ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି : କରୋନାମୁକ୍ତ ହେବ ବାହୁଡ଼ାଯାତ୍ରା

ସେବାୟତଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର
କେବଳ ବଡ଼ଦାଣ୍ଡ ପାର୍ଶ୍ବ ବାସିନ୍ଦା ବାଲକୋନି, ଝରକ‌ାରେ ଦେଖିପାରିବେ ରଥ

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ଛତିଶା ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରଥଯାତ୍ରା ରାୟକୁ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତି ସଂପର୍କରେ ଆଲୋଚନା କରାଯାଇଥିଲା। ଏଥର ରଥଯାତ୍ରା କିଭଳି କରୋନାମୁକ୍ତ ହେବ ତାହା ସୁନିଶ୍ଚିତ କରିବାକୁ କୋଭିଡ୍‌ ପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ମହାପାତ୍ର କହିଛନ୍ତି। ‌

ସମସ୍ତ ସେବାୟତଙ୍କ କରୋନା ପରୀକ୍ଷା କରାଯାଉଛି। ଯେଉଁମାନଙ୍କର ନେଗେଟିଭ୍‌ ଥିବ ସେମାନେ ହିଁ କେବଳ ରଥଯାତ୍ରାରେ ଭାଗ ନେ‌ଇପାରିବେ। ସେବାୟତ ଓ ସେମାନଙ୍କ ପରିବାର ପାଇଁ ଦୁଦୁୱାଲା ଧର୍ମଶାଳା ଓ ଭିତର ସେବାୟତ ନିଯୋଗରେ ସ୍ବାସ୍ଥ୍ୟ ସେବା ଶିବିର ଖୋଲିବ। ପାଖ ସାହିରେ ରହୁଥବା ସେବାୟତମାନେ ଏହାର ସୁବିଧା ନେଇପାରିବେ। ଏହି ଶିବିରରେ ମେଡିସିନ, ଅର୍ଥୋପେଡିକ୍‌ ଡାକ୍ତର ରହିବେ। ଏହା ସହିତ ସେବକ ପରିବାରଙ୍କ ସ୍ବାସ୍ଥ୍ୟ ସଂପର୍କିତ ତଥ୍ୟ ସଂଗ୍ରହ କରାଯିବ। ନୀଳାଦ୍ରି ବିଜେ ଓ ପରେ ୧୫ ଦିନ ଧରି ନଜରରେ ରଖାଯିବ। ବଡ଼ଦାଣ୍ଡ, ଆଖପାଖ ଗଳିକୁ ସାନିଟାଇଜ୍ କରାଯିବ। ସେବାୟତ ପରିବାରକୁ ମାସ୍କ ଓ ସାନିଟାଇଜର୍‌ ପ୍ରଦାନ କରାଯିବ। ରଥଯାତ୍ରା ପୂର୍ବରୁ ଦୁଇ ରାଉଣ୍ଡରେ ମୋଟ ୬ ହଜାର କରୋନା ପରୀକ୍ଷା କରାଯିବ। ରଥ ପରେ ୫ ହଜାର ଆଣ୍ଟିବଡି ପରୀକ୍ଷା ମଧ୍ୟ କରାଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଦୋଳମଣ୍ଡପ ସାହିର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାରର ୧୪ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ନେଗେଟିଭ୍‌ ଆସିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ୨୫ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କର ମଧ୍ୟ ନେଗେଟିଭ୍‌ ଆସିଥିବା ପୁରୀ ଜିଲ୍ଲାପାଳ ସୂଚନ‌ା ଦେଇଛନ୍ତି।

ବାହୁଡ଼ା ଦିନ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ରହୁଥିବା ବାସିନ୍ଦା ନିଜ ଘର ବାଲକୋନି ଓ ଝରକାରେ ବାହୁଡ଼ା ଯାତ୍ରା ଦେଖିପାରିବେ। ମାତ୍ର ବାହାର ଲୋକଙ୍କୁ ସୁଯୋଗ ଦେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ପୁରୀ ଏସ୍‌ପି ଡାକ୍ତର ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର