ଝାରସୁଗୁଡ଼ା : ଝାରସୁଗୁଡ଼ା ସଦର ବ୍ଲକ ମଲଦା ଗ୍ରାମପଞ୍ଚାୟ ଅନ୍ତର୍ଗତ ‘ଖଏଟ’ ଗ୍ରାମକୁ ଆଜି ପର୍ଯ୍ୟନ୍ତ ମହାମାରୀ କରୋନା ପଶି ପାରି ନଥିବା ଜଣାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ମହାମାରୀ କରୋନା ସାରା ଜିଲ୍ଲାକୁ କବଳିତ କରିଥିବା ବେଳେ ଅନେକ ଜୀବନ ନେଇ ଯାଇଛି। ଏପରି କ୍ଷେତ୍ରରେ ବ୍ଲକର ଖଏଟ ଗ୍ରାମକୁ କରୋନା ଛୁଇଁ ପାରି ନଥିବା ଭଳି ଭଲ ଖବର ମିଳିଛି।
ଏହି ଗ୍ରାମଟି ଅଗମ୍ୟ ହୋଇଥିବା ବେଳେ ଏଠାରେ ସାଧାରଣତଃ ମତ୍ସ୍ୟଜୀବୀମାନେ ଅଧିକ ସଂଖ୍ୟାରେ ବସବାସ କରନ୍ତି। ଗ୍ରାମର ଗୋଟିଏ ପଟେ ଭେଡ଼େନ ନଦୀ ଓ ଅନ୍ୟ ପଟେ ହୀରାକୁଦ ଜଳଭଣ୍ଡାର ରହିଛି। ଆଉ ଗୋଟିଏ ପଟେ ଜଙ୍ଗଲ ରହିଛି। ଗ୍ରାମର ମୋଟ୍ ପରିବାର ସଂଖ୍ୟା ୫୦ ହୋଇଥିବା ବେଳେ ଏହା ଏକ ରାଜସ୍ବ ଗ୍ରାମର ମାନ୍ୟତା ପାଇଛି। ପ୍ରାୟ ୩୦୦ ଲୋକସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଲୋକଙ୍କ ମୁଖ୍ୟ ଆୟର ପନ୍ଥା ହେଉଛି ମାଛମାରିବା। ଜଳଭଣ୍ଡାର ଓ ନଦୀ ମଧ୍ୟରୁ ମାଛ ମାରି ଏମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ କରୋନାର ଦୁଇଟି ଲହର ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଏହି ଗ୍ରାମକୁ ଏ ପର୍ଯ୍ୟନ୍ତ ଛୁଇଁ ପାରିନି। ଏହା ପଛରେ ମୁଖ୍ୟ କାରଣ ସଚେତନତା ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2021/06/3b97c9dc-39a6-4eba-a7de-686f1010f4e2.jpg)
ଗାଁରେ ଥିବା ଜୟଦେବ ଯୁବକ ସଂଘର ସଦସ୍ୟମାନେ ବ୍ୟାପକ ସଚେତନତା କରି ଗାଁ ଲୋକଙ୍କୁ ମାସ୍କ ପିନ୍ଧିବା ସାମାଜିକ ଦୂରତା ପାଳନ କରିବାକୁ ପ୍ରବର୍ତ୍ତାଇଥାନ୍ତି। ଯେଉଁ ଲୋକମାନେ ମାଛ ନେଇ ସହରକୁ ଯାଇଥାନ୍ତି ସେମାନଙ୍କୁ ବେଶି ସତର୍କତା ଅବଲମ୍ବନ କରିବାକୁ କହିଥାନ୍ତି। ଆଉ ଏକ କଥା ହେଲା ସେମାନେ ଗାଁକୁ ବାହାର ଲୋକଙ୍କୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ଗାଁକୁ କୁଣିଆ ମୈତ୍ର ଯିବା ଆସିବା ଉପରେ ମଧ୍ୟ କଟକଣା ରହିଛି। ବିଡିଓ ପ୍ରସନ୍ନ ପାଣ୍ଡେଙ୍କ କହିବାନୁଯାୟୀ ଏହି ଗ୍ରାମରେ ଦୁଇ ଦୁଇ ଥର କରୋନା ପରୀକ୍ଷା କରାଯାଇ ସାରିଛି ମାତ୍ର କେହି ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି। ଏଭଳି ଜନ ସଚେତନତା ଅନ୍ୟ ସ୍ଥାନ ପ୍ରତି ଏକ ଉଦାହରଣ ବୋଲି ମଧ୍ୟ ବିଡିଓ ଶ୍ରୀ ପାଣ୍ଡେ ମତବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/96e85eff-90b3-420b-9318-8a10557b1c52.jpg)