କରୋନା ଯୋଦ୍ଧା : ଭିନ୍ନକ୍ଷମ ଡାକ୍ତର ଚମ୍ପକ ମେହେର

ଭବାନୀପାଟଣା : କରୋନା ମହାମାରୀର ମୁକାବିଲା ପାଇଁ ସମସ୍ତେ ଆଶଙ୍କାରେ ଥିବାବେଳେ କଳାହାଣ୍ଡି ଜିଲ୍ଲାର ଜଣେ ଭିନ୍ନକ୍ଷମ ଡାକ୍ତର ଚମ୍ପକ ମେହେର ନିଜ ଜୀବନକୁ ବିପନ୍ନ କରି ଦୁଇ କରୋନା ଆକ୍ରାନ୍ତଙ୍କ ଗାଁ ରେ ଦିନରାତି ଏକାକାର କରି ସ୍ୱାସ୍ଥ୍ୟ ସେବା ଯୋଗାଇଦେଇ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । କରୋନା ଆକ୍ରାନ୍ତ ଓ ଅନ୍ୟ ଆତଙ୍କିତ ଲୋକଙ୍କୁ ସାହସ ଦେବା ସହିତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପ୍ରେରଣା ଯୋଗାଉଥିବା ଏକ ନିଆରା ମଣିଷ ହେଉଛନ୍ତି ଏହି ଭିନ୍ନକ୍ଷମ ଡାକ୍ତର।

କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟ ଚିକିତ୍ସାଧିକାରୀ ଭାବରେ ଅବସ୍ଥାପିତ ଅଛନ୍ତି। ଗତ ଏପ୍ରିଲ ୪ ତାରିଖ ରାତିରୁ କଳାହାଣ୍ଡି ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ରାତି ସାଢ଼େ ୧୧ଟାରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ନେଇ ଗୋଲାମୁଣ୍ଡା ବିଡ଼ିଓଙ୍କ ସହାୟତାରେ ଆକ୍ରାନ୍ତଙ୍କ ଗାଁରେ ପହଞ୍ଚିଥିଲେ। ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ। ସେମାନଙ୍କୁ ନୈତିକ ସମର୍ଥନ ଦେବା ସହିତ ସଚେତନ କରିଥିଲେ । ଏପ୍ରିଲ ୫ ତାରିଖ ସକାଳ ସାଢେ ୧୧ଟା ପର୍ଯ୍ୟନ୍ତ ସେହି ଗାଁରେ ରହିଥିଲେ । ଆକ୍ରାନ୍ତ ଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ପଠାଇବା ପରେ ସୋସିଆରେ ୧୧ ଜଣ ଓ ଖମାରହଳଦୀ ରେ ୨୮ ଜଣଙ୍କୁ ସଂଘରୋଧ କେନ୍ଦ୍ରରେ ରଖିଥିଲେ । ଏହି ୨ ଗାଁର ଲୋକ ସଂଘରୋଧରେ ରଖାଯିବା ନେଇ ବିରୋଧ କରିଥିଲେ। ଗାଁ ଲୋକଙ୍କୁ ବୁଝାସୁଝା କରିବା ସହିତ ସଂଘରୋଧକାରୀଙ୍କ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ଲୋକେ ଭୟଭୀତ ହୋଇ ଥଣ୍ଡା କାଶ ହେଇଥିଲେ ମଧ୍ୟ ପରୀକ୍ଷା ଡରରେ ଲୁଚେଇବା ପାଇଁ ଚେଷ୍ଟା କରିଥିଲେ। ଏହା ଡାକ୍ତର ମେହେରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା। ସେ ସେମାନଙ୍କୁ ନେହୁରା ହୋଇ ବୁଝାଇ ସଚେତନ କରିଥିଲେ। ଏପ୍ରିଲ୯ ତାରିଖରେ ସେହି ଗାଁରେ ଦ୍ଵିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ପୁନର୍ବାର ୯ ତାରିଖ ରାତିରୁ ଆକ୍ରାନ୍ତଙ୍କ ଗାଁରେ ଡାକ୍ତର ମେହେର ଡେରା ପକେଇଥିଲେ। ୧୦ ତାରିଖ ଦିନ ସକାଳ ପର୍ଯ୍ୟନ୍ତ ଗାଁରେ ଲୋକଙ୍କୁ ବୁଝାସୁଝା କରି ସୋସିଆ ସଂଘରୋଧ କେନ୍ଦ୍ରକୁ ୩ ଜଣ ଓ ଖମାରହଲଦୀ ସଂଘରୋଧ କେନ୍ଦ୍ରକୁ ୩ ଜଣଙ୍କ ସମେତ ୬ ଜଣଙ୍କୁ ନେଇ ରଖାଯାଇଥିଲା । ଅନ୍ୟପକ୍ଷରେ ଦ୍ଵିତୀୟ ଆକ୍ରାନ୍ତଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ପଠେଇଥିଲେ। ସଂଘରୋଧ କେନ୍ଦ୍ରରେ ଲୋକଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ରାତିଦିନ ସେମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ସଜାଗ ହେଇରହିଥିଲେ ।

