କରୋନା ଯୁଦ୍ଧରେ ଏମାନେ ବି ସାରଥୀ : ନିରବଚ୍ଛିନ୍ନ ସେବା ଯୋଗାଉଛି ଏଫସିଆଇ, ଦିନରାତି ଏକ କରି କାମ କରୁଛନ୍ତି କର୍ମଚାରୀ

ଓଡ଼ିଶା ପାଇଁ ମହଜୁଦ ରହିଛି ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ

ଭୁବନେଶ୍ୱର : ଲକଡାଉନ୍‌ ପାଇଁ ସବୁ ବନ୍ଦ। ଗାଡ଼ି ଚଳାଚଳ କରୁନି କି ଶ୍ରମିକଙ୍କ କାମଧନ୍ଦା ନାହିଁ। ଘରେ ସମସ୍ତଙ୍କ ଦିନ କାଟୁଛି। ସୁସ୍ଥ ଓ ସୁରକ୍ଷିତ ଭାବେ ଘରେ ରହୁଛନ୍ତି। ଏହା ଭିତରେ କରୋନା ଯୁଦ୍ଧରେ କିଛି ଯୋଦ୍ଧା ନିଜକୁ ସାମିଲ କରିଛନ୍ତି। ପୁଲିସ, ଡାକ୍ତର, ନର୍ସ, ସ୍ବେଚ୍ଛାସେବୀ କର୍ମୀଙ୍କ ପରି ଆଉ କିଛି ଲୋକ ବି ସାଧାରଣ ଲୋକଙ୍କ ପାଇଁ ଦିନରାତି ପରିଶ୍ରମ କରିଚାଲିଛନ୍ତି। ଯେଉଁଥିପାଇଁ ପ୍ରତିଦିନ ହଜାର ହଜାର କୁଇଣ୍ଟାଲ ଚାଉଳ, ଗହମ ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଏମାନେ ଆଉ କେହି ନୁହନ୍ତି, ଭାରତୀୟ ଖାଦ୍ୟ ନିଗମର ଅଧିକାରୀ ଓ କର୍ମଚାରୀ। ଯେଉଁମାନେ କି ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବା‌‌ରେ ଲାଗି ପଡ଼ିଛନ୍ତି। ଏଠାର ଶତାଧିକ ଶ୍ରମିକ ଦିନରାତି ପରିଶ୍ରମ କରିଚାଲିଛନ୍ତି। ଯଦି ଖୋର୍ଦ୍ଧା ଡିପୋ କଥା ଦେଖାଯାଏ, ତେବେ ଏଠାରୁ ପ୍ରତିଦିନ ୧୨ହଜାରରୁ ଅଧିକ ବସ୍ତା ଚାଉଳ, ଗହମ ଆଦି ଲୋଡିଂ ଓ ଅନଲୋଡିଂ ହେଉଛି। ସାମାଜିକ ଦୂରତା ରକ୍ଷା କରି ସେମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ଭାରତୀୟ ଖାଦ୍ୟ ନିଗମର ଓଡ଼ିଶା ଶାଖା ପକ୍ଷରୁ କୁହାଯାଇଛି ଯେ ଲକଡାଉନ୍‌ ସମୟରେ ଲୋକଙ୍କ ସେବାରେ ଆମେ କାର୍ଯ୍ୟ କରୁଛୁ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ମହଜୁଦ ଥିବା ଖାଦ୍ୟଶସ୍ୟକୁ ରେଳପଥ ମାଧ୍ୟମରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁକୁ ପଠାଯାଉଛି। ଏଥିସହ ସଡ଼କ ମାଧ୍ୟମରେ ଝାଡ଼ଖଣ୍ଡକୁ ବି ଖାଦ୍ୟଶସ୍ୟ ଯାଉଛି। ଗତ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୬ ମଧ୍ୟରେ ତଥା ଲକଡାଉନ୍‌ ସମୟରେ ମିଲଗୁଡ଼ିକରୁ ୧ ଲକ୍ଷ ୪୪ ହଜାର ୬୭୪ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରାଯାଇଛି। ଏହି ସମୟରେ ୨ଲକ୍ଷ ୭ ହଜାର ୧୨୬ମେଟ୍ରିକ ଟନ୍‌ ଚାଉଳ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ରାଜ୍ୟକୁ ପଠାଯାଇଛି। ଏହାବ୍ୟତୀତ ଓଡ଼ିଶା ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ରଖାଯାଇଛି। ୧୬ ତାରିଖ ସୁଦ୍ଧା ଓଡ଼ିଶା ଶାଖା ୬୪ହଜାର ୨୩୪ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ(ଗହମ) ସଂଗ୍ରହ କରି ଏନଏଫଏସ୍ଏ ଓ ଅନ୍ୟାନ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାରେ ବଣ୍ଟନ କରାଯିବ।

