଣୁ ନିୟମିତ ଥାନାକୁ ଯିବା ସହିତ କାମ କରୁଛନ୍ତି। ଅବଶ୍ୟ ଏକ୍ଷେତ୍ରରେ ଥାନା ପକ୍ଷରୁ ତାଙ୍କୁ ସହଯୋଗ କରାଯାଉଛି। ବାହାରେ ଡ୍ୟୁଟି ନରଖି ଥାନା କାର୍ଯ୍ୟାଳୟରେ ହିଁ କାମ କରୁଛନ୍ତି। ଏପରି ପରିସ୍ଥିତିରେ ଏକୁଟିଆ ରହୁଥିବାରୁ ବେଳେ ବେଳେ ଭୟ ଲାଗୁଥିଲେ ମଧ୍ୟ ଥାନାର ସମସ୍ତ ଭାଇଭଉଣୀ ଏବଂ ଦାୟିତ୍ବ ସବୁକୁ ଭୁଲେଇ ଦେଉଥିବା ମମତା ହସ ହସ ମୁହଁରେ ପ୍ରକାଶ କରିଛନ୍ତି। ଗତକାଲି ଡିଜି ତାଙ୍କୁ ବିଭିନ୍ନ ବିଷୟରେ ପଚାରୀ ବୁଝିବା ସହିତ ଉତ୍ସାହିତ କରିଥିଲେ।

ସେହିପରି କରୋନାକୁ ମୁକାବିଲା କରିବାରେ ଆଗୁଆ ସାରଥୀ ସାଜିଛନ୍ତି ବାରିପଦା ଟାଉନ୍ ଥାନାରେ ସବ୍ଇନ୍ସପେକ୍ଟର(ଏସ୍ଆଇ) ଭାବେ କାର୍ଯ୍ୟ କରୁଥିବା ଅନୁଗୁଳ ଟାଉନ୍ ହେମସରପଡ଼ାର ଝିଅ ମାନିନୀ ପ୍ରଧାନ। ଘରେ ଅଛନ୍ତି ଏକୁଟିଆ ବୃଦ୍ଧା ମା’। ବନବିଭାଗରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ତାଙ୍କ ଭାଇ ବର୍ତ୍ତମାନ ଢେଙ୍କାନାଳରେ କର୍ତ୍ତବ୍ୟରତ। ତେଣୁ ଘରେ ଏକୁଟିଆ ବୁଢ଼ୀ ମା’ଙ୍କୁ ଛାଡି ବାରିପଦା ଟାଉନ୍ ଥାନା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଥାନାରେ କର୍ତ୍ତବ୍ୟ ଜାରି ରଖିଛନ୍ତି। ପ୍ରାୟ ୨ ମାସ ହେବ ମା’ଙ୍କ ସହିତ ଦେଖାହୋଇନାହିଁ। ଯାହାକେବଳ ଫୋନ୍‌ରେ ଯୋଗାଯୋଗ। ମା’ ପାଖକୁ ଯିବାକୁ ମନ ଥିଲେ ମଧ୍ୟ ଦାୟିତ୍ବ ଆଗରେ ସବୁକୁ ପଛ କରିଛନ୍ତି ମାନିନୀ। ଗତକାଲି ପୁଲିସ୍ ଡିଜି ମାନିନୀଙ୍କ ସହିତ ଆଲୋଚନା କରିଥିଲେ। ବିଭିନ୍ନ ବିଷୟରେ ପଚାରି ବୁଝିବା ସହିତ ଆଗକୁ ଆହୁରି ଭଲ କାମ କରିବାକୁ ଉତ୍ସାହିତ କରିଥିଲେ।

ଆଉ ଜଣେ ପ୍ରେରଣାର ଉତ୍ସ ହେଉଛନ୍ତି ଚାନ୍ଦୁଆ ଥାନାର ମହିଳା କନେଷ୍ଟବଳ ମିଥିଳା ଶାହା। କୁଳିଅଣା ବ୍ଲକ୍ ଅନ୍ତର୍ଗତ ଗାଙ୍ଗରାଜରେ ଘର ଥିବା ମିଥିଳା ସମାଜରେ ମଦର କୁପ୍ରଭାବ ବିଷୟରେ ଭଲଭାବେ ଅବଗତ। ତେଣୁ ଗତ କିଛିଦିନ ତଳେ ପ୍ରାୟ ୧୦୦ଲିଟର ମଦ ଧରିବାକୁ ଯାଇଥିବା ସ୍ବତନ୍ତ୍ର ଟିମ୍‌ରେ ମିଥିଳା ସାଜିଥିଲେ ଏକ ପ୍ରମୁଖ ଅଙ୍ଗ। ଘରର ମା’ କିପରି ସମାଜର ହିତ ପାଇଁ ସବୁ ବିପଦକୁ ସାମ୍ନା କରିପାରେ ତାହାର ଏକ ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ମିଥିଳା। ଘରେ ପୁଅ, ଝିଅ ସ୍ବାମୀଙ୍କୁ ଛାଡି ସକାଳ ପାହିଲେ ବାହାରିଯାଉଛନ୍ତି ଥାନାକୁ। ସେଠାରେ କରୋନା ଲଢ଼େଇରେ ନିଜକୁ ସାମିଲ କରିଛନ୍ତି। ପଶ୍ଚିମବଙ୍ଗ ସୀମା ତାଙ୍କ ଥାନା ଅଧିନରେ ଆସୁଥିବାରୁ ତାଙ୍କର ଦାୟିତ୍ବ ଅଧିକ ରହିଛି। ଯେତେବେଳେ ଯେଉଁ ଦାୟିତ୍ବ ମିଳୁଛି ଖୁସିରେ ତାକୁ ନିର୍ବାହ କରୁଛନ୍ତି ମିଥିଳା। ପ୍ରାୟ ୨୦ ବର୍ଷ ହେବ ପୁଲିସ୍ ଚାକିରୀ କଲେ ମଧ୍ୟ କେବେ କୌଣସି ଡିଜି’ଙ୍କ ସହିତ ମିଶିନଥିଲେ। ଗତକାଲି ଡିଜି ତାଙ୍କ ସହିତ ବ୍ୟକ୍ତିଗତଭାବେ କଥା ହେବା ତାଙ୍କୁ ବିଶେଷ ଉତ୍ସାହିତ କରିଥିବା ମିଥିଳା ପ୍ରକାଶ କରିଛନ୍ତି। ବାସ୍ତବରେ କରୋନା ଭଳି ଏକ ସମ୍ବେଦନଶୀଳ ସମୟରେ ମମତା, ମାନିନୀ ଓ ମିଥିଳାଙ୍କ ପ୍ରେରଣାଦାୟୀ କାହାଣୀ ସମସ୍ତଙ୍କୁ ଉତ୍ସାହିତ କରିବ ନିଶ୍ଚୟ।

ସମ୍ବନ୍ଧିତ ଖବର