ସାରା ରାଜ୍ୟର ଦୃଷ୍ଟି ଆକ୍ରାନ୍ତଙ୍କ ଗାଁ ଉପରେ ଥିବା ବେଳେ ଏହାର ସ୍ୱାସ୍ଥ୍ୟସେବା ପରିଚାଳନା ଡାକ୍ତର ଚମ୍ପକ ମେହେରଙ୍କ ଉପରେ ନ୍ୟସ୍ତ ଥିଲା । ଦୁଇ ଆକ୍ରାନ୍ତ ଚିହ୍ନଟ ହେବାପରେ ଡାକ୍ତର ମେହେରଙ୍କ ବାପା ମା ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ତାଙ୍କ ନିଜ ଗାଁ ଜୁନାଗଡ଼ ବ୍ଲକର ବଲଧିଆମାଲ ଅଟେ । ସେଠାରୁ ତାଙ୍କ ସମ୍ପର୍କୀୟମାନେ କରୋନା ଯୋଗୁଁ ଭୟଭୀତ ହୋଇ ବାରମ୍ବାର ଫୋନ କରି ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲେ । ତାଙ୍କ ପତ୍ନୀ ଡାକ୍ତର କମଳିନୀ ମେହେର ଫରଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମରେ ଆୟୁଷ ଡାକ୍ତର ଭାବରେ କାର୍ଯ୍ୟ କରନ୍ତି । ସେ ତାଙ୍କ ନିଜ ସ୍ୱାମୀଙ୍କୁ ନୈତିକ ସାହସ ଦେବା ସହ ଭୟଭୀତ ନ ହେବା ପାଇଁ ବିଭିନ୍ନ ସମୟରେ ପରାମର୍ଶ ଓ ସାହସ ଦେଉଥିଲେ । ଏପ୍ରିଲ ୪ ତାରିଖରୁ ଡାକ୍ତର ମେହେର ସଂଘରୋଧରେ ଥିବା ଯୋଗୁଁ ନିଜ ପତ୍ନୀ ତଥା ସାଢେ ତିନି ବର୍ଷର ପୁଅଙ୍କୁ ଦେଖା କରିପାରୁନଥିଲେ । ତାଙ୍କ ପୁଅ ମୋବାଇଲ ଭିଡିଓ କନ୍‌ଫରେନ୍ସରେ ଡାକ୍ତର ବାପାଙ୍କ ସହିତ କଥା ହେଉଥିଲେ। ଏପ୍ରିଲ୧୨ ତାରିଖ ରେ ଡାକ୍ତରଙ୍କ ମେହେରଙ୍କ ସ୍ୱାବ ରିପୋର୍ଟ ପଠାଯାଇଥିଲା ଏବଂ ଏପ୍ରିଲ ୧୪ ରେ ରିପୋର୍ଟ ନେଗେଟିଭ ଆସିଥିଲା । ସଂଘରୋଧ ଥିବା ଯୋଗୁଁ ଅନ୍ୟ ଡାକ୍ତରମାନଙ୍କ ସହିତ ନିଜେ ତାଙ୍କ ରୋଷେଇ କରିବାକୁ ପଡୁଛି । ଗତ ୨୫ ଦିନ ଧରି ପରିବାରକୁ ଦେଖା ନକରି କରୋନା ମୁକାବିଲା ପାଇଁ ସେ ଅହରହ ନିଜକୁ ସମର୍ପିତ କରିଥିବା କରୋନା ଯୋଦ୍ଧା ଭିନ୍ନକ୍ଷମ ଡାକ୍ତର ଚମ୍ପକ ମେହେର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଯେଉଁଠି ସାଧାରଣ ଲୋକେ କରୋନା ମୁକାବିଲା ପାଇଁ ଭୟଭୀତ ରାହୁଥିବାବେଳେ ଜଣେ ଭିନ୍ନକ୍ଷମ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଦାନ ଏକ ଦୃଷ୍ଟାନ୍ତ ଅଟେ । ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆକ୍ରାନ୍ତଙ୍କ ଗାଁ ୧୬ କିଲୋମିଟର ଥିବା ବେଳେ ସେଠାରେ ଯାଇ ଡେରା ପକାଇ ଉଭୟ ପ୍ରଶାସନ ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସାହସ ଓ ପ୍ରେରଣା ଯୋଗାଇ ଦେଉଥିବା ଏହି ନିଆରା ମଣିଷଙ୍କ ପ୍ରଶଂସା ସଭିଙ୍କ ମୁହଁରେ ଶୁଣିବାକୁ ମିଳୁଛି ।

ସମ୍ବନ୍ଧିତ ଖବର