ଏଫସିଆଇ ଓଡ଼ିଶା ଶାଖାର ଜେନେରାଲ ମ୍ୟାନେଜର୍‌ ଏନ.କେ ପ୍ରଧାନଙ୍କ କହିବାନୁଯାୟୀ, ନିଗମର ଦକ୍ଷ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଲକଡାଉନ୍‌ ପରି ସମୟରେ ଓଡ଼ିଶା ଶାଖା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି। ବିଶେଷକରି ଡିପୋରେ ଥିବା କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ଓଡ଼ିଶା ସମେତ ବାକି ୫ଟି ରାଜ୍ୟକୁ ଖାଦ୍ୟଶସ୍ୟ ଯୋଗାଇବା ସମ୍ଭବପର ହୋଇପାରିଛି। ଓଡ଼ିଶା ପାଇଁ ଆବଶ୍ୟକତାଠାରୁ ଅଧିକ ଖାଦ୍ୟଶସ୍ୟ ଏବେ ମହଜୁଦ ରହିଛି। ଏମିତିକି ଜାତୀୟସ୍ତରରେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟଶସ୍ୟ ଏଫସିଆଇ ନିକଟରେ ରହିଛି। ଏଭଳି ଏକ ସମୟରେ ରାଜ୍ୟ ତଥା ଦେଶର ହିତ ପାଇଁ କର୍ମଚାରୀମାନେ ଦିନରାତି ଏକ କରିଦେଇଛନ୍ତି। ଓଡ଼ିଶା ସମେତ ଅନ୍ୟ ରାଜ୍ୟ ପାଇଁ ବାଧାବିହୀନ ଖାଦ୍ୟଶସ୍ୟ ଯୋଗାଣ ପାଇଁ ଆମେ ବଦ୍ଧପରିକର।

ଏଫସିଆଇ ୱାର୍କସ ୟୁନିୟନ୍‌ ନେତା ପ୍ରଶାନ୍ତ କୁମାର ଚମ୍ପତ୍ତି (ଖୋର୍ଧାରୋଡ୍‌)ଙ୍କ କହିବାନୁଯାୟୀ, ଲକଡାଉନ୍‌ କ’ଣ ଆମେ ଜାଣିନୁ। ପ୍ରତିଦିନ କାର୍ଯ୍ୟ କରି ଚାଲିଛୁ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ କିଭଳି ଚାଉଳ, ଗହମ ପହଞ୍ଚିବ, ସେ ଦିଗରେ କାର୍ଯ୍ୟ କରୁଛୁ। ରବିବାର ବି ଆମେ ଲୋକଙ୍କ ସେବାରେ ଲାଗିଛୁ। ଏବେ ପ୍ରତିଦିନ ଖୋର୍ଦ୍ଧା ଡିପୋରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ୧୨ହଜାର ବସ୍ତା ଗହମ ପଠାଯାଉଛି। ୧୯୯୯ମହାବାତ୍ୟା ସମୟରେ ବି ଏଠାକାର କର୍ମଚାରୀ ଏଭଳି କାର୍ଯ୍ୟ ଜାରି ରଖି ଲୋକଙ୍କ ନିକଟରେ ସାମଗ୍ରୀ ପହଞ୍ଚାଇଥିଲେ। ଏବେ ବି କରୋନା ଭଳି ମହାମାରୀ ସମୟରେ ନିଗମର ସମସ୍ତେ ଏକାଠି ହୋଇ କାର୍ଯ୍ୟ କରୁଛନ୍ତି। ସେମାନଙ୍କର ଜୀବନକୁ ଖାତିର୍‌ ନାହିଁ। ଠିକ୍‌ ସମୟରେ ଲୋକଙ୍କ ନିକଟରେ କିଭଳି ଖାଦ୍ୟ ସାମଗ୍ରୀ ପହଞ୍ଚିବ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ବାତ୍ୟା ହେଉ କି ବନ୍ୟା, ଅବା କୌଣସି ପ୍ରାକୃତିକ ବିପର୍ଯ୍ୟୟ; ସବୁ ସମୟରେ ଏଫସିଆଇର ଅଧିକାରୀ ଓ କର୍ମଚାରୀ ଲୋକଙ୍କ ସହ ରହିଛନ୍ତି।

ସମ୍ବନ୍ଧିତ ଖବର